Industrial Development ଖୋର୍ଦ୍ଧାର କାଳିବେଟି ଓ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ ସମୀକ୍ଷା
ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଓ ମୁଦାମ୍ବା ଶିଳ୍ପାଞ୍ଚଳ ପରିଦର୍ଶନ କରି ଭିତ୍ତିଭୂମି, ଜମି ବିକାଶ ଓ ଶିଳ୍ପ ପ୍ଲଟ ଆବଣ୍ଟନର ଅଗ୍ରଗତି ସମୀକ୍ଷା କଲେ ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀ।

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଉଷା ପାଢ଼ୀ ଆଜି (ରବିବାର) ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ପରିଦର୍ଶନ କରି ଭିତ୍ତିଭୂମି ବିକାଶର ଅଗ୍ରଗତି ଏବଂ ଶିଳ୍ପାଞ୍ଚଳଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା କରିଛନ୍ତି ।
ଏହି ପରିଦର୍ଶନ ସମୟରେ ମୁଖ୍ୟ ମହାପ୍ରବନ୍ଧକ (ଜମି) ସରୋଜ ସାହୁ, ସମ୍ପୃକ୍ତ ଜମି ଅଧିକାରୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସେ ଉଭୟ ସ୍ଥାନର ମାଷ୍ଟର ପ୍ଲାନିଂ, ଶିଳ୍ପ ପ୍ଲଟ ଆବଣ୍ଟନ, ଜମି ବିକାଶ ତଥା ଚାଲୁ ରହିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଥିଲେ।
କ୍ଷେତ୍ରସ୍ତରୀୟ ଅଗ୍ରଗତିର ସମୀକ୍ଷା କରି ଶ୍ରୀମତୀ ପାଢ଼ୀ ଅଧିକାରୀମାନଙ୍କୁ ସଠିକ୍ ଯୋଜନା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପ ବିକାଶକୁ ପରିବେଶ ଅନୁକୂଳ ତଥା ସ୍ଥାୟୀ କରିବା ଉପରେ ଗୁରୁତ୍ୱାରୋପ କରି ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଥିଲେ ଯେ ଶିଳ୍ପାଞ୍ଚଳର ମୁଖ୍ୟ ଭିତ୍ତିଭୂମି ଯୋଜନାରେ ବର୍ଷାଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ବ୍ୟବସ୍ଥାକୁ ସାମିଲ କରାଯିବା ଉଚିତ। ସେ ଦର୍ଶାଇଥିଲେ ଯେ ଦକ୍ଷ ଜଳ ପରିଚାଳନା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ନୂତନ ଶିଳ୍ପାଞ୍ଚଳ ବିକାଶର ଏକ ପ୍ରମୁଖ ଅଙ୍ଗ ହେବା ଉଚିତ ।
ସୌଜନ୍ୟ ସମ୍ବାଦ




