ରାଜ୍ୟ

Nandankanan : ନନ୍ଦନକାନନ ପ୍ରାଣୀ ଊଦ୍ୟାନ ବାଘଙ୍କ ଭୂସ୍ୱର୍ଗ, ଅଛନ୍ତି ୩ ପ୍ରଜାତିର ୨୭ ବାଘ, ବାଘୁଣୀ, ରହିଛି ସ୍ୱତନ୍ତ୍ର ବାଘ ସଫାରୀ

ବାରଙ୍ଗ, ୨୯/୦୭ : ନନ୍ଦନକାନନ ପ୍ରାଣୀ ଊଦ୍ୟାନ ବାଘଙ୍କ ଭୂସ୍ୱର୍ଗ। ଦେଶ ବିଦେଶରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ବାଘ ଦେଖିବାକୁ ହିଁ ଆସିଥାନ୍ତି । ବିଶେଷ କରି ଧଳା ଓ କଳା ବାଘ ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରିଥାଏ । ଏବେ ପ୍ରାଣୀ ଉଦ୍ୟାନର ୧୦ଟି ଖୁଆଡ଼ ଓ ସଫାରୀରେ ମୋଟ ୨୭ଟି ବାଘ ବାଘୁଣୀ ଅଛନ୍ତି । ସେଥିମଧ୍ୟରେ ୫ଟି ଧଳା ଓ ୪ଟି କଳା ଲୋମଯୁକ୍ତ(ମେଲାନିଷ୍ଟିକ୍‌) ସହିତ ୧୮ଟି ସାଧାରଣ ରଙ୍ଗର ବାଘ ବାଘୁଣୀ ରହିଛନ୍ତି । ନନ୍ଦନକାନନ ଏକମାତ୍ର ଚିଡ଼ିଆଖାନା ଯେଉଁଠି ବାଘ ସଫାରୀ ଅଛି ।

ପ୍ରାଣୀଉଦ୍ୟାନରେ ଜଙ୍ଗଲୀ ବାଘ

ନନ୍ଦନକାନନ ଏପରି ସ୍ଥାନରେ ନିର୍ମାଣ ହୋଇଛି ଯେଉଁଠି ବାଘମାନେ ଜଙ୍ଗଲ ଭଳି ପରିବେଶ ମଧ୍ୟରେ ରହିଥାନ୍ତି । ତେଣୁ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଓ ବାଘୁଣୀ ପ୍ରତି ଆକର୍ଷିତ ହୋଇ ଏଠାକୁ ଜଙ୍ଗଲୀ ବାଘ ଚାଲି ଆସିବାର ଅନେକ ନଜିର ରହିଛି । ବାଘଙ୍କ ଏହି ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଚନ୍ଦକା ଜଙ୍ଗଲ ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ପଶି ଆସିଥିଲେ । ୧୯୬୭ ଜାନୁୟାରୀ ୪ରେ ପ୍ରଥମେ ‘କାନନ’ ନାମକ ଏକ ବାଘୁଣୀ ପ୍ରାଣୀଉଦ୍ୟାନରେ ରହୁଥିବା ବାଘ ‘ପ୍ରଦୀପ’ ପ୍ରେମରେ ପଡ଼ି ପଶିଆସିଥିଲା । ‘କାନନ’ ପ୍ରାଣୀ ଉଦ୍ୟାନରେ ରହି ପ୍ରାୟ ୧୧ ବର୍ଷ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥିଲା । ୧୯୭୮ ଜୁଲାଇ ୨୧ ରେ ‘କାନନ’ର ସ୍ୱଭାବିକ ମୃତ୍ୟୁ ହୋଇଥିଲା । କାନନକୁ ମନେରଖିବା ପାଇଁ ପ୍ରାଣୀଉଦ୍ୟାନର ଏକ ଛକର ନାମ ‘କାନନ ଛକ’ ନାମିତ କରାଯିବା ସହ ତା’ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ସେହିପରି ୨୦୧୩ ମାର୍ଚ୍ଚ ୨୪ରେ ‘ନନ୍ଦନ’ ନାମକ ଏକ ମହାବଳ ବାଘ ଶିମିଳିପାଳ ଜଙ୍ଗଲରୁ ବାଘୁଣୀ ‘ସାରା’ ପ୍ରେମରେ ପଡ଼ି ପ୍ରାଣୀ ଉଦ୍ୟାନର ତାରଜାଲି ଡେଇଁ ଭିତରକୁ ପ୍ରବେଶ କରିଥିଲା । କିନ୍ତୁ ବାଘୁଣୀ ‘ସାରା’ ସହିତ ‘ନନ୍ଦନ’ର ମିଳନ ହୋଇପାରିନଥିଲା । ୨୦୧୬ରେ ନନ୍ଦନକାନନରେ ଜନ୍ମିତ ବାଘୁଣୀ ‘ମେଘା’ ସହିତ ଓ ୨୦୨୩ରେ ବାଘୁଣୀ ‘ଅଙ୍କିତା’ ସହିତ ‘ନନ୍ଦନ’ର ମିଳନ ହେବା ଫଳରେ ୯ଟି (ବାହୁବଳୀ, କୁନ୍ଦନ, ଅଭୟ, ବିବେକ, ସୋହିନୀ, ଅମିତ, ଜୟଶ୍ରୀ, ଶ୍ରୀ, ତୃପ୍ତି) ଶାବକ ନନ୍ଦନକାନନକୁ ମିଳିଥିଲା । ୨୦୨୫ ମେ ୧୧ ତାରିଖରେ ‘ନନ୍ଦନ’ ପ୍ରାଣୀଉଦ୍ୟାନରେ ସବୁଦିନ ପାଇଁ ଆଖି ବୁଜିଥିଲା । କର୍ତ୍ତୃପକ୍ଷ ତା’ର ମଧ୍ୟ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା କରିଛନ୍ତି।

