World Cup 2027: ଇଣ୍ଡିଜକୁ ବଡ଼ ଝଟକା ! ୨୦୨୭ ବିଶ୍ୱକପରେ ଡାଇରେକ୍ଟ ଏଣ୍ଟ୍ରୀ ବାଟ ବନ୍ଦ, ଆଫଗାନ୍ ବିଗାଡିଲା ଖେଳ

ନୂଆଦିଲ୍ଲୀ,୧୦/୦୮; ଏକଦା ଦୁର୍ଦ୍ଦଶ ଟିମ୍ ବୋଲାଉଥିଲା । ବିଶ୍ୱ କ୍ରିକେଟରେ ରାଜ କରୁଥିଲା । ୨ ଥରର ବିଶ୍ୱ ବିଜୟୀ ଟିମ୍ । ଏବେ ପୁଣି ଅଡୁଆରେ ପଡିଛି ଦଳ । ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଆଗାମୀ ଦିନିକିଆ ବିଶ୍ୱକପ୍ ୨୦୨୭କୁ ସିଧାସଳଖ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ଫଳରେ ଦଳ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ । ଚଳିତ ଆଫଗାନିସ୍ତାନ ଆୟର୍ଲାଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଆଫଗାନିସ୍ତାନ ୯୨ରନ୍ରେ ବିଜୟୀ ହେବା ପରେ ୱେଷ୍ଟଇଣ୍ଡିଜ୍ର ସିଧାସଳଖ ଟିକେଟ୍ ଆଶା ମଉଳି ଯାଇଥିଲା । ବିଶ୍ୱକପ ୨୦୨୭ରେ ସିଧା ସଳଖ ସ୍ଥାନ ବଜାୟ ରଖିବାକୁ ବିଫଳ ହୋଇଛି ଇଣ୍ଡିଜ ଟିମ୍ ।
ଅନ୍ୟ ପଟରେ ଆଫଗାନିସ୍ତାନ ଦଳ ସିଧାସଳଖ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବା ନିଶ୍ଚିତ ହୋଇଛି । ନିୟମ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଆୟୋଜକ ଦଳ ଭାବେ ସିଧାସଳଖ ଟିକେଟ୍ ହାସଲ କରିଛନ୍ତି । ଆଇସିସି ମାନ୍ୟତା ତାଲିକା ଆଧାରରେ ଆଉ ୮ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପ୍ରକାଶିତ ହେବାକୁ ଥିବା ମାନ୍ୟତା ତାଲିକାରେ ଶ୍ରେଷ୍ଠ ୭ଟି ଦଳ ଟିକେଟ ପାଇବେ । ୱେଷ୍ଟଇଣ୍ଡିଜ୍ ଏବେ ଦଶମ ସ୍ଥାନରେ ରହିଛି । ଆଫଗାନିସ୍ତାନ ଅଷ୍ଟମ ଓ ବାଂଲାଦେଶ ନବମ ସ୍ଥାନରେ ରହିଛନ୍ତି । ଜିମ୍ବାୱେ ୧୧ତମ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ୍ ଦଳ ଆସନ୍ତା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଭାରତ ଗସ୍ତ କରି ଦିନିକିଆ ସିରିଜ ଖେଳିବ । ମାତ୍ର ଏହି ସିରିଜ ଜିତିଲେ ମଧ୍ୟ ଦଳର ମାନ୍ୟତାରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଫଳରେ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ପୂରଣ କରିବାକୁ ହେଲେ ୱେଷ୍ଟଇଣ୍ଡିଜ୍କୁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।
ଯୋଗ୍ୟତା ପର୍ଯ୍ୟାୟରୁ ବାକି ୪ଟି ଦଳ ଟିକେଟ୍ ପାଇବେ । ଏଥର ମୋଟ ୧୪ଟି ଦଳ ବିଶ୍ୱକପ୍ରେ ଭାଗ ନେବେ । ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆଗାମୀ ୨୦୨୭ ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନାମିବିୟା ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ । ୨ଥର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଦଳ ପୂର୍ବ ୨ଟି ସଂସ୍କରଣ (୨୦୧୯, ୨୦୨୩) ରେ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିପାରିନଥିଲା । ୨୦୧୯ରେ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳି ଦଳ ଟିକେଟ୍ ହାସଲ କରିଥିଲା । ମାତ୍ର ୨୦୨୩ରେ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଫଳରେ ଦଳ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଥିଲା ।
ସୌଜନ୍ୟ ପ୍ରମେୟ




