ରାଜ୍ୟ

Coastal Highway Project : ଖୁବ୍‌ଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ, ଖୋଲିଲା ୮,୩୦୦ କୋଟିର ଟେଣ୍ଡର

ଭୁବନେଶ୍ୱର, ୨୯/୮ : ଉପକୂଳ ରାଜପଥ ପ୍ରକଳ୍ପର ଟେଣ୍ଡର ଖୋଲିଛି । ଖୁବ୍‌ଶୀଘ୍ର ଏ ପ୍ରକ୍ରିୟା ଚୂଡ଼ାନ୍ତ ହେବା ସହ ଚୟନ ହୋଇଥିବା ଠିକା ସଂସ୍ଥା ଟେଣ୍ଡର ଦିଆଯିବ । ଏହାପରେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ତା’ପରେ ପ୍ରସ୍ତାବିତ ରାଜପଥ ପାଇଁ ଗଛ କଟା, ବିଦ୍ୟୁତ ଖୁଣ୍ଟ, ଟେଲିଫୋନ ସେବା ଆଦି ସ୍ଥାନାନ୍ତର କରାଯିବ । ଏସବୁ ପ୍ରକ୍ରିୟା ପରେ କାମ ଆରମ୍ଭ ହେବ । ଅର୍ଥାତ୍‌ ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର କାମ ଖୁବଶୀଘ୍ର ଆରମ୍ଭ ହେବ ।  ଉପକୂଳ ରାଜପଥ ପ୍ରକଳ୍ପରେ ଖୋର୍ଦ୍ଧା ରାମେଶ୍ୱର ପାଖ ବଡ଼ପୋଖରୀ ନିକଟରୁ ପାରାଦୀପ ନିକଟସ୍ଥ ମଶାକଣି ପର୍ଯ୍ୟନ୍ତ ୧୬୩ କିଲୋମିଟର ସଡ଼କ ନିର୍ମାଣ ହେବ । ଏହାକୁ ଜାତୀୟ ରାଜପଥ- ୧୬ ଏ ଭାବେ ଚିହ୍ନଟ କରାଯିବ । ଖର୍ଚ୍ଚ ହେବ ୮୩୦୦ କୋଟି ଟଙ୍କା ।

ବଡ଼ କଥା ହେଲା, ଖୋର୍ଦ୍ଧା ରାମେଶ୍ୱରରୁ ପାରାଦୀପ ଯିବା ପାଇଁ ଯେତିକି ସମୟ ଲାଗୁଥିଲା, ଏହି ରାସ୍ତା ହେବା ପରେ ଯାତାୟତ ସମୟ ଅଢ଼େଇ ଘଣ୍ଟା କମିଯିବ ।  ଦୁଇଟି ପ୍ୟାକେଜରେ ଏହି ପ୍ରକଳ୍ପ ନିର୍ମାଣ ହେବ । ପ୍ୟାକେଜ-୧ରେ ରାମେଶ୍ୱରରୁ କୋଣାର୍କ ୪ ଲେନ୍‌ ବିଶିଷ୍ଟ ୭୯.୪୦ କିମି ରାସ୍ତା ନିର୍ମାଣ ହେବ । ଏହା ଆକ୍‌ସେସ୍‌-ନିୟନ୍ତ୍ରିତ ରାଜପଥ ହେବ । ପ୍ୟାକେଜ-୨ କୋଣାର୍କରୁ ପାରାଦୀପକୁ ଦୁଇ ଲେନ ବିଶିଷ୍ଟ ୮୦.୭୮ କିମି ରାସ୍ତା ନିର୍ମାଣ ହେବ । ଏହା ପେଭ୍‌ ସୋଲଡର ରାଜପଥ ହେବ । ଘଣ୍ଟାକୁ ଶହେ କିଲୋମିଟର ବେଗରେ ଯାନବାହାନ ଯାତାୟତ କରିବା ଭଳି ଏହି ରାଜମାର୍ଗକୁ ଡିଜାଇନ୍‌ କରାଯିବ । ପ୍ରଥମ ପ୍ୟାକେଜ୍‌ ନିର୍ମାଣରେ ୫୩୦୪.୮୦ କୋଟି ଏବଂ ଦ୍ୱିତୀୟ ପ୍ୟାକେଜ୍‌ରେ ୨୯୯୫.୯୯ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିରେ ପୁରୀ, କୋଣାର୍କ, ଚିଲିକାକୁ ସଡ଼କ ଯୋଗାଯୋଗ ଉନ୍ନତ ହେବା ସହ ପୁରୀରେ ପ୍ରସ୍ତାବିତ ବିମାନବନ୍ଦରକୁ ଏହା ସଂଯୋଗ କରିବ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button