Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ
ନେପାଳ-ତିବ୍ବତ ସୀମାରେ ଆକସ୍ମିକ ବନ୍ୟା ଯୋଗୁ ସୃଷ୍ଟ ଗମ୍ଭୀର ପରିସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସଂକ୍ରାନ୍ତରେ ଆଲୋଚନା ପାଇଁ ଶୁକ୍ରବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶାସକ କମ୍ୟୁନିଷ୍ଟ ପାର୍ଟିର ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି।

କାଠମାଣ୍ଡୁ: ନେପାଳ-ତିବ୍ବତ ସୀମାରେ ଆକସ୍ମିକ ବନ୍ୟା ଯୋଗୁ ସୃଷ୍ଟ ଗମ୍ଭୀର ପରିସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସଂକ୍ରାନ୍ତରେ ଆଲୋଚନା ପାଇଁ ଶୁକ୍ରବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶାସକ କମ୍ୟୁନିଷ୍ଟ ପାର୍ଟିର ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି।
ବୁଧବାର ଚୀନ୍ର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳର ଗିରୋଙ୍ଗ କାଉଣ୍ଟିରେ ହଠାତ୍ ବନ୍ୟା ଆସିବା ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମୀକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇଛି। ବୈଠକ ଆରମ୍ଭରେ ସି ଜିନପିଙ୍ଗ ଓ ଅନ୍ୟ ନେତାମାନେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ।
ବୈଠକରେ ଅଧିକାରୀମାନେ କହିଛନ୍ତି ଯେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରଭାବିତ ଲୋକଙ୍କୁ ପୁନଃଥଇଥାନ ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି। ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ବୈଜ୍ଞାନିକ ଓ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ନିଖୋଜ ଥିବା ସମସ୍ତ ଚୀନ୍ ଓ ବିଦେଶୀ ନାଗରିକଙ୍କୁ ଖୋଜି ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ମଧ୍ୟ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଆକସ୍ମିକ ବନ୍ୟାରେ ତିବ୍ବତରେ ୫୫୦ରୁ ଅଧିକ ଲୋକ ନିଖୋଜ ଥିବା ରିପୋର୍ଟ ମିଳିଛି। ଅନ୍ୟପକ୍ଷେ ହଠାତ୍ ବନ୍ୟା ପରେ ଚୀନ ଲେବଲ-୪ ସତର୍କତା ଜାରି କରିଛି। ଦୁଇଟି ନଦୀର ସଙ୍ଗମସ୍ଥଳରେ ନୂଆ କରି ସୃଷ୍ଟି ହୋଇଥିବା ଏକ ‘ବ୍ୟାରିୟର ଲେକ୍’ ବା ପ୍ରାକୃତିକ ଜଳବନ୍ଧ ହ୍ରଦ ଭାଙ୍ଗିଯାଇ ତଳମୁହାଁ ଅଞ୍ଚଳରେ ବନ୍ୟା ସୃଷ୍ଟି କରିବାର ଆଶଙ୍କା ଅଧିକ ଥିବାରୁ ଏହି ସତର୍କତା ଜାରି କରାଯାଇଛି। ଚୀନ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ଗୁରୁବାର ରାତିରେ ତିବ୍ବତ ପାଇଁ ଜରୁରୀକାଳୀନ ସତର୍କତା ଜାରି କରିଥିଲା।
ସୌଜନ୍ୟ ସମ୍ବାଦ




