House Collapse: ଲଗାଣ ବର୍ଷାରେ ଭୁଶୁଡ଼ିଲା ଚାଳ ଘର, ମହିଳା ମୃତ

ବାଙ୍ଗିରିପୋଷି, ୧।୯: ଲଗାଣ ବର୍ଷା ଆଣିଦେଲା ଆଉ ଏକ ଦୁଃଖଦ ଅଘଟଣ । ସ୍ୱାମୀ ଆଖି ଆଗରେ ସଦା ଦିନ ପାଇଁ ଆଖି ବୁଜିଲେ ସ୍ତ୍ରୀ । କୁଟା ଛପର କଞ୍ଚାଘର ହଠାତ ଭାଙ୍ଗି ପଡ଼ିବାରୁ ମାଟି ଓ କାଠ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ଭୁଲଣପୁର ଗ୍ରାମରୁ ସାମ୍ନାକୁ ଆସିଛି । ଗତ ଦୁଇ ଦିନ ହେବ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଭୁଲଣପୁର ଗ୍ରାମର ଶୁକୁଲାଲ ସିଂ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସିଂ ନିଜ କୁଟା ଚାଳିଆ ଘର ଓଦା ହୋଇ ନଷ୍ଟ ହୋଇଯିବା ଭୟରେ ଥିଲେ । ଘର ଭିତରେ ଥିବା ଆସବାବପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଦମ୍ପତି ମିଶି ବାହାରକୁ ଆଣୁଥିଲେ । ତେବେ ସାମଗ୍ରୀ କାଢ଼ୁଥିବା ସମୟରେ ଲଗାଣ ବର୍ଷାରେ କୁଟା ଚାଳିଆ ଘରଟି ହଠାତ୍ ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା ।
ଘର ଭାଙ୍ଗିବା ସମୟରେ ସ୍ୱାମୀ ଶୁକୁଲାଲ ସିଂ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀ ସିଂ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭୁଶୁଡ଼ି ପଡ଼ିଥିବା ମାଟି ଓ କାଠ ତଳୁ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ୱୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ସୌଜନ୍ୟ ପ୍ରମେୟ




