PM SHRI Funds: ପିଏମଶ୍ରୀ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ କରୁନାହାନ୍ତି ୧୦ବ୍ଲକ୍
ନବରଙ୍ଗପୁରରେ ପିଏମ୍ଶ୍ରୀ ଯୋଜନାରେ ମିଳିଥିବା କୋଟି କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନାହିଁ। ୧୦ ବ୍ଲକ୍ର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ।

ନବରଙ୍ଗପୁର: ଉଚ୍ଚବିଦ୍ୟାଳୟଗୁଡ଼ିକର ଅନୁସଙ୍ଗିକ ଭିତ୍ତିଭୂମିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପିଏମଶ୍ରୀ, ଶୌଚାଳୟ, ଭିତ୍ତିଭୂମି ସୁଧାରିବା ପାଇଁ ବ୍ଲକକୁ ୧୩କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ୪ବର୍ଷ ମଧ୍ୟରେ ଏଥିରୁ କେବଳ ୨କୋଟି ୨୩ଲକ୍ଷର ହିଁ ବିନିଯୋଗ ପ୍ରମାଣପତ୍ର ଦାଖଲ କରିଛନ୍ତି।
ଖବର ନେବାକୁ ଜଣାଯାଇଛି, ଜିଲ୍ଲାର ଉମରକୋଟ ବ୍ଲକ୍ରେ ୩ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡାହାଣ୍ଡି , ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ୨ଟି ଲେଖାଏଁ, ନବରଙ୍ଗପୁର ପୌରପାଳିକା, ଚନ୍ଦାହାଣ୍ଡି, ଡାବୁଗାଁ, ଝରିଗାଁ, କୋଷାଗୁମୁଡା ଓ ଉମରକୋଟ ପୌରପାଳିକାରେ ଗୋଟିଏ ଲେଖାଏଁ ହାଇସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦେଇ ପରିବର୍ଦ୍ଧିତ କରାଯାଇଛି। ପ୍ରଥମ ପର୍ଯ୍ୟାୟର ୧୯ଟି ପିଏମଶ୍ରୀ ହାଇସ୍କୁଲର ମରାମତି ପାଇଁ ୪ଲକ୍ଷ, ଖେଳ ପଡ଼ିଆ ଉନ୍ନୟନ ପାଇଁ ୫ଲକ୍ଷ, ସୌନ୍ଦର୍ଯ୍ୟୀକରଣପାଇଁ ୩ଲକ୍ଷ, ସେଲଫି ପଏଣ୍ଟ ଉନ୍ନୟନ ପାଇଁ ୩ଲକ୍ଷ, ବିଦ୍ୟାଳୟ ସାଇନେଜ ପାଇଁ ୨୦ହଜାର ଓ ଏଲ୍ଇଡି ଲାଇଟିଂ ପାଇଁ ୨ହଜାର ଏଭଳି ସ୍କୁଲ ପିଛା ୧୨ଲକ୍ଷ ୫୨ହଜାର ସର୍ବମୋଟ ୨କୋଟି ୩୭ଲକ୍ଷ ୮୮ହଜାର ଅନୁଦାନ ମଞ୍ଜୁର ହେବା ସହ କାର୍ଯ୍ୟନ୍ବୟନ କରିବାକୁ ବିଡିଓ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୮୪ଲକ୍ଷ ୬୩ହଜାର ୬୦୬ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ବେଳେ ୧କୋଟି ୫୩ଲକ୍ଷ ୨୪ହଜାର ୩୯୪ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନି।
ଏହା ବ୍ୟତୀତ, ଚେୟାରଟେବୁଲ, ଆସବାବପତ୍ର, ଲାଇବ୍ରେରୀ ଓ ଶୌଚାଳୟ ଆଦି ନୂତନ ଭାବେ ନିର୍ମାଣ କରିବା ପାଇଁ ହାଇସ୍କୁଲ ପିଛା ୮୫ଲକ୍ଷ ୫୦ହଜାର ଲେଖାଏଁ କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି। ଏହି ଅନୁଦାନର ବିନିୟୋଗ ଦାୟିତ୍ବ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ଏଥିରୁ ୧୯ଟିରୁ ୧୦ଟି ସକ୍ଷମକେନ୍ଦ୍ର, ୭ଟି ଲାଙ୍ଗୁଏଜ୍ ଲ୍ୟାବ, ୨ଟି ବ୍ୟାରିଆର ପ୍ରି ଏସେସ୍ ର କାମ ସରିଛି। ତେବେ ଏହାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନି।
ସୌଜନ୍ୟ ସମ୍ବାଦ




