ରାଜ୍ୟ

ଟଙ୍କା ନୁହେଁ, ATMରୁ ମିଳିବ ଚାଉଳ.. ଢେଙ୍କାନାଳରେ ଖୋଲିବ ‘ରାଇସ୍ ATM’, ରାସନ କାର୍ଡର ନମ୍ବର ଓ ଟିପ୍ପଚିହ୍ନ ଦେଇ ନେପାରିବେ ହିତାଧିକାରୀ

ଢେଙ୍କାନାଳ,୨୪/୦୮: ଏଟିଏମ୍‌ରୁ ଟଙ୍କା  ଉଠାଇବା ସମସ୍ତେ ଜାଣନ୍ତି । ଏବେ କିନ୍ତୁ ଏଟିଏମ୍‌ରୁ  ଚାଉଳ ବାହାରିବ । ଚାଉଳ ଏଟିଏମ୍‌ରେ ରାସନ  କାର୍ଡର ନମ୍ବର ମାରି ବାୟୋମେଟ୍ରିକ୍‌ ଟିପ୍ପଚିହ୍ନ ଦେଇ  ହିତାଧିକାରୀ ଚାଉଳ ନେଇପାରିବେ । ଭୁବନେଶ୍ୱର,  ଝାରସୁଗୁଡ଼ା ପରେ ଏବେ ଢେଙ୍କାନାଳରେ  ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍‌ । ଯୋଗାଣ  ବିଭାଗ ପକ୍ଷରୁ ‘ଅନ୍ନପୂର୍ତ୍ତି’ ଯୋଜନାରେ ଏଭଳି  ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୩୧  ତାରିଖରୁ ଢେଙ୍କାନାଳ ଆର୍‌ଟିଓ ଅଫିସ୍‌ ନିକଟରେ  ଚାଉଳ ଏଟିଏମ୍‌ ଖୋଲିବ । ଏଟିଏମ୍‌ ପ୍ରତିଷ୍ଠା  କାମ ଜାରି ରହିଛି । ରବିବାର ଏକ ବୈଷୟିକ  ଦଳ ଏହାର ପରୀକ୍ଷା କରିଦେଖିଛନ୍ତି । ସାଧାରଣ  ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ହିତାଧିକାରୀଙ୍କ ସୁବିଧା  ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଛି ।

ରାସନ କାର୍ଡର ଇ-କେୱାଇସି କରାଯିବା  ପରେ କିଭଳି ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥିତ  କରାଯିବ ଯୋଗାଣ ବିଭାଗ ପଦକ୍ଷେପ ଗ୍ରହଣ  କରିଛି । ଚାଉଳ ବଣ୍ଟନ ପାଇଁ ଏଟିଏମ୍‌ ପ୍ରତିଷ୍ଠା  କରାଯାଉଛି । ଦୁଇ ବର୍ଷ ତଳେ ଅର୍ଥାତ୍‌ ୨୦୨୪  ଅଗଷ୍ଟ ୨୪ ତାରିଖରେ ଭୁବନେଶ୍ୱରର ପ୍ରଥମେ  ଚାଉଳ ଏଟିଏମ୍‌ ପ୍ରତିଷ୍ଠା କରାଯାଇଥିଲା । ପରେ  ଝାରସୁଗୁଡ଼ାରେ ଖୋଲାଯାଇଥିଲା । ତୃତୀୟ  ପର୍ଯ୍ୟାୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ମନ୍ତ୍ରୀଙ୍କ ନିଜ ଜିଲ୍ଲା ଢେଙ୍କାନାଳରେ ଚାଉଳ ଏଟିଏମ୍‌  ସ୍ଥାପନ କରାଯାଉଛି । ଢେଙ୍କାନାଳ ସହର୍‌ର  ଆର୍‌ଟିଓ ଅଫିସ୍‌ ନିକଟରେ ଏହା ଖୋଲିବ । ଘର ତିଆରି ସହ ମେସିନ୍‌ ଖଞ୍ଜାଯାଇଛି । ଅନ୍ୟାନ୍ୟ  କାର୍ଯ୍ୟ ଆଗେଇ ଚାଲିଛି । ଖୁବ୍‌ ଶୀଘ୍ର କାମ ସାରି  ଆସନ୍ତା ୩୧ ତାରିଖରେ ଉଦ୍‌ଘାଟନ କରାଯିବ  ବୋଲି ଲକ୍ଷ୍ୟ ରଖାଯାଇଛି । ରବିବାର ଏକ  ବୈଷୟିକ ଦଳ ଉକ୍ତ ମେସିନ୍‌କୁ କାର୍ଯ୍ୟକ୍ଷମ କରି  ପରୀକ୍ଷା କରିଛନ୍ତି । ଅନ୍ୟାନ୍ୟ କାମ ସରିବା ପରେ  ପୁଣି ଆସନ୍ତା ୨୭ ତାରିଖରେ ପରୀକ୍ଷା କରାଯିବ ।  ୩୧ ତାରିଖରେ ଏହାର ଉଦ୍‌ଘାଟନ ହେବ ।

ମେସିନ୍‌ରେ ୨୫ କୁଇଣ୍ଟାଲରୁ ଅଧିକ  ଚାଉଳ ରହିଥିବ । ହିତାଧିକାରୀ ନିଜର ରାସନ  କାର୍ଡର ନମ୍ବର ମାରି, ଟିପଚିହ୍ନ ଦେଇ ସେମାନଙ୍କ  ଚାଉଳ ଉଠାଇ ପାରିବେ । ସମ୍ମୁଖ ଭାଗରେ ବସ୍ତା ରଖିବାକୁ ଏକ ସ୍ଥାନ ରହିଛି । ସେଥିରେ ଚାଉଳ  ଅତି କମ୍‌ ସମୟ ମଧ୍ୟରେ ଭରି ହୋଇଯିବ ।  କେତେ ଚାଉଳ ଦିଆଗଲା ତାହାର ପରିମାଣ  ସେଠାରେ ଦେଖାଯିବ । ହିତାଧିକାରୀ ଯେବେ ଚାହିଁବେ ଯାଇ ଚାଉଳ ଉଠାଇ ପାରିବେ । ଡିଲରଙ୍କୁ  ଆଉ ଅପେକ୍ଷା କରିବାକୁ ପଡି ଼ବ ନାହଁ ି । ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର  ପାତ୍ର କହିଛନ୍ତି, ପୂର୍ବରୁ ଡିଲରଙ୍କ ଆସିବାକୁ  ଅପେକ୍ଷା କରିବାକୁ ପଡୁ଼ଥିଲା । ଉକ୍ତ ଏଟିଏମ୍‌  ୨୪ ଘଣ୍ଟା କାର୍ଯ୍ୟ କରିବ । ହିତାଧିକାରୀ ଯେବେ  ଚାହିଁବେ ଓ ତାଙ୍କ ଭାଗର ଯେତିକି ପରିମାଣର  ଚାଉଳ ଆଣିବାକୁ ଚାହଁ ିବେ ଆଣିପାରିବେ । ଚାଉଳ ଓ ଗହମ ଉଭୟର ବିକଳ୍ପ ରହିବ ।  ସଫଳ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ  ଜିଲ୍ଲାରେ ଏହି ଚାଉଳ ଏଟିଏମ୍‌ ଖୋଲାଯିବ  ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା  ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ  ପ୍ରାୟ ସାଢ଼େ ୮ ଲକ୍ଷ ହିତାଧିକାରୀ ରାସନ  କାର୍ଡରେ ଆନ୍ତର୍ଭୁକ୍ତ ହୋଇ ରାସନ ପାଉଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button