ରାଜ୍ୟ

ଆଉ ରହିବନି ସାଂସଦଙ୍କ ଚାଳଘର, ଖୁବ୍‌ଶୀଘ୍ର କୋଠାଘର ନିର୍ମାଣ କରିବେ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି, ୦୧/୦୯: ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚାଳଘରେ ସରଳ ଜୀବନ ଯାପନ କରିବା, ନିମ୍ବ ଦାନ୍ତକାଠି ଘଷିବା, ନଳକୂପ ଓ ପୋଖରୀରେ ଗାଧୋଇବାର ଭିଡିଓ, ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏହା ରାଜ୍ୟ ଓ ଜାତୀୟ ଗଣମାଧ୍ୟମ ଖବରର ଶିରୋନାମା ପାଲଟିଥିଲା । ଦେଶରେ ଚର୍ଚ୍ଚିତ ଚେହେରା ସାଜିଥିବା ବେଳେ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସେ ସାମିଲ ହୋଇଥିଲେ । ତାଙ୍କ ଚାଳ ଘର ବଦଳରେ ନିର୍ମାଣ ହେବ କୋଠାଘର । ଏଭଳି ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ତଥା ନୀଳଗିରି ବ୍ଲକ ଗୋପୀନାଥପୁର ନିବାସୀ ପ୍ରତାପ ଷଡ଼ଙ୍ଗୀ ।

ପ୍ରମେୟ, ନିଉଜ-୭କୁ ସାକ୍ଷାତକାର ଦେବା ଅବସରରେ ବାଲେଶ୍ୱର ଜିଲ୍ଲାର ଅନେକ ସମସ୍ୟା ଓ ତାର ସମାଧାନ, ରାଜ୍ୟ ରାଜନୀତି ଓ କେନ୍ଦ୍ରର କିଛି ସମସ୍ୟା ନେଇ ପ୍ରଶ୍ନର ଉତ୍ତର ରଖିଥିଲେ । ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବନ ବିଭାଗର ଅସହଯୋଗ, ବନ୍ୟାପାଣି ନିଷ୍କାସନ ପାଇଁ ଚିଙ୍ଗୁଡ଼ି ଘେରି ଦାୟୀ, ବାଲେଶ୍ୱର ପ୍ରବେଶ ପଥ କୁରୁଡ଼ା ଠାରେ ଷ୍ଟ୍ରିଟ ଲାଇଟ୍ ନଜଳି ଅନ୍ଧାର ହେବା ଓ ବିଲ ପେମେଣ୍ଟ ନେଇ ପଞ୍ଚାୟତ ସ୍ତରରେ ସମସ୍ୟା ଇଦ୍ୟାଦିର ଉତ୍ତର ରଖିଥିଲେ । ତାଙ୍କ ଚାଳ ଘର ରହିବ ନା ବଦଳିବ ପ୍ରଶ୍ନର ଉତ୍ତରରେ ସେ ଚଳିତ ବର୍ଷ କୋଠାଘର ନିର୍ମାଣ କରିବେ ବୋଲି କହିଥିଲେ । ଚାଳଘରେ ରହିବାକୁ ଇଛା । ହେଲେ ସମ୍ପ୍ରତି ନଡ଼ା (କୁଟା) ମଜଭୁତ ନଥିବା କାରଣରୁ କୋଠାଘର ନିର୍ମାଣ ହେବ ବୋଲି କହିଛନ୍ତି । ତେବେ ଚାଳ ଛପର ଘରେ ସରଳ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବେ କୋଠାଘର ନିର୍ମାଣ ସୂଚନା ଦେବା ପରେ ତାଙ୍କର ଜୀବନ ଶୈଳୀ ଉପରେ ପୁଣି ଆଉ ଏକ ଚର୍ଚ୍ଚା ଜୋର ଧରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button