ଜାତୀୟ

Missing People In Nepal: ନେପାଳ ବନ୍ୟା: ପରିଜନଙ୍କୁ ଖୋଜୁଛନ୍ତି ପରିବାର, କାନ୍ଥରେ ଝୁଲୁଛି ନିଖୋଜ ଲୋକଙ୍କ ମାଳ ମାଳ ଫଟୋ

ନେପାଳ ୦୩/୦୪ : ହଜାର ହଜାର ପରିବାରକୁ ଯନ୍ତ୍ରଣା ଦେଇଗଲା ନେପାଳ ବନ୍ୟା । ବନ୍ୟାରେ ଭାସିଯାଇଥିବା ଅନେକ ଲୋକଙ୍କର ଏବେ ବି ପତ୍ତା ମିଳୁନି । ଏହି ସ୍ଥିତିରେ ରାଜଧାନୀ କାଠମାଣ୍ଡୁରେ ଏକ କାନ୍ଥ ଏହି ପରିବାରଙ୍କ ପାଇଁ ଶେଷ ଆଶା ହୋଇଛି । ଏହି କାନ୍ଥରେ ବନ୍ୟା ପରେ ନିଖୋଜ ଲୋକଙ୍କ ଫଟୋ ଲଗାଉଛନ୍ତି ସେମାନଙ୍କ ଶୋକାକୁଳ ପରିଜନ । କିଏ କହୁଛି, ଫଟୋ ଦେଖି କେହି ପରିଜନଙ୍କ ବିଷୟରେ ସୂଚନା ଦେବ । ଆଉ କିଏ ନିଖୋଜ ପରିଜନର ଶବ ମିଳିବା ଆଶାରେ ଚାହିଁ ବସିଛି ।

କାଠମାଣ୍ଡୁର ଟିୟୁ ଚିଟିଙ୍ଗ ହସ୍ପିଟାଲ ବାହାରେ ପ୍ରାୟ ୨୫ ମିଟର ଅର୍ଥାତ୍ ହାରାହାରି ୮୦ ଫୁଟ ଲମ୍ବା କାନ୍ଥରେ ନିଖୋଜ ଲୋକଙ୍କ ଫଟୋ ଲାଗିଛି । କେବଳ କାନ୍ଥରେ ନୁହେଁ, ହସ୍ପିଟାଲ ବାହାରେ ଲାଗିଥିବା ଖୁଣ୍ଟରେ ମଧ୍ୟ ମାଳ ମାଳ ଫଟୋ ଲାଗିଛି । ଏହି ଫଟୋରେ ପିଲା, ବୃଦ୍ଧ, ମହିଳା ଓ ଯୁବା ଆଦି ସାମିଲ । ନେପାଳୀଙ୍କ ସମେତ ଅନେକ ବିଦେଶୀ ନାଗରିକଙ୍କ ଫଟୋ ଏଠାରେ ଲାଗିଛି । ସବୁ ଫଟୋ ପଛରେ ଗୋଟିଏ ପରିବାରର କାହାଣୀ ଓ ନିଜ ଲୋକଙ୍କ ଫେରିବାର ଆଶା ଲୁଚି ରହିଛି । ଏହି ଭୟାବହ ବିପର୍ଯ୍ୟୟ ପରେ ପ୍ରାୟ ୪,୫୦୦ ଲୋକ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୪ ହଜାର ଲୋକ ନେପାଳର । ପ୍ରାୟ ୬୦୦ ବିଦେଶୀ ନାଗରିକ ବି ନିଖୋଜ ଅଛନ୍ତି ।

୪୬ ବର୍ଷୀୟ ପ୍ରକାଶ ଛେତ୍ରୀ ଏହି ଆଶାରେ ହସ୍ପିଟାଲରେ ପହଞ୍ଚିଛନ୍ତି । ସେ ନିଜ ଭାଇଙ୍କ ଫଟୋ କାନ୍ଥରେ ଲଗାଇଛନ୍ତି । ତାଙ୍କ ଭାଇ ୯ ଜଣ ତୀର୍ଥଯାତ୍ରୀଙ୍କୁ ଗୋସାଈକୁଣ୍ଡ ନେଇ ଯାଉଥିଲେ । ବନ୍ୟା ସମୟରେ ତାଙ୍କ ବାହନ ଭାସିଗଲା । ୯ ଜଣଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ଡେଇଁ ଜୀବନ ବଞ୍ଚାଇବାରେ ସଫଳ ହେଲେ । ଭାଇ ଏବେ ବି ଜୀବିତ ଥିବା ପ୍ରକାଶ ଆଶା ବାନ୍ଧିଛନ୍ତି । ୫୮ ବର୍ଷୀୟ ଚାଳକ ଦେବୁ ସାପକୋଟା ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି । ନିଜର ୮୩ ବର୍ଷୀୟ ଶାଶୂ ଓ ନାତୁଣିର ଫଟୋକୁ କାନ୍ଥରେ ଲଗାଇଛନ୍ତି । ବନ୍ୟାରେ ଉଭୟ ତ୍ରିଶୂଳୀ ବଜାରରେ ଭାସିଯାଇଥିଲେ । ଦେବୁ କହନ୍ତି, ଏବେ ସେମାନଙ୍କ ବଞ୍ଚିବାର ଆଶା ନାହିଁ, କେବଳ ଶବ ମିଳିବା ଆଶା ନେଇ ସେ ହସ୍ପିଟାଲକୁ ଆସିଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button