Gautam Adani Case: “ପ୍ରଧାନମନ୍ତ୍ରୀ ଦେଶର ସ୍ୱାର୍ଥକୁ ବଳି ପକାଇଛନ୍ତି”: ଗୌତମ ଅଦାନୀଙ୍କ ମାମଲା ରଦ୍ଦକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ
ଆମେରିକା ଆଞ୍ଚଳିକ ଆଦାଲତ ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାଣୀ ଓ ଅନ୍ୟମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ସ୍ଥାୟୀ ଭାବେ ଖାରଜ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ନୂଆଦିଲ୍ଲୀ: ଆମେରିକା ଆଞ୍ଚଳିକ ଆଦାଲତ ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାଣୀ ଓ ଅନ୍ୟମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ସ୍ଥାୟୀ ଭାବେ ଖାରଜ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବୁଧବାର ସୋସିଆଲ ମିଡିଆ ”ଏକ୍ସ”ରେ ଏକ ପୋଷ୍ଟ କରି ରାହୁଲ ଦାବି କରିଛନ୍ତି ଯେ ଏହି ନିଷ୍ପତ୍ତି ପଛରେ ଅନେକ ଗୁପ୍ତ କଥା ରହିଛି ଏବଂ ଜଣେ ସମ୍ପୂର୍ଣ୍ଣ ବୁଝାମଣା କରିଥିବା ପ୍ରଧାନମନ୍ତ୍ରୀ ଭାରତର ସ୍ୱାର୍ଥକୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ସମଗ୍ର ଦେଶକୁ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି।
କୋର୍ଟ ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ନାହାନ୍ତି
ସୂଚନାଯୋଗ୍ୟ ଯେ, ନ୍ୟୁୟର୍କର ଇଷ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି ନିକୋଲାସ ଗାରାଉଫିସ୍ ଆମେରିକା ନ୍ୟାୟ ବିଭାଗର ଅନୁରୋଧ କ୍ରମେ ଅଦାନୀ ଗ୍ରୁପର କର୍ମକର୍ତ୍ତାଙ୍କ ବିରୋଧରେ ଥିବା ସିକ୍ୟୁରିଟିଜ୍ ଫ୍ରଡ୍ ଓ ୱାୟାର ଫ୍ରଡ୍ ସଂକ୍ରାନ୍ତୀୟ ଅପରାଧିକ ଅଭିଯୋଗଗୁଡ଼ିକୁ ସ୍ଥାୟୀ ଭାବେ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଅଦାଣୀ ଗ୍ରୁପ୍ ଉପରେ ଦୀର୍ଘ ଦୁଇ ବର୍ଷ ଧରି ରହିଥିବା ଆଇନଗତ ଆଶଙ୍କା ହଟିଯାଇଛି। ତେବେ ୪୭ ପୃଷ୍ଠାର ଏହି ନିର୍ଦ୍ଦେଶନାମାରେ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ମାମଲା ରଦ୍ଦ ହେବାର ଅର୍ଥ ଅଭିଯୋଗଗୁଡ଼ିକ ମିଥ୍ୟା କିମ୍ବା ନିରାଧାର ବୋଲି କୋର୍ଟ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ନାହାନ୍ତି। କୋର୍ଟରେ କୌଣସି ବିଚାର ହୋଇନଥିବାରୁ ସାକ୍ଷୀ କିମ୍ବା ପ୍ରମାଣର ଆଇନଗତ ଯାଞ୍ଚ ହୋଇପାରିନାହିଁ।
ଅପରପକ୍ଷରେ, ଅଦାନୀ ଗ୍ରୁପ୍ ପୂର୍ବରୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ଭାରତୀୟ ଓ ଆନ୍ତର୍ଜାତୀୟ ଆଇନର ସମ୍ପୂର୍ଣ୍ଣ ପାଳନ କରିଥିବା ଦୋହରାଇଥିଲା। ଆମେରିକା ନ୍ୟାୟ ବିଭାଗ ମାମଲା ପ୍ରତ୍ୟାହାର ପାଇଁ ଆବେଦନ କରିବା ବେଳେ ଦର୍ଶାଇଥିଲା ଯେ, ଅଭିଯୋଗଗୁଡ଼ିକ ମୁଖ୍ୟତଃ ଭାରତୀୟ ସୀମାରେ ଘଟିଥିବା ଏବଂ ଏଥିରେ କୌଣସି ନିବେଶକଙ୍କର ଆର୍ଥିକ କ୍ଷତି ହୋଇନଥିବାରୁ ଏହାକୁ ଆଗକୁ ବଢ଼ାଇବା ନ୍ୟାୟସଙ୍ଗତ ନୁହେଁ। କୋର୍ଟଙ୍କ ନିଷ୍ପତ୍ତି ପରେ ଗୌତମ ଅଦାନୀ ଏହାକୁ ସାଧୁବାଦ ଜଣାଇବା ସହ ବିଚାର ବ୍ୟବସ୍ଥା ପ୍ରତି ନିଜର ଗଭୀର ସମ୍ମାନ ପ୍ରକଟ କରିଛନ୍ତି। ତେବେ ଭାରତରେ ଏହି ମାମଲାକୁ ନେଇ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଭାବେ ଟାର୍ଗେଟ୍ କରିବାରେ ଲାଗିଛନ୍ତି।
ସୌଜନ୍ୟ ସମ୍ବାଦ




