ଦେଶ ବିଦେଶ

US: ଇରାନ ଯୁଦ୍ଧରେ ଆମେରିକାର କ୍ଷେପଣାସ୍ତ୍ର ଭଣ୍ଡାର ଖାଲି ହେଉଛି: ଚୀନ୍‌ ଓ ରୁଷ୍‌ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ନେଇ ବଢ଼ିଲା ଚିନ୍ତା

ଇରାନ ବିରୋଧରେ ଛଅ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁ ଆମେରିକାର କ୍ଷେପଣାସ୍ତ୍ର ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଭଣ୍ଡାର ଦ୍ରୁତ ଗତିରେ କମିବାରେ ଲାଗିଛି।

ୱାସିଂଟନ: ଇରାନ ବିରୋଧରେ ଛଅ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁ ଆମେରିକାର କ୍ଷେପଣାସ୍ତ୍ର ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଭଣ୍ଡାର ଦ୍ରୁତ ଗତିରେ କମିବାରେ ଲାଗିଛି। ଇରାନ ପକ୍ଷରୁ ଲଗାତାର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଆମେରିକା ହଜାର ହଜାର ପ୍ରତିରୋଧୀକ୍ଷେପଣାସ୍ତ୍ରବ୍ୟବହାର କରିଛି। ଫଳରେ ନିଜର ଭଣ୍ଡାର ଉପରେ ଚାପ ବଢ଼ିବା ସହ ଆମେରିକାକୁ ୟୁରୋପ ଓ ଏସିଆରେ ରଖାଯାଇଥିବା ଅସ୍ତ୍ର ମଧ୍ୟପ୍ରାଚ୍ୟକୁ ପଠାଇବାକୁ ପଡ଼ୁଛି।

ଆମେରିକାର ପ୍ୟାଟ୍ରିଅଟ୍‌ ବାୟୁ ପ୍ରତିରକ୍ଷା ପ୍ରଣାଳୀର ପ୍ରତିରୋଧୀ କ୍ଷେପଣାସ୍ତ୍ର ଭଣ୍ଡାରରେ ସବୁଠାରୁ ଅଧିକ ହ୍ରାସ ଦେଖାଯାଇଛି। ରଏଟର୍ସ ଓ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ୍‌ ଆଣ୍ଡ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଷ୍ଟଡିଜ୍‌ (ସିଏସ୍‌ଆଇଏସ୍‌)ର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ପୂର୍ବରୁ ଆମେରିକା ପାଖରେ ପ୍ରାୟ ୨,୩୩୦ଟି ପ୍ୟାଟ୍ରିଅଟ୍‌ ପ୍ରତିରୋଧୀ କ୍ଷେପଣାସ୍ତ୍ର ଥିଲା। ଫେବ୍ରୁଆରିରୁ ଜୁଲାଇ ମଧ୍ୟରେ ଏହାର ପ୍ରାୟ ୬୫ ପ୍ରତିଶତ ବ୍ୟବହାର ହୋଇଯାଇଛି ଏବଂ ଏବେ ୮୫୦ରୁ କମ୍‌ କ୍ଷେପଣାସ୍ତ୍ର ରହିଥିବା କୁହାଯାଉଛି।
ଇରାନୀ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍‌କୁ ରୋକିବା ପାଇଁ ଅନେକ ସମୟରେ ଆମେରିକାକୁ ଗୋଟିଏ ଲକ୍ଷ୍ୟ ବିରୋଧରେ ଦୁଇ କିମ୍ବା ତିନିଟି ପ୍ରତିରୋଧୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ପଡ଼ୁଛି।

ଫଳରେ ଭଣ୍ଡାର ଉପରେ ଚାପ ବଢ଼ିଛି। ପ୍ୟାଟ୍ରିଅଟ୍‌ ପ୍ରତିରୋଧୀ କ୍ଷେପଣାସ୍ତ୍ର ବର୍ଷକୁ ପ୍ରାୟ ୬୦୦ଟି ଉତ୍ପାଦନ କରାଯାଉଥିବା ବେଳେ ଗୋଟିଏ କ୍ଷେପଣାସ୍ତ୍ର ତିଆରି ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ। କେବଳ ପ୍ୟାଟ୍ରିଅଟ୍‌ ନୁହେଁ, ଟମାହକ୍‌, ଏଟିଏସିଏମ୍‌ଏସ୍‌ ଓ ପ୍ରିସିଜନ୍‌ ଷ୍ଟ୍ରାଇକ୍‌ ମିସାଇଲ୍‌ ଭଳି ଦୂରଗାମୀ କ୍ଷେପଣାସ୍ତ୍ରର ଭଣ୍ଡାର ମଧ୍ୟ କମିଛି। ଅଗଷ୍ଟରେ ରଏଟର୍ସ ପ୍ରକାଶ କରିଥିଲା ଯେ ଆମେରିକା ସେନା ଏଟିଏସିଏମ୍‌ଏସ୍‌ ଓ ପ୍ରିସିଜନ୍‌ ଷ୍ଟ୍ରାଇକ୍‌ ମିସାଇଲ୍‌ର ପ୍ରାୟ ସମସ୍ତ ଭଣ୍ଡାର ବ୍ୟବହାର କରିସାରିଛି। ଏହି ପରିସ୍ଥିତି ଆମେରିକାର ଚୀନ୍‌ ଓ ରୁଷ୍‌ ବିରୋଧରେ ସାମରିକ ପ୍ରସ୍ତୁତି ନେଇ ଚିନ୍ତା ବଢ଼ାଇଛି। ଏସିଆରେ ଜାପାନ, ଦକ୍ଷିଣ କୋରିଆ ଓ ତାଇୱାନ୍‌ ଭଳି ଆମେରିକୀୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟ ଅସ୍ତ୍ର ଯୋଗାଣରେ ବିଳମ୍ବର ସମ୍ମୁଖୀନ ହେଉଛନ୍ତି। ଆମେରିକାର ଅସ୍ତ୍ର ଭଣ୍ଡାର ପୁଣି ପୂରଣ କରିବାକୁ ଅନେକ ବର୍ଷ ଲାଗିପାରେ ବୋଲି ରିପୋର୍ଟରେ କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button