Nepal Alert: ନେପାଳଠାରୁ ଆହୁରି ଭୟଙ୍କର ବିପର୍ଯ୍ୟୟ ଆଶଙ୍କା, ହିନ୍ଦୁକୁଶରେ ଫାଟିପାରେ ୪୦୭ ହିମହ୍ରଦ, ସତର୍କ କରାଇଲା ଜାତିସଂଘର ରିପୋର୍ଟ

ନୂଆଦିଲ୍ଲୀ, ୩୧/୮: ନେପାଳରେ ଆସିଥିବା ଆକସ୍ମିକ ବନ୍ୟା ଦେଶର ୪ଟି ଜିଲ୍ଲାକୁ ଛାରଖାର କରି ଦେଇଥିବା ବେଳେ ଏହାଠାରୁ ବି ଆହୁରି ଭୟଙ୍କର ବିପର୍ଯ୍ୟୟର ଆଶଙ୍କା ହିନ୍ଦୁକୁଶ ହିମାଳୟ କ୍ଷେତ୍ରରେ ରହିଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଏକ ଅନ୍ତର୍ଜାତୀୟ ଅଧ୍ୟୟନ ଅନୁସାରେ ହିନ୍ଦୁକୁଶ ହିମାଳୟ (ଏଚ୍କେଏଚ୍) କ୍ଷେତ୍ରରେ ଥିବା ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି । ଏଥିଯୋଗୁ ସମଗ୍ର ପାର୍ବତ୍ୟାଞ୍ଚଳରେ ହିମହ୍ରଦ ବିସ୍ଫୋରଣ ଜନିତ ବନ୍ୟା (ଜିଏଲ୍ଓଏଫ୍) ଆଶଙ୍କା ଘନେଇଥିବା ଜାତିସଂଘ ୟୁନିଭର୍ସିଟି ଇନ୍ଷ୍ଟିଚ୍ୟୁଟ ଫର୍ ଏନ୍ଭିରୋନମେଣ୍ଟ ଆଣ୍ଡ ହ୍ୟୁମାନ୍ ସିକ୍ୟୁରିଟି (ୟୁଏନ୍ୟୁ ଇଏଚ୍ଏସ୍)ର ଅଧ୍ୟୟନରୁ ଜଣାପଡ଼ିଛି ।
ରିସର୍ଚ୍ଚରେ ବହୁ ପୁରୁଣା ରେକର୍ଡଠାରୁ ଆରମ୍ଭ କରି ୨୦୨୪ ପର୍ଯ୍ୟନ୍ତ ଘଟିଥିବା ୪୯୩ଟି ଜିଏଲ୍ଓଏଫ୍ ଘଟଣାର ସମୀକ୍ଷା କରାଯାଇଥିଲା । ହିମବାହ ସମ୍ବନ୍ଧିତ ବୈଜ୍ଞାନିକ ଦୀପେଶ ଚାପାଗେନ୍ଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ବିଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ହିନ୍ଦୁକୁଶ ହିମାଳୟରେ ବିପଦ କିଭଳି ବୃଦ୍ଧି ପାଇଛି ତାହା ଅନୁଧ୍ୟାନ କରାଯାଇଥିଲା । ରିପୋର୍ଟରୁ ଜଣାପଡ଼ିଛି, ୧୯୫୦ ମସିହା ପରଠାରୁ ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା ବା ଜିଏଲ୍ଓଏଫ୍ ଘଟଣା ବୃଦ୍ଧି ପାଇଛି । ଏଭଳି ବିପର୍ଯ୍ୟୟର ହାରାହାରି ସଂଖ୍ୟା ପ୍ରତି ଦଶନ୍ଧିରେ ୭ରୁ ବୃଦ୍ଧି ପାଇ ୩୮ରେ ପହଞ୍ଚିଛି, ଯାହା କି ପ୍ରାୟ ୫ ଗୁଣା ଅଧିକ । ସେପଟେ ତିବ୍ଦତ-ନେପାଳରେ ଆସିଥିବା ଭୀଷଣ ବନ୍ୟାରେ ମୃତ୍ୟୁ ଓ ନିଖୋଜଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଆଜି ମୃତ୍ୟୁସଂଖ୍ୟା ୮୦୪କୁ ବୃଦ୍ଧି ପାଇଥିଲା ବେଳେ ୩ ହଜାରରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି । ଷଷ୍ଠ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ନେପାଳୀ ସେନା ଓ ଅର୍ଦ୍ଧସାମରିକ ବାହିନୀର ୧୮ ହଜାରରୁ ଅଧିକ ଯବାନ ନିୟୋଜିତ ଅଛନ୍ତି । ନେପାଳର ୧୧ଟି ଜଳବିଦ୍ୟୁତ ପ୍ରକଳ୍ପର ଟନେଲ ଭିତରେ ପ୍ରାୟ ୯୦୦ ଶ୍ରମିକ ଓ କର୍ମଚାରୀ ଫସି ରହିଥିବା ଆଶଙ୍କା କରାଯାଉଛି । ତେଣୁ ସେଠାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଭୋଟେକୋଶୀ ଓ ତ୍ରିଶୁଳୀ ନଦୀର ଜଳସ୍ତର ଆଜି ବଢ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ତେବେ ଉପର ମୁଣ୍ଡରେ ସୃଷ୍ଟି ହୋଇଥିବା ଅସ୍ଥାୟୀ ହ୍ରଦରୁ ପାଣି ନିଷ୍କାସିତ ହୋଇଥିବାରୁ ସମ୍ଭାବ୍ୟ ବନ୍ୟା ଆଶଙ୍କା ଟଳିଯାଇଛି ।
“ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ରିସ୍କ୍, ରେସପନ୍ସ ଷ୍ଟ୍ରାଟେଜିଜ୍ ଆଣ୍ଡ ଆଡାପ୍ଟେସନ୍ ଗ୍ୟାପ୍ସ ଇନ୍ ଦ ହିନ୍ଦୁକୁଶ ହିମାଳୟ ରିଜିଅନ୍’ ଶୀର୍ଷକ ଅଧ୍ୟୟନରେ ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟାକୁ ହିନ୍ଦୁକୁଶ ହିମାଳୟ ଅଞ୍ଚଳ ପାଇଁ ଏକ ପ୍ରମୁଖ ତଥା ବଢ଼ିଚାଲିଥିବା ବିପଦ ବୋଲି ବର୍ଣ୍ଣନା କରାଯାଇଛି । ବିଶ୍ୱତାପନ ବୃଦ୍ଧି ଯୋଗୁ ହିନ୍ଦୁକୁଶ ହିମାଳୟର ହିମବାହଗୁଡ଼ିକ ଦ୍ରୁତ ଗତିରେ ତରଳୁଛି । ଫଳରେ ବରଫ, ପଥର କିମ୍ୱା ପଟୁମାଟିର ପ୍ରାକୃତିକ ଅବରୋଧ ପଛରେ ପାଣି ଜମା ହୋଇ ହିମବାହ ହ୍ରଦ ସୃଷ୍ଟି ହେଉଛି । ଆଖପାଖର ହିମବାହରୁ ବରଫ ତରଳିବା କାରଣରୁ ଏହି ହ୍ରଦଗୁଡ଼ିକ ମଧ୍ୟରୁ କେତେକର ଆକାର ଆଶାତୀତ ଭାବେ ବଢ଼ିଯାଇଥାଏ । ଭୂମିକମ୍ପ, ଭୂସ୍ଖଳନ କିମ୍ୱା ବାଦଲଫଟା ବର୍ଷା ଭଳି ହଠାତ୍ ଘଟୁଥିବା ଘଟଣା ଏହି ପ୍ରାକୃତିକ ଅବରୋଧକୁ ଦୁର୍ବଳ କରିବାର ସମ୍ଭାବନା ରହିଥାଏ । ଏହା ଫଳରେ ବିପୁଳ ପରିମାଣର ପାଣି ତଳିଆ ଅଞ୍ଚଳକୁ ମାଡ଼ି ଆସି ବନ୍ୟାର ରୂପ ନେଇଥାଏ ।
ଏହି ଅଧ୍ୟୟନ ଅନୁଯାୟୀ, ୧୮୩୫ରୁ ୨୦୨୫ ମଧ୍ୟରେ ଚୀନରେ ୧୯୯ଟି ଜିଏଲ୍ଓଏଫ୍ ଘଟଣା ରେକର୍ଡ କରାଯାଇଛି, ଯାହା ଅଧ୍ୟୟନରେ ଅନ୍ତର୍ଭୁକ୍ତ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ । ପାକିସ୍ତାନରେ ୧୫୨ଟି ଘଟଣା ଘଟିଥିବା ବେଳେ ଭାରତରେ ୬୨ଟି ଏବଂ ନେପାଳରେ ୫୮ଟି ଘଟଣା ରେକର୍ଡ ହୋଇଛି । ତେବେ ଏହି ବିପର୍ଯ୍ୟୟ ଯୋଗୁ ଭାରତରେ ସର୍ବାଧିକ ୬,୧୧୯ ଜଣଙ୍କର ମୃତ୍ୟୁ ଘଟିଛି । ପାକିସ୍ତାନରେ ୧,୯୯୧ ଏବଂ ଚୀନରେ ୬୨୫ ଜଣଙ୍କର ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି । ଚାପାଗେନ ଏବଂ ତାଙ୍କ ସହଯାଗୀମାନେ “ଗ୍ଲୋବାଲ ମାଉଣ୍ଟେନ୍ ସେଫଗାର୍ଡ ରିସର୍ଚ୍ଚ ପ୍ରୋଗ୍ରାମ’ ମାଧ୍ୟମରେ ହିନ୍ଦୁକୁଶ ହିମାଳୟରେ ଜିଏଲ୍ଓଏଫ୍ ଘଟଣାଗୁଡ଼ିକର ଅଧ୍ୟୟନ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




