Hottest August: ୧୨୫ ବର୍ଷରେ ସବୁଠୁ ଉତ୍ତପ୍ତ ଅଗଷ୍ଟ: ବର୍ଷା ସତ୍ତ୍ବେ କାହିଁକି ବଢ଼ିଲା ତାତି?
ଦେଶର ଅଧିକାଂଶ ଅଞ୍ଚଳରେ ଅଗଷ୍ଟ ମାସରେ ପ୍ରବଳ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ ୨୦୨୬ର ଅଗଷ୍ଟ ୧୯୦୧ରୁ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ସବୁଠୁ ଉତ୍ତପ୍ତ ଅଗଷ୍ଟ ଭାବେ ରେକର୍ଡ ହୋଇଛି।

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ ଅଗଷ୍ଟ ମାସରେ ପ୍ରବଳ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ ୨୦୨୬ର ଅଗଷ୍ଟ ୧୯୦୧ରୁ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ସବୁଠୁ ଉତ୍ତପ୍ତ ଅଗଷ୍ଟ ଭାବେ ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ତଥ୍ୟ ଅନୁସାରେ, ଅଗଷ୍ଟରେ ଦେଶର ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରି ସେଲ୍ସିୟସ୍ ରହିଥିଲା। ଏହା ୧୯୯୧ରୁ ୨୦୨୦ ମଧ୍ୟରେ ଥିବା ସାଧାରଣ ହାରାହାରି ତାପମାତ୍ରାଠାରୁ ୦.୬୭ ଡିଗ୍ରି ଅଧିକ।
ବର୍ଷା ଯୋଗୁ ଦିନର ତାପମାତ୍ରା ସବୁ ଅଞ୍ଚଳରେ ବହୁତ ଅଧିକ ବଢ଼ିନଥିଲା। ତେବେ ଏଥର ଅଗଷ୍ଟର ତାପମାତ୍ରା ବୃଦ୍ଧି ପଛରେ ମୁଖ୍ୟ କାରଣ ଥିଲା ରାତିର ତାପମାତ୍ରା। ରାତିରେ ମଧ୍ୟ ତାପମାତ୍ରା ଆଶାନୁରୂପ କମି ନ ଥିବାରୁ ଦିନ ଓ ରାତିର ମିଶ୍ରିତ ହାରାହାରି ତାପମାତ୍ରା ଅଧିକ ରହିଥିଲା। ମୌସୁମୀ ବର୍ଷା ସାଧାରଣତଃ ମେଘ ଓ ଜଳୀୟବାଷ୍ପ ଯୋଗୁ ଦିନର ତାତି କମାଇଥାଏ। କିନ୍ତୁ ଅଧିକ ଆର୍ଦ୍ରତା ରହିବା ଏବଂ ରାତିରେ ତାପମାତ୍ରା ଯଥେଷ୍ଟ ହ୍ରାସ ନ ହେବା ଯୋଗୁ ଗରମ ଅନୁଭୂତି ଜାରି ରହିଥିଲା। ଫଳରେ ବର୍ଷାପ୍ରବଣ ମାସ ହୋଇଥିଲେ ମଧ୍ୟ ମାସିକ ହାରାହାରି ତାପମାତ୍ରା ନୂଆ ରେକର୍ଡ କରିଛି। ଏହି ରେକର୍ଡ ଭାରତରେ ବଦଳୁଥିବା ତାପମାତ୍ରାର ଧାରାକୁ ମଧ୍ୟ ଦର୍ଶାଉଛି।
ତାପମାତ୍ରା ବୃଦ୍ଧି କେବଳ ଦିନର ଅଧିକ ତାତିରେ ସୀମିତ ନ ରହି ରାତିର ତାପମାତ୍ରାରେ ମଧ୍ୟ ପ୍ରତିଫଳିତ ହେଉଛି। ଏହା ଫଳରେ ଲୋକଙ୍କୁ ଦିନ ଓ ରାତି ଉଭୟ ସମୟରେ ଅଧିକ ଗରମ ଅନୁଭବ ହେଉଛି। ଆଇଏମ୍ଡିର ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟର ୨୮.୦୧ ଡିଗ୍ରି ସେଲ୍ସିୟସ୍ ହାରାହାରି ତାପମାତ୍ରା ୧୨୫ ବର୍ଷର ରେକର୍ଡରେ ଏହି ମାସକୁ ସବୁଠୁ ଉତ୍ତପ୍ତ ଅଗଷ୍ଟରେ ପରିଣତ କରିଛି।
ସୌଜନ୍ୟ ସମ୍ବାଦ




