Homestay Scheme: ଘରେ ହୋମ୍ଷ୍ଟେ କରନ୍ତୁ, ମିଳିବ ଲକ୍ଷ ଲକ୍ଷ ଟଙ୍କା ! ୧୯ ଜିଲ୍ଲାର ୬୧ ପଞ୍ଚାୟତ ଉପରେ ସରକାରଙ୍କ ନଜର

ଭୁବନେଶ୍ୱର, ୨୯।୮: ‘ଓଡ଼ିଶା ହୋମ୍ଷ୍ଟେ ଯୋଜନା-୨୦୨୫’ର ଅଣଆର୍ଥିକ ପ୍ରୋତ୍ସାହନ ପାଇଁ ଆବଶ୍ୟକ ନଥିପତ୍ର ଲୋଡ଼ା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ପର୍ଯ୍ୟଟନ ବିଭାଗ । ରାଜ୍ୟରେ ହୋମ୍ଷ୍ଟେ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଏହା ତା’ର ଏକ ଅଂଶ । ଏଥିପାଇଁ ୫ଟି ମୁଖ୍ୟ ଡକ୍ୟୁମେଣ୍ଟ ଟ୍ରେଡ୍ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍ ଅନୁମୋଦନ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବୈଦ୍ୟୁତିକ ନିରାପତ୍ତା ପ୍ରମାଣପତ୍ର ଏବଂ କଠିନ ବର୍ଜ୍ୟ ପରିଚାଳନା ପାଇଁ ଦେୟ ରସିଦ ଓ ପଞ୍ଜୀକରଣ ପ୍ରମାଣପତ୍ର ଜରୁରି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ନିୟମାନୁସାରେ ସହରାଞ୍ଚଳରେ ହୋମ୍ଷ୍ଟେ ପାଇଁ ଟ୍ରେଡ୍ ଲାଇସେନ୍ସ ବାଧ୍ୟତାମୂଳକ । ଗ୍ରାମାଞ୍ଚଳରେ ହୋମ୍ଷ୍ଟେ ପାଇଁ ‘ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍-୧୯୬୪’ର ଧାରା ୫୫ ଅନୁଯାୟୀ ସମ୍ପୃକ୍ତ ଗ୍ରାମ ପଞ୍ଚାୟତରୁ ଲାଇସେନ୍ସ ନେବାକୁ ପଡ଼ିବ । ଯଦି ପଞ୍ଚାୟତ ଲାଇସେନ୍ସ ଦେଉନାହିଁ ତେବେ ଆବେଦନକାରୀ ସେ ସମ୍ବନ୍ଧରେ ଏକ ଲିଖିତ ଘୋଷଣାପତ୍ର ପ୍ରଦାନ କରିବେ । ଡେଭଲପ୍ମେଣ୍ଟ ଅଥରିଟି, ରିଜିଓନାଲ ଇମ୍ପ୍ରୁଭ୍ମେଣ୍ଟ ଟ୍ରଷ୍ଟ ବା ସ୍ପେଶାଲ ପ୍ଲାନିଂ ଅଥରିଟି ଅଞ୍ଚଳ ପାଇଁ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବାଧ୍ୟତାମୂଳକ । ଯଦି ହୋମ୍ଷ୍ଟେ ଏହି ପରିସର ବାହାରେ ଏବଂ ଗ୍ରାମାଞ୍ଚଳରେ ରହୁଛି, ତେବେ ସେଠି ପଞ୍ଚାୟତିରାଜ ବିଭାଗ ନିମୟ ଅନୁସାରେ ୫୦୦ ବର୍ଗ ମିଟରରୁ ଅଧିକ ଜମି କିମ୍ବା ଜି୍ମ୨ରୁ ଅଧିକ କୋଠା ପାଇଁ ଅନୁମୋଦନ ଜରୁରି ।
‘ଓଡ଼ିଶା ଅଗ୍ନି ପ୍ରତିରୋଧ ନିୟମ-୨୦୧୭’ (ସଂଶୋଧିତ ବିଜ୍ଞପ୍ତି) ଅନୁଯାୟୀ, କେବଳ ୧୨ ମିଟର କିମ୍ବା ଅଧିକ ଉଚ୍ଚତା ବିଶିଷ୍ଟ କୋଠା କିମ୍ବା ୫୦୦ ବର୍ଗ ମିଟର କିମ୍ବା ଅଧିକ ନିର୍ମିତ ଅଞ୍ଚଳ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦରକାର । ଯେଉଁଠି ଆଇନ ଅନୁସାରେ ବାଧ୍ୟତାମୂଳକ ସେଠି ହିଁ ବୈଦ୍ୟୁତିକ ନିରାପତ୍ତା ପ୍ରମାଣପତ୍ର ଦରକାର । ଯଦି ହୋମ୍ଷ୍ଟେର କଣ୍ଟ୍ରାକ୍ଟ ଡିମାଣ୍ଡ୍ ୫ କିଲୋୱାଟ୍ ପର୍ଯ୍ୟନ୍ତ, ତେବେ ଏହି ପ୍ରମାଣପତ୍ରର ଆବଶକତା ନାହିଁ । ବାକି କଠିନ ବର୍ଯ୍ୟ ପରିଚାଳନା ବା ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ପୌରାଞ୍ଚଳ ପାଇଁ ବାଧ୍ୟତାମୂଳକ ରହିଛି । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁଠି ଗ୍ରାମ ପଞ୍ଚାୟତ ଦ୍ୱାରା କଠିନ ବର୍ଜ୍ୟ ସଂଗ୍ରହ ହେଉଛି, ସେଠି ରସିଦ ଦାଖଲ କରିବାକୁ ପଡ଼ିବ । ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ନାହିଁ, ସେଠି ଆବେଦନକାରୀ ନିୟମ ଅନୁଯାୟୀ ନିଜେ ବର୍ଜ୍ୟ ପରିଚାଳନା କରୁଛନ୍ତି ବୋଲି ଏକ ଅଙ୍ଗୀକାରପତ୍ର (ଅଣ୍ଟରଟେକିଂ) ଦେବେ । ଏଥିସହିତ ସମୟାନୁସାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଯାହା ନିର୍ଦ୍ଦେଶାବଳୀ ରହିଛି, ତାକୁ ପାଳନ କରିବେ ।
ସୌଜନ୍ୟ ପ୍ରମେୟ




