Pakistan Claim: ପାକିସ୍ତାନରେ ୩୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଏଜେଣ୍ଟ: ଲସ୍କର ଆତଙ୍କୀ ରିଜୱାନର ବଡ଼ ଦାବି
ଗୁଇନ୍ଦା ସଂସ୍ଥା ଜରିଆରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନ ସୀମା ଭିତରେ ପଶି ଗତ କିଛି ବର୍ଷ ମଧ୍ୟରେ ୩୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିସାରିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଲସ୍କର ଆତଙ୍କବାଦୀମାନେ ଶାନ୍ତିରେ ରହିପାରୁନାହାନ୍ତି।

ନୂଆଦିଲ୍ଲୀ:ଗୁଇନ୍ଦା ସଂସ୍ଥା ଜରିଆରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନ ସୀମା ଭିତରେ ପଶି ଗତ କିଛି ବର୍ଷ ମଧ୍ୟରେ ୩୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିସାରିଛନ୍ତି। ନିଷିଦ୍ଧ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି)ର ଅପରେଟିଭ୍ ରିଜୱାନ୍ ହନିଫର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।
ଆତଙ୍କବାଦୀମାନେ ଶାନ୍ତିରେ ରହିପାରୁନାହାନ୍ତି
ଗତ ମେ’ ମାସର ଏହି ଭିଡିଓରେ ରିଜୱାନ୍ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କହିଛି ଯେ, ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଲସ୍କର ଆତଙ୍କବାଦୀମାନେ ଶାନ୍ତିରେ ରହିପାରୁନାହାନ୍ତି। ରିଜୱାନର ଦାବି ଅନୁଯାୟୀ, ଗତ ୩ରୁ ୪ ବର୍ଷ ମଧ୍ୟରେ ପାକିସ୍ତାନର ପେଶାୱାର, କରାଚୀ, ରାୱଲପିଣ୍ଡି, ମୁଜଫରାବାଦ ଏବଂ ରାୱଲାକୋଟ ଭଳି ବିଭିନ୍ନ ସହରରେ ସୁନିୟୋଜିତ ଭାବେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ବର୍ଷ ହେବ ପାକିସ୍ତାନରେ ଭାରତ ବିରୋଧୀ ଆତଙ୍କବାଦୀମାନେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିର ଶିକାର ହେଉଛନ୍ତି। ତେବେ ଭାଇରାଲ ଭିଡିଓର ସତ୍ୟତା ସ୍ୱତନ୍ତ୍ର ଭାବେ ଯାଞ୍ଚ ହୋଇପାରି ନାହିଁ ଏବଂ ଏହି ଦାବି ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ସୌଜନ୍ୟ ସମ୍ବାଦ




