ରାଜ୍ୟ

Food: ଅପମିଶ୍ରିତ ଖାଦ୍ୟ ବିକ୍ରି ମାମଲା: ଓଡ଼ିଶାରେ ଦଣ୍ଡାଦେଶ ଶୂନ ‘ଆନାଲଗ୍‌ ପନିର’ ନିଷିଦ୍ଧ ପାଇଁ ଦାବି

ରାଜ୍ୟରେ ବେଧଡ଼କ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ। ଗତ ୫ବର୍ଷରେ ଓଡ଼ିଶାରେ ୧୨ଶହରୁ ଅଧିକ ଅପମିଶ୍ରିତ ଖାଦ୍ୟ ନମୁନା ଚିହ୍ନଟ ହୋଇଛି। ହେଲେ ଅପମିଶ୍ରିତ ଖାଦ୍ୟ ବିକ୍ରି କରି ଲୋକଙ୍କ ସ୍ବାସ୍ଥ୍ୟକୁ ବିପଦକୁ ଠେଲି ଦେଉଥିବା ଜଣେ ବି ଲୋକ ଜେଲ୍‌ ଯାଇନାହାନ୍ତି।

ଭୁବନେଶ୍ବର: ରାଜ୍ୟରେ ବେଧଡ଼କ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ। ଗତ ୫ବର୍ଷରେ ଓଡ଼ିଶାରେ ୧୨ଶହରୁ ଅଧିକ ଅପମିଶ୍ରିତ ଖାଦ୍ୟ ନମୁନା ଚିହ୍ନଟ ହୋଇଛି। ହେଲେ ଅପମିଶ୍ରିତ ଖାଦ୍ୟ ବିକ୍ରି କରି ଲୋକଙ୍କ ସ୍ବାସ୍ଥ୍ୟକୁ ବିପଦକୁ ଠେଲି ଦେଉଥିବା ଜଣେ ବି ଲୋକ ଜେଲ୍‌ ଯାଇନାହାନ୍ତି। ତାମିଲନାଡ଼ୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ମାମଲାରେ ଦଣ୍ଡାଦେଶ ହେଉଥିବା ବେଳେ ଓଡ଼ିଶା ପଛରେ ପଡ଼ିଛି। ନିକଟରେ ସଂସଦରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ରଖିଥିବା ତଥ୍ୟରୁ ଏଭଳି ସୂଚନା ମିଳିଛି।

ଓଡ଼ିଶାରେ ବିକ୍ରି ଅଧିକାଂଶ ଖାଦ୍ୟ ଯେ ଭେଜାଲ୍‌ ତାହା ସରକାରଙ୍କ ନିଜସ୍ବ ତଥ୍ୟରୁ ସାମ୍ନାକୁ ଆସିଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରି ହେଉଥିବା ତେଲ, ବିସ୍କୁଟ, ମସଲା, ହର୍ଲିକ୍ସ, ମଇଦା, ଛତୁଆ, ଟମାଟୋ କେଚ୍‌ଅପ୍‌, ଅଟା, ଚିନି, ପନିର, ପାମ୍ପଡ଼, ସୁଜି, ବେସନ, ଘିଅ, ଖଜୁରି, ସୋୟା ବଡ଼ି ଓ ଅନ୍ୟ ବହୁ ଖାଦ୍ୟସାମଗ୍ରୀ ଅପମିଶ୍ରିତ। ୨୦୨୪-୨୫ ମସିହାରେ ବିଭିନ୍ନ ଜିଲ୍ଲାରେ ୩ଶହରୁ ଅଧିକ ଅପମିଶ୍ରିତ ଖାଦ୍ୟ ନମୁନା ଚିହ୍ନଟ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦ରୁ ଅଧିକ ଥିଲା। ଏହାବାଦ୍‌ ସୁନ୍ଦରଗଡ଼, ରାୟଗଡ଼ା, ଭଦ୍ରକକଟକଗଞ୍ଜାମ ଭଳି ଜିଲ୍ଲାରେ ମଧ୍ୟ ଏହି ସଂଖ୍ୟା କିଛି କମ୍‌ ନୁହେଁ।

ଏବେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଓଡ଼ିଶାରେ ଅପମିଶ୍ରିତ ଖାଦ୍ୟର ବିକ୍ରି ନେଇ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତନ ବା ଏନ୍‌ଫୋର୍ସମେଣ୍ଟ ଆଭିମୁଖ୍ୟକୁ ପଦାରେ ପକାଇଛି। ୨୦୨୫-୨୬ବର୍ଷରେ ରାଜ୍ୟରେ ୧୧୧୦ଟି ନମୁନା ପରୀକ୍ଷା ହୋଇଛି। ତହିଁରୁ ୬୧ଟି ଅପମିଶ୍ରିତ ଖାଦ୍ୟ ନମୁନା ଚିହ୍ନଟ ହୋଇଛି। ହେଲେ ଜରିମାନା କିମ୍ବା ଜେଲ୍‌ ଦଣ୍ଡାଦେଶ ଶୂନ। ୨୦୨୪-୨୫ବର୍ଷରେ ୨୨୮୨ଟି ନମୁନାରୁ ୨୭୩ଟି ନମୁନା ଅପିମିଶ୍ରିତ ରହିଛି। ଅର୍ଥାତ୍‌ ପ୍ରତି ୧୨ଟି ନମୁନାରୁ ଗୋଟିଏ ଅପମିଶ୍ରିତ। ଏହିବର୍ଷ ୨୭ ଜଣ ବିକ୍ରେତାଙ୍କଠାରୁ କେବଳ ଜରିମାନା ଆଦାୟ ହୋଇଛି। ରାଜ୍ୟରେ ଖାଦ୍ୟ ନମୁନା ପରୀକ୍ଷା ନେଇ ରାଜ୍ୟରେ ଗୋଟିଏ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ରହିଛି। ଏହାସହ ଭୁବନେଶ୍ବରରେ ଖାଦ୍ୟ ପରୀକ୍ଷାଗାର କାର୍ଯ୍ୟକ୍ଷମ ଥିବା ବେଳେ ପୁରୀରେ ମଧ୍ୟ ପ୍ରତିଷ୍ଠା କରାଯାଉଛି। ହେଲେ କେଉଁ କାରଣ ପାଇଁ ଓଡ଼ିଶାରେ ଅପମିଶ୍ରିତ ଖାଦ୍ୟ ବିକ୍ରେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ଆଶ୍ଚର୍ଯ୍ୟ କରିଛି।

ଅପରପକ୍ଷରେ ଛତିଶଗଡ଼, ଗୁଜରାଟ ପରେ ମହାରାଷ୍ଟ୍ର ଦେଶର ତୃତୀୟ ରାଜ୍ୟଭାବେ ବିନା ଦୁଗ୍ଧଯୁକ୍ତ ପନିର ବା ‘ଆନାଲଗ୍‌ ପନିର’କୁ ବର୍ଷେ ପାଇଁ ନିଷିଦ୍ଧ ଘୋଷଣା କରିଛି। ଆନାଲଗ୍‌ ପନିର ଦେଖିବାକୁ ଚିକ୍କଣ ଓ ସ୍ବାଦ ମଧ୍ୟ ପ୍ରାୟ ଅସଲି ପନିର ଭଳି। ଏଭଳି ପନିର କ୍ଷୀର ନୁହେଁ ବରଂ ତାଳ ତେଲ, ଭେଜିଟେବୁଲ ଫ୍ୟାଟ୍‌, ମଣ୍ଡ ବା ଷ୍ଟାର୍ଚ ଓ ଗ୍ଲିସେରିଲ୍‌ ମନୋଷ୍ଟିଏରେଟ୍‌ ପାଉଡ୍‌ରରୁ ପ୍ରସ୍ତୁତ କରାଯାଉଛି। ଅସଲି ପନିର ତୁଳନାରେ ଏଥିରେ କମ୍‌ ଖର୍ଚ୍ଚ ହେଉଛି। ଲୋକଙ୍କ ଅଜାଣତରେ ହୋଟେଲ ଓ ରୋସ୍ତୋରଁରେ ଏହାର ବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ପନିର ଖାଇବା ଫଳରେ ପାଚନକ୍ରିୟାରେ ସମସ୍ୟା, କୋଲେଷ୍ଟରଲ ବୃଦ୍ଧି, ହୃଦ୍‌ରୋଗ ଓ ଶରୀରକୁ ଆବଶ୍ୟକ ପୋଷକତତ୍ତ୍ବ ମିଳି ନ ଥାଏ। ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଭଳି ପନିରକୁ ନିଷିଦ୍ଧ ଘୋଷଣା କରିବା ଲାଗି ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି କରାଯାଉଛି। ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ଅଧିକାରୀ କହିଛନ୍ତି, ଓଡ଼ିଶାରେ ବିକ୍ରି ହେଉଥିବା ପନିର ଯାଞ୍ଚ ପାଇଁ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇନାହିଁ। ଆହୁରି ୮୪ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ଦେବା ଲାଗି ପ୍ରକ୍ରିୟା ଚାଲିଛି। ମାନବ ସମ୍ବଳ ନିୟୋଜିତ ହେବା ପରେ ଅଧିକ ସଂଖ୍ୟାରେ ଯାଞ୍ଚ ଆରମ୍ଭ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button