ରାଜ୍ୟ

mother murder case ମାତୃହନ୍ତା ପୁଅକୁ ୮ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡ

୨୦୧୯ ମସିହାରେ ପରିବାରିକ ବିବାଦ ବେଳେ ମା’ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ମାମଲାରେ କଟକ ଅଦାଲତ ପ୍ରକାଶ ପ୍ରଧାନଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

କଟକ:  ଯେଉଁ ମା’ ୧୦ ମାସ ଗର୍ଭକଷ୍ଟ ସହ୍ୟ କରି ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା ସେହି  ମାଙ୍କୁ ଟାଙ୍ଗିଆ ଚୋଟରେ ହତ୍ୟା କରିଥିଲା ପୁଅ। ପ୍ରାୟ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ମାତୃହନ୍ତା ପୁଅକୁ ଦୋଷୀ ସାବ୍ୟସ୍ତ କରିବା ସହ ୮ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି।

ସାକ୍ଷ୍ୟ ପ୍ରମାଣରୁ ପ୍ରକାଶର ଟାଙ୍ଗିଆ ଚୋଟରେ ମା’ ସାବିତ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପ୍ରମାଣିତ ହୋଇଥିଲା। କିନ୍ତୁ ଏପରି କାର୍ଯ୍ୟ ପାଇଁ ପ୍ରକାଶର କୌଣସି ପୂର୍ବ ଉଦ୍ଦେଶ୍ୟ ନଥିଲା। ବିବାହ ଉତ୍ସବ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କ୍ଷଣିକ ଉତ୍ତେଜନା ମଧ୍ୟରେ ପ୍ରକାଶ ଟାଙ୍ଗିଆରେ ମା’ଙ୍କ ମୁଣ୍ଡକୁ ଏକ ଚୋଟ ପକାଇଥିଲା। ଏଭଳି ସ୍ଥିତିରେ ଅଦାଲତ ପ୍ରକାଶକୁ ଆଇପିସିର ଦଫା ୩୦୨ ପାର୍ଟ-୨‌ରେ ପ୍ରକାଶକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ପ୍ରକାଶିତ ରାୟ‌ରେ ଉଲ୍ଲେଖ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଜୁଲାଇ ୧୪ରେ ଘରେ ବିବାହ ଉତ୍ସବ ଚାଲିଥିବା ବେଳେ ପ୍ରକାଶର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମା’ ଆସି ସମାଧାନ କରିବାକୁ ଉଦ୍ୟମ କରିଥିଲେ। ପ୍ରକାଶ ଉତ୍ତେଜିତ ହୋଇ ଏକ ଟାଙ୍ଗିଆରେ ମା’ଙ୍କ ମୁଣ୍ଡକୁ ଚୋଟେ ପକାଇଥିଲା। ମା’ ସାବିତ୍ରୀଙ୍କୁ ଆଠଗଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ସଦସ୍ୟଙ୍କ ଏତଲା ପରେ ଚୌଦ୍ବାର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ତରଫରୁ ଅତିରିକ୍ତ ପିପି ଏ.ବି.ବେହେରା ଓ ଶର୍ମିଳା ରାଉତରାୟ ମାମଲା ପରିଚାଳନା କରୁଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button