Heavy Rain and Floods: ବର୍ଷା ଓ ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା; ଜଳକା, ବୈତରଣୀ ଓ ସାଳନ୍ଦୀର କ୍ରୋଧରେ ଠପ୍ ଜନଜୀବନ, ଘରମୁହାଁ ବନ୍ୟାଜଳ
ଉଛୁଳୁଛି ସୁବର୍ଣ୍ଣରେଖା, ସାଳନ୍ଦୀ, ବୁଢାବଳଙ୍ଗ । ଚାରିଆଡ଼େ ଖାଲି ପାଣି ଆଉ ପାଣି। ଯୁଆଡ଼େ ଚାହିଁବେ ବନ୍ୟା । କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ ।

ଭୁବନେଶ୍ୱର, ୨୯।୭: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା । ଜଳକା ନଦୀରେ ବନ୍ୟା । ମଥାନୀଠାରେ ବିପଦ ସଂକେତ ଉପରେ ବହୁଛି ଜଳକା । ଯାଜପୁରରେ ବୈତରଣୀରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଯାଜପୁର ରାସ୍ତାରେ ୫ ଫୁଟର ପାଣି ଚାଲୁଛି । ଭଦ୍ରକ ଛତାବର ବଳିଘାଇରୁ ଯାଜପୁର ଟାଉନ ମୁଖ୍ୟ ରାସ୍ତା ଯାଏ ସୁଅ କାଟୁଛି ପାଣି । ଉଛୁଳୁଛି ସୁବର୍ଣ୍ଣରେଖା, ସାଳନ୍ଦୀ, ବୁଢାବଳଙ୍ଗ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଯୁଆଡ଼େ ଚାହିଁବେ ବନ୍ୟା। କେଉଁଠି ଜଳବନ୍ଦୀ ଗାଁ ଆଉ କେଉଁଠି ବନ୍ୟା ଆଁରେ ଦୁର୍ବିସହ ଜୀବନ । ଆନନ୍ଦପୁର ବୈତରଣୀ ରିଙ୍ଗ ବନ୍ଧ ବଡ଼ ଘାଇ ସୃଷ୍ଟ ହୋଇଛି । ରିଙ୍ଗ ବନ୍ଧ ଭାଙ୍ଗି ଘରେ ପଶିଛି ପାଣି । ସୋରରେ ବୁଡ଼ି ଯାଇଛି ତଳନଗର ଛୋଟା ମଠ ବ୍ରିଜ୍ । ଭଦ୍ରକ ହାଲ ବି ବେହାଲ । ବୁଡ଼ିଛି ଗେଙ୍ଗୁଟି ପୋଲ। ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
କରଞ୍ଜିଆ:
ଶିମିଳିପାଳର ଉପର ମୁଣ୍ଡରେ ପ୍ରବଳ ବର୍ଷାରେ ଘାଇ ସୃଷ୍ଟି ହୋଇଛି । ଫଳରେ ଯଶିପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ଠପ୍ ହୋଇଛି । ଶିମିଳିପାଳ ଆଭ୍ୟନ୍ତର ଅଞ୍ଚଳରେ ଥିବା ଗୁରୁଗୁଡ଼ିଆ, ବରେହିପାଣି ଏବଂ ଅସ୍ତକୁଅଁର ଗ୍ରାମ ପଞ୍ଚାୟତ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ଯଶିପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ମହୁଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ଘାଇ ସୃଷ୍ଟି ହୋଇଛି । ରାସ୍ତା ମରାମତି ନହେଲା ପର୍ଯ୍ୟନ୍ତ ଲୋକେ ଚହଲା, ଜାମୁଆଁଣି ଦେଇ ଯଶିପୁରକୁ ଆସି ପାରିବେ ବୋଲି ବନବିଭାଗ ସୂଚନା ଦେଇଛି ।
ଉଦଳା:
ବୁଡ଼ିଲା ଅସ୍ଥାୟୀ ପୋଲ, ଧୋଇଗଲା ରାସ୍ତା। ଲଗାଣ ବର୍ଷା ଯୋଗୁଁ ଫୁଲିଛି ଦେଓ ନଦୀ । ଦେଓ ନଦୀ ଫୁଲିବା ଫଳରେ ଉଦଳା- ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ୬ ଫୁଟ୍ ରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ପୋଲ ଉଭୟ ପାର୍ଶ୍ଵର ରାସ୍ତା ଧୋଇ ଯିବାରୁ ଉଦଳା- ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ଉଦଳା ଏବଂ ଗୋପବନ୍ଧୁ ନଗର ବ୍ଲକ ପ୍ରାୟ ୮ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ଠପ ହୋଇଛି । ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଦେଖାଦେଇଛି ।
ସୋର:
ସୋରରେ ବନ୍ୟା ପାଣିରେ ବୁଡ଼ିଲା ବ୍ରିଜ୍ । ସୋର ତଳନଗର ଛୋଟା ମଠ ପୋଲ ବୁଡ଼ିଲା । ସବିରା ପଞ୍ଚାୟତ ରେଳ ଗଳାପୋଲ ବୁଡ଼ି ଯାଇଛି । ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲା ସୋର ବ୍ଲକ୍ ପିତାକାଳିଆ ନଦୀରେ ବନ୍ୟା । ତଳନଗର ଗ୍ରାମରୁ ରାତିରେ କିଛି ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୋର ଦମକଳ ବାହିନୀ ସହ ଗ୍ରାମବାସୀ ମିଶି ବିପଦ ପୂର୍ଣ୍ଣଭାବେ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି l ସ୍ଥାନୀୟ ପୂର୍ବତନ ସରପଞ୍ଚ ପ୍ରଫୁଲ ରାଉତ ଓ କିଛି ଗାଁ ଲୋକଙ୍କ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ହୋଇଥିଲା l ଲଗାଣ ବର୍ଷା ପରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ପିତାକାଳିଆ ନଦୀରେ ବନ୍ୟା ଆସିଛି । ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତଳନଗର ସଲାମପୁର ଗାଁରେ ଦୁଇ ମହିଳା ଝାଡ଼ାଵାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ଉଦ୍ଧାର କରିବାକୁ ବୋଟରେ ଯାଉଛନ୍ତି ସୋର ଦମକଳ ବାହିନୀ ।
ଭଦ୍ରକ:
ଭଦ୍ରକରେ ବୁଡ଼ିଲା ଗେଙ୍ଗୁଟି ପୋଲ । ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ । ପୋଲ ଉପରେ ଚାଲିଛି ୪ ଫୁଟର ବନ୍ୟା ଜଳ। ଭଦ୍ରକ ଦୋବଲ ପଞ୍ଚାୟତ ଜଳବନ୍ଦୀ ହୋଇଯାଇଛି । ଭଦ୍ରକ ଜିଲ୍ଲା ରେ ବନ୍ୟା ସ୍ଥିତି ସଙ୍ଗିନ ରହିଛି। ବୈତରଣୀ ସହ ସାଳନ୍ଦୀ ନଦୀ ରେ ବନ୍ୟା ଆସିଥିବା ବେଳେ ଭଦ୍ରକ ଜିଲ୍ଲାର ସ୍ଥିତି ସଙ୍ଗିନ କରିଛି । ସେହିପରି ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଆସୁରାଳି ଠାରେ ବନ୍ୟା ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୌଜନ୍ୟ ପ୍ରମେୟ




