ଦେଶ ବିଦେଶ

PM-Kisan Scheme Extension: ପିଏମ୍‌-କିଷାନ ଅବଧି ୫ ବର୍ଷ ବଢ଼ିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୧୯ ଫେବ୍ରୁଆରିରେ ଏହି ଯୋଜନା ଆରମ୍ଭ ହୋଇଥିଲା ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଇତି ମଧ୍ୟରେ ୨୩ଟି କିସ୍ତିରେ ୪.୪୭ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୪୮,୦୪୮ କୋଟି ଟଙ୍କା ଅଟକଳ ବିଶିଷ୍ଟ ସମୁଦ୍ର ମନ୍ଥନ ଯୋଜନାକୁ ଅନୁମୋଦନ କରାଯାଇଛି। ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ଯୋଜନାରେ ସରକାର ଅଧିକରୁ ଅଧିକ ତୈଳ ଓ ଗ୍ୟାସ୍‌ କ୍ଷେତ୍ର ସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସମୁଦ୍ର ମନ୍ଥନ ଯୋଜନା ପ୍ରଭାବରେ ୬୦୦ ନିୟୁତ ଟନ୍‌ ତୈଳ ଭଣ୍ଡାର ସନ୍ଧାନ ହୋଇପାରିବ ବୋଲି ଆଶା କରାଯାଉଛି।

ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ଯୋଜନାରେ ପାଞ୍ଚ ବର୍ଷରେ ୫୦୦୦ ମେଗାୱାଟ୍‌ ଭାସମାନ ସୌର ଶକ୍ତି କ୍ଷମତା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ଏହି କ୍ଷମତା ୭୦୦ ମେଗାୱାଟ୍‌ ରହିଛି ଯାହା ଆଗାମୀ ୫ ବର୍ଷରେ ପ୍ରାୟ ୭ ଗୁଣା ବଢ଼ିବାକୁ ଯାଉଛି। ଏହି ଯୋଜନାରେ ପ୍ରତି ମେଗାୱାଟ୍‌ ପାଇଁ ସରକାର ୧ କୋଟି ଟଙ୍କାର ସହାୟତା ଭାବେ ମୋଟ୍‌ ୫୦୭୦ କୋଟି ଟଙ୍କାର ସହାୟତା ଦେବେ। ଏହି ଯୋଜନା ପ୍ରଭାବରେ ୧୭ ହଜାର ପାଖାପାଖି ନୂତନ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଏଥି ସହିତ ବୈଠକରେ ସଂଶୋଧିତ ଖେଲୋ ଇଣ୍ଡିଆ ଯୋଜନା ମଧ୍ୟ ମଞ୍ଜୁର ହୋଇଛି। ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ଅଟକଳ ୩୬,୪୧୧ କୋଟି ଟଙ୍କା ରହିଛି ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button