Maharashtra : ଝିଅର ପାଠପଢ଼ା ଖର୍ଚ୍ଚ ପାଇଁ ଶାଢ଼ି ପିନ୍ଧି ଖାଲି ପାଦରେ ମାରାଥନ୍ ଦୌଡ଼ିଲେ ମହାରାଷ୍ଟ୍ର ମହିଳା
ଜଣେ ମା’ ନିଜ ପିଲା ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିଦେଇପାରେ। ଅଭାବ ଅନଟନ କେବେ ମା’ର ବାଟରେ ବାଧା ସୃଷ୍ଟି କରିପାରେନା। ଏକଥା ପୁଣିଥରେ ପ୍ରମାଣକରିଦେଇଛନ୍ତି ମହାରାଷ୍ଟ୍ରର ଜଣେ ୪୭ ବର୍ଷୀୟା ମହିଳା।

ନୂଆଦିଲ୍ଲୀ: ଜଣେ ମା’ ନିଜ ପିଲା ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିଦେଇପାରେ। ଅଭାବ ଅନଟନ କେବେ ମା’ର ବାଟରେ ବାଧା ସୃଷ୍ଟି କରିପାରେନା। ଏକଥା ପୁଣିଥରେ ପ୍ରମାଣକରିଦେଇଛନ୍ତି ମହାରାଷ୍ଟ୍ରର ଜଣେ ୪୭ ବର୍ଷୀୟା ମହିଳା। ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଏହି ମହିଳା ଜଣକ ଖାଲି ପାଦରେ, ଶାଢ଼ି ପିନ୍ଧି ମାରାଥନ୍ ଦୌଡ଼ିଛନ୍ତି ଏବଂ ବିଜୟୀ ହୋଇ ପ୍ରଥମ ସ୍ଥାନ ପାଇଛନ୍ତି। ସେ ଯେଉଁ ପୁରସ୍କାର ଟଙ୍କା ପାଇଛନ୍ତି ତାହା ସେ ନିଜ ଝିଅର ପାଠପଢ଼ା ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି।
ଉକ୍ତ ମହିଳାଙ୍କ ନାଁ ରମାବାଈ ରଣବୀର। ତାଙ୍କ ଘର ଅମ୍ବଯୋଗାଇରେ। ସେ ସହରର ଏକ ଏକାଡେମିରେ ରୋଷେୟା ଭାବେ କାମ କରନ୍ତି। ସ୍ବାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ମହିଳା ଜଣକ ବହୁତ ସଂଘର୍ଷ ମଧ୍ୟରେ ନିଜର ୨ ଝିଅଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ୨ ଝିଅ ଯେମିତି ଭଲ୍ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ସେ ଦୃଢ଼ ପରିକର। ଏହି କାରଣ ପାଇଁ ସେ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଏକ ସ୍ଥାନୀୟ ଅନୁଷ୍ଠାନ ଦ୍ବାରା ଅମୃତ ଦୌଡ଼ ମାରାଥନ୍ ପ୍ରତିଯୋଗିତା କରାଯାଉଥିଲା। ଯିଏ ପ୍ରଥମ ସ୍ଥାନରେ ରହିବେ ସେ ୩ ହଜାର ଟଙ୍କା ପାଇବେ ବୋଲି ଘୋଷଣା କରାଯାଇଥିଲା।
ରମାବାଇ ଏଥିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ। ରମାବାଈ ଟ୍ରାକ୍ସୁଟ୍ ପିନ୍ଧା ଅନେକ ଯୁବ ଧାବିକାଙ୍କ ମଧ୍ୟରେ ଶାଢ଼ି ପିନ୍ଧି ଖାଲି ପାଦରେ ଦୌଡ଼ିଥିଲେ। ପ୍ରଥମେ ରମାବାଇ ସ୍ଲିପର୍ ପିନ୍ଧି ଦୌଡ଼ିଥିଲେ। କିନ୍ତୁ ଦୌଡ଼ ଆରମ୍ଭ ହେବାପରେ ସ୍ଲିପର୍ ଖସିଯିବାରୁ ସେ ଏହାକୁ ହାତରେ ଧରି ଖାଲି ପାଦରେ ଦୌଡ଼ିଥିଲେ। ରମାବାଈ ଶେଷରେ ବିଜୟୀ ହେଲେ। ତାଙ୍କର ଦୃଢ଼ ପ୍ରତିବଦ୍ଧତା ଦେଖି ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରମାବାଈଙ୍କ ଝିଅ ପୂଜା ମଧ୍ୟ ଏହି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। କିନ୍ତୁ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ।
ସୌଜନ୍ୟ ସମ୍ବାଦ




