ଅପରାଧ

Cyber fraud: ୧୫.୭୧ କୋଟିର ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ, ୯ ଗିରଫ

ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଜିଲ୍ଲାର ସାଇବର ପୁଲିସ ଏକ ବଡ଼ ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ କରି ୯ ଜଣଙ୍କୁ ଗିରଫ କରିଛି। ଦେଶବ୍ୟାପୀ ନିବେଶ ଠକେଇ ଓ ନକଲି ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କା ହେରଫେର ସହ ଏହି ନେଟୱର୍କ ଜଡ଼ିତ ଥିବା ପୁଲିସ କହିଛି।

ନୂଆଦିଲ୍ଲୀ: ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଜିଲ୍ଲାର ସାଇବର ପୁଲିସ ଏକ ବଡ଼ ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ କରି ୯ ଜଣଙ୍କୁ ଗିରଫ କରିଛି। ଦେଶବ୍ୟାପୀ ନିବେଶ ଠକେଇ ଓ ନକଲି ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କା ହେରଫେର ସହ ଏହି ନେଟୱର୍କ ଜଡ଼ିତ ଥିବା ପୁଲିସ କହିଛି।

ଏହି ନେଟୱର୍କ ବିରୋଧରେ ଏନ୍‌ସିଆରପିରେ ୩୪ଟି ଅଭିଯୋଗ ରହିଥିବା ବେଳେ ଠକେଇର ପରିମାଣ ୧୫.୭୧ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହାର ଦୁବାଇ ଓ କତର ସହ ସମ୍ପର୍କ ଥିବା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜମାଲୁଦ୍ଦିନ ଫୈସଲ (୩୦), ସରବଜିତ ସିଂହ (୪୩), ସୋନିଆ ଶର୍ମା (୪୨), ଶୋଏବ ଦିଲାୱର ସାୟଦ (୨୬), ସିଦ୍ଦିକି ମହମଦସିଦ୍ଦିକ ମୁଫିଦଭାଇ (୩୦), ଶେଖ ରିୟାଜୁଦ୍ଦିନ ଇମତିୟାଜ (୨୯), ହମଜା ହୁମାୟୁ (୨୬), କମାଲଶା କାଦରଶାହ (୩୦) ଓ ମୁଜାମିଲ ଥୈବ (୨୦)। ସେମାନଙ୍କୁ ମହାରାଷ୍ଟ୍ର, କେରଳ, ଗୁଜରାଟ ଓ ପଞ୍ଜାବରୁ ଗିରଫ କରାଯାଇଛି।

ପାଲମ କଲୋନିର ଜଣେ ବାସିନ୍ଦା ନିବେଶ ସମ୍ପର୍କିତ ତଥ୍ୟ ଦେବା ପାଇଁ ତିଆରି ଏକ ସୋସିଆଲ ମିଡିଆ ଗ୍ରୁପ୍‌ରେ ଯୋଗଦେବା ପରେ ଏହି ଠକେଇର ଶିକାର ହୋଇଥିଲେ। ପୁଲିସ ଅନୁଯାୟୀ, ଅଭିଯୁକ୍ତମାନେ ନିଜକୁ ବଜାର ବିଶ୍ଳେଷକ ଓ ନିବେଶ ବିଶେଷଜ୍ଞ ଭାବେ ପରିଚୟ ଦେଉଥିଲେ। ନକଲି ଟ୍ରେଡିଂ ଆପ୍‌ରେ ଲାଭ ଦେଖାଇ ସେମାନେ ଲୋକଙ୍କୁ ଟଙ୍କା ନିବେଶ କରିବାକୁ ପ୍ରଲୋଭିତ କରୁଥିଲେ। ପୀଡ଼ିତ ପ୍ରଥମେ ବିଭିନ୍ନ ବ୍ୟାଙ୍କ ଖାତାରେ ୪.୮୨ ଲକ୍ଷ ଟଙ୍କା ଜମା କରିଥିଲେ। ବିଶ୍ୱାସ ସୃଷ୍ଟି ପାଇଁ ତାଙ୍କୁ କିଛି ଟଙ୍କା ଉଠାଇବାର ସୁଯୋଗ ଦିଆଯାଇଥିଲା। ପରେ ଆଇପିଓ ଆବଣ୍ଟନ ହେବ ବୋଲି କହି ଆଉ ୭.୮୧ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ସନ୍ଦେହ ହେବାରୁ ସେ ଏନ୍‌ସିଆର୍‌ପିରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଟଙ୍କା ନେଣଦେଣ ଓ ଡିଜିଟାଲ ପ୍ରମାଣ ଯାଞ୍ଚ ଆରମ୍ଭ କରିଥିଲା।

