ରାଜ୍ୟ

Jagatsinghpur Collector କଲେଜରେ ପାଠ ପଢ଼ାଇଲେ ଓ ଛାତ୍ରଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

ବାଲିକୁଦା କଲେଜରେ ଅଚାନକ ଗସ୍ତ କରି ଜିଲ୍ଲାପାଳ ଜେ. ସୋନାଲ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା ଶୁଣିଛନ୍ତି। ଶୂନ୍ୟ ପଦବି, ରାସ୍ତା, ପାର୍କିଂ, ଶୌଚାଳୟ ଓ ଖେଳପଡ଼ିଆ ଭଳି ଦାବି ଉପରେ ପଦକ୍ଷେପର ପ୍ରତିଶ୍ରୁତି ଦେଇଛନ୍ତି।

ବାଲିକୁଦା:ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ବାଲିକୁଦା କଲେଜରେ ଶୁକ୍ରବାର ଜିଲ୍ଲାପାଳ ଜେ. ସୋନାଲଙ୍କ ଅଚାନକ ଗସ୍ତକରି ଅଭିନବ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା କଥା ଶୁଣି ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି।

ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସହ ଜିଲ୍ଲାପାଳ  ପୂର୍ବାହ୍‌ଣରେ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ କଲେଜରେ ବିତାଇଥିଲେ। କଲେଜ ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ନାୟକ ଓ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିବା ବେଳେ କଲେଜର ଏନ୍‌ସିସି କ୍ୟାଡେଟ୍‌ମାନେ କଲେଜ ଫାଟକରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଶ୍ରେଣୀଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

କଲେଜ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲାପାଳ ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।  ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କ ଜ୍ଞାନର ପରୀକ୍ଷା କରିଥିଲେ।

ବର୍ତ୍ତମାନ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ବାଲିକୁଦା କଲେଜର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବା ବେଳେ, ଜିଲ୍ଲାପାଳ ଶିକ୍ଷକମାନଙ୍କ ସହ ବିସ୍ତୃତ ଆଲୋଚନା କରି ପ୍ରକୃତ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏପରିକି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମଧ୍ୟ ବିଭିନ୍ନ ଶିକ୍ଷାଗତ ପ୍ରସଙ୍ଗରେ ପ୍ରଶ୍ନ କରି ସେମାନଙ୍କ ମତାମତ ଜାଣିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସମ୍ମିଳିତ ଦସ୍ତଖତ ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସେଥିରେ ଶୂନ୍ୟ ପଦବି ପୂରଣ, ଜାତୀୟ ରାଜପଥ-୫୫ରୁ କଲେଜକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି, ସାଇକେଲ, ବାଇକ ଓ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା, ପର୍ଯ୍ୟାପ୍ତ ଶୌଚାଳୟ, ସୁରକ୍ଷିତ ବାଉଣ୍ଡାରୀ ପ୍ରାଚୀର ଏବଂ ଖେଳ ପଡ଼ିଆ ନିର୍ମାଣ ଭଳି ଦୀର୍ଘଦିନର ସମସ୍ୟା ଉଠାଇଥିଲେ। ଦାବିପତ୍ରକୁ ଗୁରୁତ୍ୱର ସହ ବିଚାର କରି ଯଥାସମ୍ଭବ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button