Education: ଶିକ୍ଷାରେ ପ୍ରୟୋଗ ହେବ ଏଆଇ: ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍କୁ ଗୁରୁତ୍ବ
ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ। ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗ କେନ୍ଦ୍ରରେ ରଖାଯିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।

ଭୁବନେଶ୍ବର: ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ। ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗ କେନ୍ଦ୍ରରେ ରଖାଯିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଲେ, ଶିକ୍ଷା ହେଉଛି ସମାବେଶୀ ବିକାଶ ଏବଂ ସହଭାଗୀ ସମୃଦ୍ଧିର ମୂଳଦୁଆ। ଆଜିର ବୈଠକରେ ଗୃହୀତ ହୋଇଥିବା ଘୋଷଣାନାମା ୫ଟି ପ୍ରାଥମିକତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ମଜଭୁତ କରିବ। ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନପ୍ରଣାଳୀର ସଂରକ୍ଷଣ, ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଏକ ପ୍ରାଚୀନ ଶିକ୍ଷା କେନ୍ଦ୍ର ଭାବେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ଭାରତର ଦୀର୍ଘସ୍ଥାୟୀ ସଭ୍ୟତାଗତ ମୂଲ୍ୟବୋଧ ‘ଅତିଥି ଦେବୋ ଭବ’ ଓ ‘ବସୁଧୈବ କୁଟୁମ୍ବକମ’ ଉପରେ ଆଲୋକପାତ କରିଥିଲେ। ବ୍ରିକ୍ସ ଦେଶଗୁଡ଼ିକର ପରମ୍ପରା ଓ ଅଭିଜ୍ଞତାରେ ଭିନ୍ନ ହୋଇପାରେ, କିନ୍ତୁ ସେମାନଙ୍କର ପ୍ରଗତି ପରସ୍ପର ସହିତ ଜଡ଼ିତ ବୋଲି ସେ କହିଥିଲେ। ଏଥିସହ ବ୍ରିକ୍ସ ସହଯୋଗୀଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ୍ତ୍ରୀ ଶ୍ରୀ ଯୋଶୀ ଦୋହରାଇଥିଲେ।
ସୌଜନ୍ୟ ସମ୍ବାଦ




