Parliament: ସଂସଦ ବାହାରେ ଏନ୍ଡିଏ-ଇଣ୍ଡିମେଣ୍ଟ ସାଂସଦ ମୁହାଁମୁହିଁ; ଝାଡ଼ଖଣ୍ଡ ପ୍ରତିବାଦ ଓ ରାମମନ୍ଦିର ଦାନ ପ୍ରସଙ୍ଗରେ ନାରାବାଜି
ଏହା ପୂର୍ବରୁ ଏନ୍ଡିଏ ଓ ବିରୋଧୀ ସାଂସଦମାନେ ପୃଥକ୍ ଭାବେ ପ୍ରତିବାଦ କରିଥିଲେ। ଏନ୍ଡିଏ ସାଂସଦମାନେ ମକର ଦ୍ବାରର ପାହାଚରେ ବସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନାରା ଦେଇଥିଲେ ।

ନୂଆଦିଲ୍ଲୀ, ୧୩/୮: ଝାଡ଼ଖଣ୍ଡରେ ଚାକିରି ଆଶାୟୀ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ଗୁରୁବାର ସଂସଦର ମକର ଦ୍ବାର ନିକଟରେ ଶାସକ ଏନ୍ଡିଏ ଓ ବିରୋଧୀ ଇଣ୍ଡିମେଣ୍ଟ ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ ନାରା ଦେବାରୁ ସୁରକ୍ଷାକର୍ମୀମାନେ ମଝିରେ ମାନବଶୃଙ୍ଖଳା କରି ଦୁଇ ଦଳକୁ ପୃଥକ୍ କରିଥିଲେ ।
ଏହା ପୂର୍ବରୁ ଏନ୍ଡିଏ ଓ ବିରୋଧୀ ସାଂସଦମାନେ ପୃଥକ୍ ଭାବେ ପ୍ରତିବାଦ କରିଥିଲେ। ଏନ୍ଡିଏ ସାଂସଦମାନେ ମକର ଦ୍ବାରର ପାହାଚରେ ବସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନାରା ଦେଇଥିଲେ । ଝାଡ଼ଖଣ୍ଡର ଛାତ୍ର ପ୍ରତିବାଦ ପ୍ରସଙ୍ଗରେ ସଂସଦରେ ଆଲୋଚନାରୁ ରାହୁଲ ଦୂରେଇ ଯାଉଛନ୍ତି ବୋଲି ଏନ୍ଡିଏ ସାଂସଦମାନେ ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷରେ, ବିରୋଧୀ ସାଂସଦମାନେ ଜୁଲାଇ ୨୦ରେ ନିଟ୍ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଛାତ୍ରଙ୍କ ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉତ୍ତରଦାୟିତ୍ବ ଦାବି କରିଥିଲେ । ବିରୋଧୀ ସାଂସଦମାନେ ପ୍ଲାକାର୍ଡ ଧରି ମକର ଦ୍ବାର ସମ୍ମୁଖରେ ଠିଆ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ କଂଗ୍ରେସ, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସର ସାଂସଦ ଥିଲେ । ରାମମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ସେମାନେ ବିଜେପି ବିରୋଧରେ ନାରା ଦେବା ସହ ଏକ ବଡ଼ ବ୍ୟାନର ଧରିଥିଲେ, ଯେଉଁଥିରେ ‘ଚାନ୍ଦା କିଏ ଲୁଟିଛି?’ ବୋଲି ଲେଖା ଥିଲା । ଏହି ପରସ୍ପର ବିରୋଧୀ ପ୍ରତିବାଦ ଯୋଗୁଁ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟ ସଂସଦ ପରିସରରେ ରାଜନୈତିକ ଉତ୍ତେଜନା ଜାରି ରହିଥିଲା ।
ସୌଜନ୍ୟ ସମ୍ବାଦ




