ଦେଶ ବିଦେଶ

Flood in Nepal: ନେପାଳରେ ପ୍ରଳୟ: ୧୫୭ ମୃତ, ୧୩୩ ଭାରତୀୟ ନିଖୋଜ, ୪୦୦ ପର୍ଯ୍ୟଟକଙ୍କ ପତ୍ତା ମିଳୁନି, ଭାସିଗଲା ଅନେକ ଗାଁ

ପଡୋଶୀ ରାଷ୍ଟ୍ର ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାରେ ଆଜି ଅଚାନକ ଆସିଥିବା ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ଏହି ଭୟାବହ ବନ୍ୟା‌ରେ ୧୫୭ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାରେ ଆଜି ଅଚାନକ ଆସିଥିବା ବନ୍ୟା ପ୍ରଳୟଙ୍କରୀ  କ୍ଷତି ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ଏହି ଭୟାବହ  ବନ୍ୟା‌ରେ  ୧୫୭ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଏହାସହ ୧୩୩ ଜଣ ଭାରତୀୟଙ୍କ ସମେତ ୭୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ବନ୍ୟା ଯୋଗୁଁ ନେପାଳର ଅନେକ ସୀମାନ୍ତ ଗ୍ରାମ ସମ୍ପୂର୍ଣ୍ଣ ଭାସି ଯାଇଛି।  ବର୍ତ୍ତମାନ ସୁଦ୍ଧା କେବଳ ନୁୱାକୋଟ ଓ ଧାଡ଼ିଙ୍ଗ ଜିଲ୍ଲାରୁ ଶତାଧିକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ରସୁୱାରୁ ୩୦ରୁ ଅଧିକ ଶବ ମିଳିଛି। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୭୫୦ରୁ ଅଧିକ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଏହି ନିଖୋଜ ଲୋକଙ୍କ ମଧ୍ୟରେ  ୩୦୫ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି।  ସେମାନଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ୧୩୩ ଜଣ ଥିବାରୁ ଉଦ୍ଧାର କାର୍ଯ୍ୟ ଉପରେ ଭାରତର ଅହରହ ନଜର ରହିଛି। ବନ୍ୟା ପରିସ୍ଥିତି ପରେ ନେପାଳକୁ ସହଯୋଗର ହାତ ବଢ଼ାଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ବ୍ୟାପକ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ବ୍ୟକ୍ତ କରିବା ସହ ସଙ୍କଟ ସମୟରେ ଭାରତ ସମସ୍ତ ପ୍ରକାର  ମାନବୀୟ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୬ଟି ପ୍ରମୁଖ ଜଳବିଦ୍ୟୁତ୍‌ କେନ୍ଦ୍ର ଓ ଜାତୀୟ ରାଜପଥ ଛାରଖାର

ବାଲେନଙ୍କ ସହ କଥା ହେଲେ ମୋଦୀ, ସହାୟତା ଦେବ ଭାରତ

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷା ବାହିନୀ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ରସୁୱା ଜିଲ୍ଲାରେ କାର୍ଯ୍ୟରତ ଥିବା ପ୍ରାୟ ୨୬ ଜଣ ନେପାଳ ପୁଲିସ କର୍ମଚାରୀ ଏବଂ ୭ ଜଣ ଯବାନ ନିଖୋଜ ଅଛନ୍ତି। ନେପାଳ ସେନା ପକ୍ଷରୁ ପ୍ରଭାବିତ ପାର୍ବତ୍ୟ ଅଞ୍ଚଳରେ ହେଲିକପ୍ଟର ଏବଂ ବିପର୍ଯ୍ୟୟ ପରିଚାଳନା ଦଳକୁ ମୁତୟନ କରାଯାଇଛି। ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବନ୍ୟାଜନିତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ନେପାଳର ୬ଟି ପ୍ରମୁଖ ଜଳବିଦ୍ୟୁତ୍‌ ପ୍ରକଳ୍ପ ଓ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାନ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ନେପାଳ ବିଦ୍ୟୁତ୍‌ ପ୍ରାଧିକରଣ (ଏନ୍‌ଇଏ) ଅନୁସାରେ, ରସୁୱାଗାଡ଼ି, ଚିଲିମେ, ତ୍ରିଶୂଳୀ ୩ଏ, ତ୍ରିଶୂଳୀ ୩ବି ହବ୍ ୨୨୦ କେଭି ସବଷ୍ଟେସନ, ତ୍ରିଶୂଳୀ ଏବଂ ଦେବୀଘାଟ ଜଳବିଦ୍ୟୁତ୍‌ କେନ୍ଦ୍ର ବନ୍ୟାପାଣିରେ ବୁଡ଼ି ଯାଇଛି। ବିଦ୍ୟୁତ୍‌ ଉତ୍ପାଦନ, ସଞ୍ଚାରଣ ଏବଂ ବିତରଣ ଭିତ୍ତିଭୂମି ଧ୍ୱଂସ ହେବା କାରଣରୁ ଦେଶର ଏକ ବଡ଼ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ
ବ୍ୟାହତ ହୋଇଛି। ବନ୍ୟା ମାଡ଼ିଆସିବା ଯୋଗୁଁ ନେପାଳର କେତେକ ପ୍ରମୁଖ ଜାତୀୟ ରାଜପଥକୁ ସାଧାରଣ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି। ଜାତୀୟ ରାଜପଥ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପରିବହନ ଠପ୍‌ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button