ତାଳଚେର: ତାଳଚେରରେ ଆମ୍ବୁଲାନ୍ସ ସେବାକୁ ନେଇ ସାମନାକୁ ଆସିଛି ସାଂଘାତିକ ତଥ୍ୟ। ତାଳଚେର ଅଞ୍ଚଳରେ ଚାଲୁଥିବା ମୋଟ ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍ନେସ୍ ନଥିବା ଜଣାପଡ଼ିଛି। ଅର୍ଥାତ୍, ମୋଟ୍ ଆମ୍ବୁଲାନ୍ସର ପ୍ରାୟ ୭୬ ପ୍ରତିଶତ ଗାଡ଼ି ଫିଟ୍ନେସ୍ ପ୍ରମାଣପତ୍ର ବିନା ଚାଲୁଥିବାରୁ ଚିନ୍ତା ବଢ଼ିଛି।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ତାଳଚେର ଆଞ୍ଚଳିକ ପରିବହନ ବିଭାଗ ଅଧୀନରେ ମୋଟ ୫୦ଟି ଆମ୍ବୁଲାନ୍ସ ପଞ୍ଜୀକରଣ ହୋଇଛି। ଏହି ପଞ୍ଜୀକରଣ ହୋଇଥିବା ଆମ୍ବୁଲାନ୍ସ ମଧ୍ୟରୁ ୩୮ଟି ଗାଡ଼ିର ଫିଟ୍ନେସ ନଥିବା ବେଳେ ୧୨ଟି ଗାଡ଼ିର ଫିଟ୍ନେସ୍ ରହିଛି। ସବୁଠାରୁ ବଡ଼ କଥା ହେଲା, ୫୦ଟି ଆମ୍ବୁଲାନ୍ସ ମଧ୍ୟରୁ ବିଭିନ୍ନ କୋଇଲା ଖଣିର ୨୪ଟି ଆମ୍ବୁଲାନ୍ସ ରହିଛି, ସେଥିରୁ ଗୋଟିଏର ବି ଫିଟ୍ନେସ୍ ନାହିଁ। ବଳକା ୨୬ଟି ଆମ୍ବୁଲାନ୍ସ ମଧ୍ୟରୁ ୧୯ଟି ବିଭିନ୍ନ ବ୍ୟକ୍ତି ଏବଂ ଘରୋଇ ନର୍ସିଂହୋମ ଅଧୀନରେ ରହିଛି। ଉକ୍ତ ୧୯ଟି ଆମ୍ବୁଲାନ୍ସ ମଧ୍ୟରୁ ୧୨ଟି ଗାଡ଼ିର ଫିଟ୍ନେସ୍ ଅଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗ ଦ୍ବାର ୭ଟି ଆମ୍ବୁଲାନ୍ସ ମଧ୍ୟରୁ ମାତ୍ର ୨ଟି ଆମ୍ବୁଲାନ୍ସର ଫିଟ୍ନେସ୍ ଥିବା ତାଳଚେର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଗାଡ଼ି ନିଜେ ଅସୁରକ୍ଷିତ
ଆମ୍ବୁଲାନ୍ସ ହେଉଛି ଜରୁରିକାଳୀନ ସେବାର ଏକ ମୁଖ୍ୟ ମାଧ୍ୟମ। ଦୁର୍ଘଟଣା, ଗୁରୁତର ରୋଗୀ କିମ୍ବା ଅନ୍ୟ ଜରୁରି ପରିସ୍ଥିତିରେ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାରେ ଏହି ଗାଡ଼ିଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ଯେଉଁ ଗାଡ଼ି ଲୋକଙ୍କ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡ଼ୁଛି, ସେହିଗାଡ଼ିର ନିଜସ୍ୱ ଫିଟ୍ନେସ୍ ନଥିବା ଖବର ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଫିଟ୍ନେସ୍ ନଥିବା ଆମ୍ବୁଲାନ୍ସ ରାସ୍ତାରେ ଚଳାଚଳ କରିବା ଦ୍ୱାରା ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ରହିଥାଏ। ଜରୁରି ସମୟରେ ରୋଗୀଙ୍କୁ ନେଇଯାଉଥିବା ବେଳେ ଗାଡ଼ି ମଝି ରାସ୍ତାରେ ଅଚଳ ହୋଇଗଲେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ତେଣୁ, ଏହି ତଥ୍ୟ ପଦାକୁ ଆସିବା ପରେ ଆମ୍ବୁଲାନ୍ସଗୁଡ଼ିକର ଫିଟ୍ନେସ୍ ଯାଞ୍ଚ ଓ ନିୟମ ପାଳନ ନେଇ ପ୍ରଶାସନର ଦାୟିତ୍ୱ ଉପରେ ପ୍ରଶ୍ନ ଉଠିଛି।
ସୌଜନ୍ୟ ସମ୍ବାଦ