I want to do films: କେବଳ ଗ୍ଲାମର୍ ପାଇଁ ଫିଲ୍ମ କରିବାକୁ ଅରାଜି
ଅଭିନେତ୍ରୀ ଶହନାଜ ଗିଲ୍ ତିନି ବର୍ଷ ତଳେ ‘କିସି କା ଭାଇ କିସି କି ଜାନ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ପଦାର୍ପଣ କରିଥିଲେ। ସେହି ବର୍ଷ ତାଙ୍କ ଅଭିନୀତ ‘ଥାଙ୍କ୍ ୟୁ ଫର୍ କମିଂ’ ଚଳଚ୍ଚିତ୍ର ମଧ୍ୟ ଆସିଥିଲା।

ଅଭିନେତ୍ରୀ ଶହନାଜ ଗିଲ୍ ତିନି ବର୍ଷ ତଳେ ‘କିସି କା ଭାଇ କିସି କି ଜାନ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ପଦାର୍ପଣ କରିଥିଲେ। ସେହି ବର୍ଷ ତାଙ୍କ ଅଭିନୀତ ‘ଥାଙ୍କ୍ ୟୁ ଫର୍ କମିଂ’ ଚଳଚ୍ଚିତ୍ର ମଧ୍ୟ ଆସିଥିଲା। ତେବେ ତା’ ପରେ ତାଙ୍କୁ ଆଉ କୌଣସି ବଲିଉଡ୍ ଚଳଚ୍ଚିତ୍ରରେ ଦେଖିବାକୁ ମିଳିନାହିଁ। ସେ ପଞ୍ଜାବୀ ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରି ଏବେ ପୁଣି ଥରେ ସେହି ଆଞ୍ଚଳିକ ଶିଳ୍ପରେ ହିଁ ନିଜକୁ ସୀମିତ ରଖିବାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ଏକ ସାକ୍ଷାତ୍କାର ଦେଇ ଶହନାଜ ଏହାର କାରଣ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ପଞ୍ଜାବୀ ଶିଳ୍ପରେ ତାଙ୍କୁ ବିବିଧ ପ୍ରକାର ଚରିତ୍ରର ପ୍ରସ୍ତାବ ମିଳୁଛି।
ବଲିଉଡ୍ରୁ ବି ଅନେକ ପ୍ରସ୍ତାବ ଆସୁଛି, କିନ୍ତୁ ସେଥିରେ ଗୁରୁତ୍ବପୂର୍ଣ୍ଣ ଚରିତ୍ର ସଂଖ୍ୟା କମ୍। ଅଧିକାଂଶ ଚଳଚ୍ଚିତ୍ରର ସ୍କ୍ରିପ୍ଟ ପଢ଼ି ସେ ବୁଝି ଯାଉଛନ୍ତି ଯେ ତାଙ୍କୁ ଦକ୍ଷତା ପ୍ରଦର୍ଶନର ଅବସର ମିଳିବ ନାହିଁ। ଏହି କାରଣରୁ ସେ ବହୁତ ଭାବିଚିନ୍ତି ଚଳଚ୍ଚିତ୍ର ବାଛୁଛନ୍ତି। ସେ ରୋକ୍ଠୋକ୍ କହିଦେଇଛନ୍ତି ଯେ କେବଳ ଗ୍ଲାମର୍ ପ୍ରଦର୍ଶନ ଲାଗି ସେ କୌଣସି ଚଳଚ୍ଚିତ୍ରରେ କାମ କରିବେ ନାହିଁ। ଚଳଚ୍ଚିତ୍ରରେ ନିଜକୁ ‘ସୁନ୍ଦର ବସ୍ତୁ’ ରୂପେ ବ୍ୟବହାର କରାଯିବାକୁ ଶହନାଜ ଅଗ୍ରାହ୍ୟ କରୁଛନ୍ତି। ସେ ଏବେ ରାଧିକା ଆପ୍ଟେଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହାନ୍ତି। ତାଙ୍କ ମତରେ ରାଧିକାଙ୍କ ବିଶେଷତ୍ବ ହେଲା ସେ ଗ୍ଲାମର୍ରେ ସୀମିତ ନୁହନ୍ତି। ପ୍ରଭାବଶାଳୀ ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ ଲୋକମାନେ ଜାଣନ୍ତି। ତାଙ୍କ ପରି ଭଲ କଳାକାରଟିଏ ହେବା ଶହନାଜଙ୍କ ସ୍ବପ୍ନ।
ସୌଜନ୍ୟ ସମ୍ବାଦ