ସ୍ୱତନ୍ତ୍ର ‘ଧଳାବାଘ’ ସଫାରୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଳା ଓ ଧଳା ବାଘ ଜନ୍ମ ହେବା ଫଳରେ ଏହା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏବେ ପ୍ରାଣୀ ଉଦ୍ୟାନରେ ୪ଟି କଳାବାଘ ବାଘୁଣୀ ଓ ୫ଟି ଧଳା ବାଘ, ବାଘୁଣୀ ଅଛନ୍ତି । ୨୦୧୪ ଜୁଲାଇ ୨୭ରେ ସାଧାରଣ ରଙ୍ଗର ମହାବଳ ବାଘ ‘ମନୀଷ’ ଓ ଧଳା ବାଘୁଣୀ ‘ସ୍ନେହା’ର ମିଳନରେ ପ୍ରଥମ ଥର ପାଇଁ କଳା ବାଘ ‘କ୍ରିଷ୍ଣା’ ଜନ୍ମ ନେଇଥିଲା । ୨୦୧୮ ଡିସେମ୍ବର ୨୨ରେ ବାଘ ‘ସମ୍ରାଟ’ ଓ ବାଘୁଣୀ ‘ରେଣୁ’ ମିଳନରେ ଦୁଇ ବାଘ ‘ବାସୁ’ ଓ ‘ସ୍ପନ୍ଦନ’ ଜନ୍ମ ହୋଇଥିଲେ । ବାଘ ବଂଶ ବୃଦ୍ଧି ଓ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ରାଞ୍ଚିରୁ ଗୋଟିଏ କଳା ବାଘୁଣୀ ଅଣାଯାଇଛି । ସେହିପରି ଧଳା ବାଘ ପାଇଁ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ନନ୍ଦନକାନନ । ୧୯୮୦ରେ ସାଧାରଣ ରଙ୍ଗର ବାଘୁଣୀ ‘ଗଙ୍ଗା’ ଓ ସାଧାରଣ ରଙ୍ଗର ମହାବଳ ବାଘ ‘ଦୀପକ’ ମିଳନରୁ ୩ଟି ଧଳା ବାଘ( ଦେବବ୍ରତ୍ତ, ଅଳକା ଓ ନନ୍ଦ) ଜନ୍ମ ହୋଇଥିଲେ । ଏହା ପରଠାରୁ ବାଘ ସଂଖ୍ୟା ବୃଦ୍ଧି ହୋଇ ୨୦୦୦ ମସିହା ସୁଧା ପ୍ରାଣୀଉଦ୍ୟାନରେ ଧଳା ବାଘ ସଂଖ୍ୟା ପ୍ରାୟ ୩୪ରେ ପହଞ୍ଚିଥିଲା । ଧଳା ବାଘ ସଂଖ୍ୟା ବୃଦ୍ଧି ହେବାରୁ ପ୍ରାଣୀ ଉଦ୍ୟାନରେ ଏକ ଧଳା ବାଘ ସଫାରୀ ପ୍ରତିଷ୍ଠା ହୋଇଥିଲା । ସମୟ କ୍ରମେ ଧଳା ବାଘ ସଂଖ୍ୟା କମିବା ଫଳରେ ସଫାରୀରେ ସବୁ ପ୍ରକାର ବାଘଙ୍କୁ ଏବେ ରଖାଯାଇଛି । ଏବେ ପ୍ରାଣୀ ଉଦ୍ୟାନରେ ମାତ୍ର ୫ଟି ଧଳା ବାଘ ଓ ବାଘୁଣୀ ଅଛନ୍ତି ।

ମଣିଷ କୋଳରେ ବଢ଼ୁଛି ବାଘ

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜନ୍ମିତ ବାଘ ଛୁଆକୁ ମା’ ଗ୍ରହଣ ନକଲେ ଲାଳନପାଳନ କରିବାକୁ ଅଭିଜ୍ଞ କର୍ମଚାରୀ ରହିଛନ୍ତି । ଯାହା ଅନ୍ୟ କୌଣସି ଚିଡ଼ିଆଖାନାରେ ଦେଖିବାକୁ ମିଳେନାହିଁ । ବାଘ ଛୁଆକୁ ପାଳିବା କଷ୍ଟକର । ତେଣୁ ପ୍ରାଣୀ ଉଦ୍ୟାନରେ ନିର୍ମାଣ କରାଯାଇଛି ଶିଶୁ ଯତ୍ନ କେନ୍ଦ୍ର । ବାଘ ଶାବକକୁ ପାଳିବାର ସମସ୍ତ ପ୍ରକାର ଉନ୍ନତମାନର ମେସିନ ସହିତ ଅଭିଜ୍ଞ ଡାକ୍ତର ଅଛନ୍ତି । ବାଘ ଶାବକମାନଙ୍କୁ ମେସିନ ସହିତ ମଣିଷ ହାତର ସ୍ପର୍ଶରେ ମା’ କୋଳର ଅନୁଭୂତି ମିଳୁଛି । ଅନେକ ଶାବକ ଏଠାରେ ବଡ଼ ହୋଇଛନ୍ତି । ତେଣୁ ଏଠାରେ ବାଘ ବଂଶ ବୃଦ୍ଧି କରାଯାଇ ଅଦଳ ବଦଳ ପ୍ରକ୍ରିୟାରେ ଅନ୍ୟ ଜନ୍ତୁ ଅଣାଯାଇପାରୁଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button