Operation Sindoor: ଅପରେସନ୍ ସିନ୍ଦୂରରେ ଭାରତର ନିଶାଣରେ ଥିଲା ସ୍କାର୍ଦୁ ଏୟାର୍ବେସ୍
୨୦୨୫ର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ୍-ବଲ୍ଟିସ୍ତାନରେ ଥିବା ସ୍କାର୍ଦୁ ଏୟାର୍ବେସ୍ ଭାରତୀୟ ବାୟୁସେନାର ଟାର୍ଗେଟ୍ ମଧ୍ୟରେ ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହି ଲକ୍ଷ୍ୟ ପରିବର୍ତ୍ତନ କରାଯାଇଥିଲା।

ନୂଆଦିଲ୍ଲୀ: ୨୦୨୫ର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ୍-ବଲ୍ଟିସ୍ତାନରେ ଥିବା ସ୍କାର୍ଦୁ ଏୟାର୍ବେସ୍ ଭାରତୀୟ ବାୟୁସେନାର ଟାର୍ଗେଟ୍ ମଧ୍ୟରେ ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହି ଲକ୍ଷ୍ୟ ପରିବର୍ତ୍ତନ କରାଯାଇଥିଲା। ପୂର୍ବତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନିଲ ଚୌହାନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଅପରେସନ୍ ସିନ୍ଦୂର ସମ୍ପର୍କରେ ଆଲୋଚନା ବେଳେ ଜେନେରାଲ୍ ଚୌହାନ କହିଛନ୍ତି ଯେ ମେ ୧୦ ତାରିଖ ସକାଳ ପ୍ରାୟ ୧୦ଟାରେ ପାକିସ୍ତାନ ଆଲୋଚନା ପାଇଁ ଭାରତ ସହ ଯୋଗାଯୋଗ କରିଥିଲା। ସେହି ସମୟରେ ବାୟୁସେନା ମୁଖ୍ୟ ତାଙ୍କୁ ସରଗୋଧା ଏୟାର୍ବେସ୍ ଉପରେ ଆକ୍ରମଣ ପାଇଁ ଅନୁମତି ମାଗିଥିଲେ। ସେ ଅନୁମତି ଦେବା ସହ ଆଉ ଦୁଇଟି ଲକ୍ଷ୍ୟ ଚିହ୍ନଟ କରିବାକୁ କହିଥିଲେ। ସେଥିରୁ ଗୋଟିଏ ଥିଲା ସ୍କାର୍ଦୁ। ସ୍କାର୍ଦୁ ଉପରେ ଆକ୍ରମଣ ପାଇଁ ଅନୁମତି ମିଳିଥିଲେ ମଧ୍ୟ ପରେ ସେଠାରେ ପାଗ ଖରାପ ଯୋଗୁ ଲକ୍ଷ୍ୟ ବଦଳାଇ ଭୋଲାରି ଏୟାର୍ବେସ୍କୁ ଆକ୍ରମଣ କରାଯାଇଥିଲା।
ଗିଲଗିଟ୍-ବଲ୍ଟିସ୍ତାନର ସିନ୍ଧୁ ନଦୀ କୂଳରେ ଥିବା ସ୍କାର୍ଦୁ କାର୍ଗିଲଠାରୁ ପ୍ରାୟ ୧୭୦ କିଲୋମିଟର ଓ ଭାରତର ଲେହ ଏୟାର୍ବେସ୍ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ରହିଛି। ଲଦାଖ ଓ ନିୟନ୍ତ୍ରଣରେଖା ନିକଟରେ ଥିବାରୁ ଏହା ପାକିସ୍ତାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି। କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ଏହି ଘାଟିକୁ ସୈନିକ ଓ ଲଜିଷ୍ଟିକ୍ସ ପହଞ୍ଚାଇବାରେ ବ୍ୟବହାର କରିଥିଲା। ସ୍କାର୍ଦୁର ଗୁରୁତ୍ବ କେବଳ ଭାରତ-ପାକିସ୍ତାନ ଭିତରେ ସୀମିତ ନୁହେଁ। ଏହି ଅଞ୍ଚଳ ଚୀନ୍-ପାକିସ୍ତାନ ଆର୍ଥିକ କରିଡର୍ (ସିପିଇସି) ସହ ଜଡ଼ିତ ଚୀନ୍ର ଭିତ୍ତିଭୂମି ପ୍ରକଳ୍ପ ପାଇଁ ମଧ୍ୟ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ।
ତେଣୁ ଭାରତ ଯଦି ସ୍କାର୍ଦୁ ଉପରେ ଆକ୍ରମଣ କରିଥାନ୍ତା, ତାହା ପାକିସ୍ତାନ ସହିତ ଚୀନ୍ର ରଣନୈତିକ ସ୍ବାର୍ଥ ପ୍ରତି ମଧ୍ୟ ଏକ ବାର୍ତ୍ତା ହୋଇଥାନ୍ତା କି ନାହିଁ, ଏବେ ତାହାକୁ ନେଇ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ୧୯୭୧ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ସ୍କାର୍ଦୁ ଏୟାର୍ବେସ୍ର ରନ୍ୱେ ଉପରେ ଆକ୍ରମଣ କରିଥିଲା। ପରେ ୧୯୯୯ର କାର୍ଗିଲ ଯୁଦ୍ଧରେ ମଧ୍ୟ ପାକିସ୍ତାନ ନିଜ ସାମରିକ ଅଭିଯାନ ପାଇଁ ଏହାକୁ ବ୍ୟବହାର କରିଥିଲା।
ସୌଜନ୍ୟ ସମ୍ବାଦ




