ଅମ୍ବାଭୋନାରେ କଲରାପତରିଆ ଆତଙ୍କ: କୁକୁର ଶିକାରର ଭିଡିଓ ଭାଇରାଲ୍, ଟ୍ରାକ୍ କରୁଛି ବନ ବିଭାଗ

ଅମ୍ବାଭୋନା/ବରଗଡ଼, ୦୩/୦୯ ବରଗଡ଼ ଜିଲା ଅମ୍ୱାଭୋନା ବ୍ଲକ ଜରିମୂଲୀ ଲାଉନସରା ଅଞ୍ଚଳରେ ଏକ କଲରାପତରିଆ ବୁଲା କୁକୁରକୁ ଶିକାର କରିଛି । ଲାଉନସରା ଜଙ୍ଗଲ ନିକଟ “ସମ୍ପର୍କର ସେତୁ’ ନିର୍ମାଣ ସ୍ଥଳ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହଠାତ୍ ଜଙ୍ଗଲରୁ ଉକ୍ତ ବାଘ ବାହାରି ରାସ୍ତା ନିକଟକୁ ଆସୁଛି ଏବଂ ଏକ ବୁଲା କୁକୁରକୁ ଝାମ୍ପ ମାରି ଶିକାର କରି ଜଙ୍ଗଲକୁ ଚାଲିଯାଉଛି । ଏ ସମସ୍ତ ଦୃଶ୍ୟ ଜଙ୍ଗଲ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।ବନ ଅଧିକାରୀ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।
ବାଘ ଗତିବିଧି ସ୍ପଷ୍ଟ ହେବା ପରେ ରାତିରେ ଗୃହପାଳିତ ପ୍ରାଣୀଙ୍କୁ ତାଟିକବାଟ ଦେଇ ରଖିବାକୁ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସରୋଜ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି । ଅମ୍ୱାଭୋନା ବନାଞ୍ଚଳରେ ୩୦ରୁ ୪୦ କଲରାପତରିଆ ଅଛନ୍ତି । ବାଘ ମୁଖ୍ୟତଃ ବନ୍ୟପ୍ରାଣୀ ଶିକାର କରିଥାଆନ୍ତି । ଖାଦ୍ୟାଭାବ ହେଲେ କିମ୍ବା ଶିକାର ନ ମିଳିଲେ, ସେମାନେ ଜନବସତିକୁ ଆସନ୍ତି । ଏହି ସମୟରେ ଛେଳି, ମେଣ୍ଢା, ଛୋଟ ବାଛୁରି ଏବଂ କୁକୁର ଶିକାର କରିଥାନ୍ତି । ବନ ବିଭାଗ ବାଘକୁ ଟ୍ରାକ୍ କରୁଛି । ଭୟଭୀତ ନ ହୋଇ ସତର୍କ ରହିବାକୁ ଡିଏଫ୍ଓ ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ସୌଜନ୍ୟ ପ୍ରମେୟ