ତଦନ୍ତକାରୀ ଦଳ ପ୍ରଥମେ ମହାରାଷ୍ଟ୍ରର ନନ୍ଦୁରବାରରୁ ଶୋଏବଙ୍କୁ ଗିରଫ କରିଥିଲା। ତାଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚରୁ ଚାଟ୍‌ ଓ ଅନ୍ୟ ଡିଜିଟାଲ ପ୍ରମାଣ ମିଳିଥିଲା। ଶୋଏବ ଅନ୍ୟ ୪ ଜଣଙ୍କ ସହ କେରଳ ଯାଇ ସେଠାରେ ବ୍ୟବସାୟିକ ସଂସ୍ଥା ଗଠନ କରିବା ସହ କରେଣ୍ଟ ଆକାଉଣ୍ଟ ଖୋଲିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ସିଦ୍ଦିକି ମହମଦସିଦ୍ଦିକ ମୁଫିଦଭାଇ, ଶେଖ ରିୟାଜୁଦ୍ଦିନ ଇମତିୟାଜ, ହମଜା ହୁମାୟୁ ଓ କମାଲଶା କାଦରଶାହଙ୍କୁ ସୁରତରୁ ଗିରଫ କରାଯାଇଥିଲା। ସେମାନେ ନକଲି କମ୍ପାନି ଖୋଲି ସାଇବର ଠକେଇର ଟଙ୍କା ବିଭିନ୍ନ ଖାତାକୁ ପଠାଇବା ପାଇଁ କରେଣ୍ଟ ଆକାଉଣ୍ଟ ବ୍ୟବହାର କରୁଥିବା ଅଭିଯୋଗ ରହିଛି। ପରେ କେରଳରୁ ଜମାଲୁଦ୍ଦିନ ଫୈସଲ ଓ ମୁଜାମିଲ ଥୈବଙ୍କୁ ଏବଂ ପଞ୍ଜାବରୁ ସରବଜିତ ସିଂହ ଓ ସୋନିଆ ଶର୍ମାଙ୍କୁ ଗିରଫ କରାଯାଇଥିଲା। ସରବଜିତ ଓ ସୋନିଆ ସାଇବର ଠକେଇର ଟଙ୍କା ଲୁଚାଇବା ଓ ହେରଫେର କରିବା ସହ ନକଲି ବ୍ୟାଙ୍କ ଖାତା ପରିଚାଳନା କରୁଥିବା ପୁଲିସର ଅଭିଯୋଗ।

ପୁଲିସ କହିଛି, ପଚରାଉଚରା ବେଳେ ଜମାଲୁଦ୍ଦିନ କତରରେ ରହିବା ସମୟରେ ସାଇବର ଠକେଇ ନେଟୱର୍କ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କହିଥିଲେ। ସାମ୍‌ ଓରଫ୍‌ ସମୀର ନାମକ ଜଣେ ସନ୍ଦେହଜନକ ମୁଖ୍ୟ ସମନ୍ୱୟକାରୀ ଦୁବାଇରୁ ନେଟୱର୍କ ଚଳାଉଥିବା ଅଭିଯୋଗ ରହିଛି। ସାମ୍‌, ରିୟା ଓ ଫରହାଜଙ୍କ ଭୂମିକା ସହ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଛି। ଏହି ଗିରଫଦାରୀ ପରେ ଦିଲ୍ଲୀରେ ପ୍ରାୟ ୨.୭୦ କୋଟି ଟଙ୍କାର ଠକେଇ ସହ ଜଡ଼ିତ ୭ଟି ମାମଲାର ସମାଧାନ ହୋଇଥିବା ପୁଲିସ କହିଛି। ପୁଲିସ ୮ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେଥିରୁ ଚାଟ୍‌, ବ୍ୟାଙ୍କିଂ ରେକର୍ଡ, କେୱାଇସି ଦସ୍ତାବିଜ, ଖାତା ଖୋଲିବା ଫର୍ମ ଓ ଟଙ୍କା ନେଣଦେଣ ସମ୍ପର୍କିତ ତଥ୍ୟ ମିଳିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button