Nepal Flood: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୫୫କୁ ବୃଦ୍ଧି, ୪୨୦୦ ନିଖୋଜ, ନିଖୋଜଙ୍କ ପରିବାର ଠାରୁ ମଗାଗଲା DNA

କାଠମାଣ୍ଡୁ, ୦୧/୦୯: ନେପାଳରେ ଗତ ୨ ତାରିଖ ସକାଳେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୫୫କୁ ବୃଦ୍ଧି ପାଇଛି। ଏବେ ବି ୪,୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଯେଉଁଠାରୁ ଖୋଜିଲେ ସେଠାରୁ ମୃତଦେହ ମିଳୁଛି।
ନେପାଳରେ ନିଖୋଜଙ୍କ ପରିଚୟ ଚିହ୍ନଟ ନିମନ୍ତେ ସେମାନଙ୍କ ପରିବାର ଲୋକଙ୍କଠାରୁ ଡିଏନ୍ଏ ନମୁନା ମଗାଯାଇଛି। ପୁଲିସ ପିତାମାତା ଏବଂ ସନ୍ତାନମାନଙ୍କ ଡିଏନ୍ଏ ସହିତ ନିଖୋଜ ପରିଜନଙ୍କୁ ଶେଷଥର ପାଇଁ କେଉଁଠାରେ ଓ କେତେବେଳେ ଦେଖିଥିଲେ, ତାହା ବାବଦରେ ସବିଶେଷ ସୂଚନା ଦେବାକୁ କହିଛି। ନେପାଳ ବାହାରେ ରହୁଥିବା ଲୋକଙ୍କୁ ନିଜ ଦେଶରେ ଡିଏନ୍ଏ ପ୍ରୋଫାଇଲିଂ କରାଇ ରିପୋର୍ଟକୁ ଇମେଲ୍ ଦ୍ବାରା ପଠାଇବାକୁ କୁହାଯାଇଛି। ଫଳରେ ବନ୍ୟାରେ ନିଖୋଜ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ପାରିବ।
ବନ୍ୟାରେ ଭାସିଯାଇଥିବା ୧୭ ଲୋକଙ୍କ ମୃତଦେହ ସୋମବାର ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ଉଦ୍ଧାର କରାଯାଇଛି। ୧୩ ଶବ କୁଶିନଗରର ଖଜୁରୀ ଏବଂ ତମକୁହୀ ରାଜ ତହସିଲ ଅଞ୍ଚଳରୁ ମିଳିଛି। ୪ଟି ଶବ ମହାରାଜଗଞ୍ଜସ୍ଥିତ ନିଚଲୌଲ ତହସିଲ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ୪ଟି ଶବକୁ ନେପାଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏଥିରେ ୩ ମହିଳାଙ୍କ ମୃତଦେହ ରହିଛି।ଉଦ୍ଧାର ଅଭିଯାନ ସାଙ୍ଗକୁ ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ଭାଗରେ ଉଦ୍ଧାର ହୋଇଥିବା ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। କିନ୍ତୁ ଅନେକ ମୃତକଙ୍କ ପରିଚୟ ଅଦ୍ୟାବଧି ଚିହ୍ନଟ ହୋଇପାରି ନାହିଁ। ଫଳରେ ଅନ୍ତିମ ସଂସ୍କାର ବିଳମ୍ବିତ ହେଉଛି।
ସୌଜନ୍ୟ ପ୍ରମେୟ




