ରାଜ୍ୟ

ଗ୍ରୀନ୍‌ ବିଲ୍ଡିଂରେ ୨୪% ପର୍ଯ୍ୟନ୍ତ ଖର୍ଚ୍ଚ ସଞ୍ଚୟ ସମ୍ଭବ

ଭୁବନେଶ୍ୱର,୨ା୯ (ରବିନାରାୟଣ ଜେନା): ସୌର ଓ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା କେବଳ ଯେ ପରିବେଶକୁ ସୁସ୍ଥ ଓ ସବୁଜ ରଖାଯାଇପାରିବ ତାହା ନୁହେଁ, ପରିବାରର ଖର୍ଚ୍ଚ ୨୪% ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି କହିଛନ୍ତି।
ଲୋକଭବନର ନ୍ୟୁ-ଅଭିଷେକ ହଲ୍‌ରେ ମଙ୍ଗଳବାର ଭାରତୀୟ ଗ୍ରୀନ୍‌ ବିଲ୍ଡିଂ କାଉନ୍‌ସିଲ୍‌(ଆଇଜିବିସି)ର ସାର୍ଟିଫିକେଶନ ପ୍ରଦାନ ଓ ଖବରଦାତାଙ୍କ ସହ ଭାବବିନିମୟ ଅବସରରେ ଡ. କମ୍ଭମ୍‌ପାଟି କହିଛନ୍ତି, ଗ୍ରୀନ୍‌ ବିଲ୍ଡିଂ ଓ ଶକ୍ତି ସଞ୍ଚୟ ଉପରେ ଗୁରୁତ୍ୱ ଦେଲେ ଭବିଷ୍ୟତରେ ବିଦ୍ୟୁତ୍‌ ଖର୍ଚ୍ଚ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚରେ ବଡ଼ ସଞ୍ଚୟ କରାଯାଇପାରିବ। ଏହାଦ୍ୱାରା କେବଳ ପରିବେଶ ସୁରକ୍ଷା ନୁହେଁ, ଦୀର୍ଘମିଆଦୀ ପରିଚାଳନା ଖର୍ଚ୍ଚ ମଧ୍ୟ କମିଥାଏ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋଓ୍ବାଟ୍‌ ପର୍ଯ୍ୟନ୍ତ ୧ ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଏହି ସୌରପ୍ରକଳ୍ପ କାର୍ଯ୍ୟକ୍ରମକୁ ବ୍ୟାପକ କରାଗଲେ ଶକ୍ତି ଚାହିଦା ହ୍ରାସ ହେବା ସହ ପରିବେଶ ଉପରେ ଚାପ ମଧ୍ୟ କମିବ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକଭବନ ଭାରତୀୟ ଗ୍ରୀନ୍‌ ବିଲ୍ଡିଂ କାଉନ୍‌ସିଲର ଗ୍ରୀନ୍‌ କ୍ୟାମ୍ପସ୍‌ ରେଟିଂ ସିଷ୍ଟମ ଅଧୀନରେ ପ୍ଲାଟିନମ୍‌ ପ୍ରମାଣପତ୍ର ହାସଲକରି ଦେଶର ପ୍ରଥମ ପ୍ଲାଟିନମ୍‌ ପ୍ରମାଣପତ୍ର ପ୍ରାପ୍ତ ଲୋକଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଲୋକଭବନ ୧୦୦ରୁ ୮୮ ଅଙ୍କ ହାସଲକରି ଆଇଜିବିସି ରେଟିଂ ବ୍ୟବସ୍ଥାର ସର୍ବୋଚ୍ଚ ବର୍ଗରେ ସ୍ଥାନ ପାଇଛି। ଏହାକୁ ନେଇ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ପାଇଁ ଏହା ଗର୍ବର ବିଷୟ। ସବୁଜିମା, ସ୍ବଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର, ବୈଦ୍ୟୁତିକ ଯାନର ବ୍ୟବହାର ସମେତ ବିଭିନ୍ନ ପଦକ୍ଷେପକୁ ଏହି ପ୍ରମାଣପତ୍ରରେ ସ୍ବୀକୃତି ମିଳିଛି। ଆଗାମୀ ଦିଲ୍ଲୀ ଗସ୍ତ ସମୟରେ ଏହି ପ୍ରମାଣପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖାଇବେ ବୋଲି ଡ. କମ୍ଭମ୍‌ପାଟି କହିଛନ୍ତି।
ରାଜ୍ୟପାଳ ପୁଣି କହିଛନ୍ତି, ଲୋକଭବନ ବାହାରେ ମଧ୍ୟ ଏହି ସବୁଜ ବାର୍ତ୍ତାକୁ ପହଞ୍ଚାଇବାକୁ ହେବ। ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ସବୁଜ ପ୍ରମାଣପତ୍ର ହାସଲ କରିବା ସହିତ ପରିବେଶ ସଚେତନତା ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ପ୍ରତିବର୍ଷ ଅନେକ ହଜାର ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବାରୁ ସେମାନେ ପରିବେଶ ସୁରକ୍ଷାର ରାଷ୍ଟ୍ରଦୂତ(ଆମ୍ବାସାଡର) ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ।
ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ିଲେ ପରିସରକୁ ସ୍ବଚ୍ଛ ଶକ୍ତି ଆଡ଼କୁ ଆହୁରି ଦୃଢ଼ତାର ସହ ନେବା ସମ୍ଭବ ହୋଇପାରିବ। ପୁରୀସ୍ଥିତ ଲୋକଭବନକୁ ମଧ୍ୟ ସବୁଜ ପ୍ରମାଣପତ୍ର ହାସଲ କରାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି।
ଏହି ଅବସରରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆଗାମୀ ଦିନରେ ସରକାରୀ କୋଠାବାଡ଼ି ନିର୍ମାଣ ବେଳେ ବିଭାଗ ପକ୍ଷରୁ ‘ଆଇଜିବିସି’ କରିବା ପାଇଁ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା ରହିବ। ଆଇଜିବିସି ଅଧ୍ୟକ୍ଷ ସି. ଶେଖର ରେଡ୍ଡୀ ଓଡ଼ିଶାରେ ଉନ୍ନତିଭବନ, ଶକ୍ତିଭବନ ଭଳି ୨୮୫ଟି କୋଠା ‘ଆଇଜିବିସି’ ମାନ୍ୟତା ପାଇବା ପାଇଁ ଆବେଦନ ଆସିଥିବା କହିଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଓ ରାଜ୍ୟପାଳଙ୍କ ସଚିବ ରୂପାରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button