ରାଜ୍ୟ

Phulbani Government Medical College ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାଁରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଓଡ଼ିଶା ସରକାର ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରି ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ’ ରଖିଛନ୍ତି। ଏହା ସହ କନ୍ଧମାଳରେ ତାଙ୍କ ଆଶ୍ରମ ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ₹୧୩ କୋଟି ଅନୁଦାନ ଘୋଷଣା କରାଯାଇଛି।

ଭୁବନେଶ୍ବର:  ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବାର ଦିନକ ପରେ ଏହାର ନାଁ ବଦଳିଛି। ଏଣିକି ତାହା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଫୁଲବାଣୀଭାବେ ପରିଗଣିତ ହେବ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖ ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସୃତିକୁ ଉଜ୍ଜୀବିତ ରଖିବା ଓ କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତକାଲି ଏକାଧିକ ପଦକ୍ଷେପ ଘୋଷଣା କରିଥିଲେ। ଜଲେଶପଟ୍ଟାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍‌ଏସ୍‌ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ଅପରପକ୍ଷରେ, ଏଭଳି ନିଷ୍ପତ୍ତିକୁ ବିଜେପି ସ୍ବାଗତ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  କନ୍ଧମାଳରେ ଜିଲାର ଫୁଲବାଣୀଠାରେ ପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିିକିତ୍ସାଳୟକୁ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା, ତାଙ୍କ ସ୍ମୃତିକୁ ଅଧିକ ଉଜାଗର କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କନ୍ୟାଶ୍ରମକୁ ୧୩ କୋଟି ଟଙ୍କାର ସହାୟତା ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ  ସ୍ୱାମୀଜୀଙ୍କ  ହତ୍ୟାକାଣ୍ଡର ଫାଇଲ୍ ଚୋରି ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଂଚକୁ ହସ୍ତାନ୍ତର କରିଥିବାରୁ  ମୁଖ୍ୟମନ୍ତ୍ରୀ ଓ  ରାଜ୍ୟସରକାରଙ୍କୁ ଓଡ଼ିଶାବାସୀ ତଥା ଭାରତୀୟ ଜନତା ପାର୍ଟି ପକ୍ଷରୁ ଧନ୍ୟବାଦ ଦିଆଯାଉଛି।

ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାଁରେ ନାମିତ କରିବା ପ୍ରସ୍ତାବକୁ ୪ ବାମପନ୍ଥୀ ଦଳ ବିରୋଧ କରିଛନ୍ତି। ମହାନ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ନାମରେ ଏହାକୁ ନାମିତ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଦାବି ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button