Haunted: ଟସର ସୂତା ୟୁନିଟ୍ ‘ଭୂତକୋଠି’: ଦୁର୍ଦ୍ଦିନରେ ଚାଷୀ ଓ ଶ୍ରମିକ ଖତ ଖାଉଛି ମେସିନ୍
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଲଖନା ଟସର ସୂତା ୟୁନିଟ୍ରେ ତାଲା ଝୁଲୁଛି। ଗତ ୧୫ ବର୍ଷ ହେଲା ଟସର ସୂତା ୟୁନିଟ୍ ଭୂତକୋଠି ପାଲଟିଛି। ମେସିନ୍ ସବୁ କଳଙ୍କି ଲାଗି ସାରିଛି।

ନୂଆପଡ଼ା (ଅଶ୍ବିନୀ କୁମାର ପାଣିଗ୍ରାହୀ): ନୂଆପଡ଼ାଜିଲ୍ଲା କୋମନା ବ୍ଲକ୍ ଲଖନା ଟସର ସୂତା ୟୁନିଟ୍ରେ ତାଲା ଝୁଲୁଛି। ଗତ ୧୫ ବର୍ଷ ହେଲା ଟସର ସୂତା ୟୁନିଟ୍ ଭୂତକୋଠି ପାଲଟିଛି। ମେସିନ୍ ସବୁ କଳଙ୍କି ଲାଗି ସାରିଛି। ଫଳରେ ଶ୍ରମିକ ଓ ଚାଷୀ ରୋଜଗାର ହରାଇ ଅଭାବରେ ଜୀବନ ବିତାଉଛନ୍ତି।
ପ୍ରକାଶ ଯେ, ଲଖନା ଜୟଲକ୍ଷ୍ମୀ ଟସର ପୋକ ପାଳନ କପୋରେଟିଭ ସମିତି(ଟିଆଇସିଏସ୍)ରେ ଉନ୍ନତ ମାନର ଓ ଆବଶ୍ୟକ ପରିମାଣ ଟସର ଉତ୍ପାଦନ ପାଇଁ ଲକ୍ଷାଧିକ ମୂଲ୍ୟର ସୂତା ୟୁନିଟ୍ ମେସିନ୍ ବସିଥିଲା। ଏଥିରେ ଲଖନା ଅଞ୍ଚଳର ୧୦ଜଣ ମହିଳା ରୋଜଗାର ପାଇଥିଲେ।
ଘର ପାଖରେ କାମ ଓ ରୋଜଗାର ପାଇ ଖୁସିରେ ପରିବାର ଚଳୁଥିଲା। ଆଗକୁ ବି ବର୍ଷ ବର୍ଷ ଧରି ରୋଜଗାର କରି ସ୍ବାବଲମ୍ବୀ ହେବେ ବୋଲି ମହିଳାମାନେ ଆଶା ବନ୍ଧିଥିଲେ। କିନ୍ତୁ ବର୍ଷେ ଚାଲିବା ପରେ କଞ୍ଚାମାଲ ଅଭାବରୁ ମେସିନ୍ ବନ୍ଦ ହୋଇଗଲା। ମହିଳାମାନେ ରୋଜଗାର ହରାଇ ଦୁର୍ଦ୍ଦିନରେ ପରିବାର ପ୍ରତିପୋଷଣ କରୁଛନ୍ତି। ଅନେକ ମହିଳା ଓ ପୁରୁଷ କାମଧନ୍ଦା ଅଭାବରୁ ଦାଦନ ଯିବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଅଞ୍ଚଳର ଶ୍ରମିକମାନେ ଅନେକ ଥର ଟସର ସୂତା ୟୁନିଟ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ ବି ଏଯାଏଁ କୌଣସି ସୁଫଳ ମିଳିନଥିଲା। ଏବେ ଲଖନା ଟସର ସୂତା ୟୁନିଟ୍ ଭୂତକୋଠି ପାଳିଟିଥିବାବେଳେ ମେସିନ୍ ସବୁ ଖତ ଖାଉଛି। ଏବେ ବି ସୂତା ୟୁନିଟ୍ ଚାଲିଲେ ଅଞ୍ଚଳର ମହିଳାମାନେ ରୋଜଗାର ପାଇବେ। ଏହାଦ୍ବାରା ଦାଦନ ଚାଲାଣ ରୋକାଯାଇ ପାରିବ ବୋଲି ମହିଳାମାନେ କହିଛନ୍ତି। ଏହି ଅଞ୍ଚଳରେ ଟସର ଚାଷରେ ମହିଳାଙ୍କୁ ନିୟୋଜିତ କରିବା ପାଇଁ ତାଲିମଦାତା କି ପ୍ରେରଣା ଦେବାକୁ କେହି ନାହାନ୍ତି। ଫଳରେ ଟସର ଚାଷର ବିକାଶ ସମ୍ଭବ ହେଉନି। ଏହି ଦୁଇ ସମିତିରେ ଜଣେ ଲେଖାଏଁ ଟେକ୍ନିକାଲ ଇନ୍ସପେକ୍ଟର ନିୟୋଜିତ ହେବା କଥା। କିନ୍ତୁ ବର୍ଷ ବର୍ଷ ଧରି ପଦ ଖାଲି ପଡ଼ିଛି। ଦୁଇ ସମିତିରେ ଜଣେ ଲେଖାଏଁ ଆଟେଣ୍ତାଣ୍ଟ, ପିଅନ ଓ ରାତ୍ର ଜଗୁଆଳି ନିୟୋଜିତ ହେବାର ନିୟମ ରହିଛି। କିନ୍ତୁ ସବୁ ପଦ ଖାଲି।
ସୌଜନ୍ୟ ସମ୍ବାଦ




