High Court: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୟ ଅଗ୍ରୱାଲ
ରାଜସ୍ଥାନ ହାଇକୋର୍ଟରେ ଚାଲିଥିବା ‘ଦୁର୍ନୀତି, ସ୍ୱଜନପୋଷଣ ଓ ପକ୍ଷପାତିତା’ ଅଭିଯୋଗ ମଧ୍ୟରେ କେନ୍ଦ୍ର ସରକାର ଶନିବାର ରାତିରେ ଜଷ୍ଟିସ୍ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି।

ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟରେ ଚାଲିଥିବା ‘ଦୁର୍ନୀତି, ସ୍ୱଜନପୋଷଣ ଓ ପକ୍ଷପାତିତା’ ଅଭିଯୋଗ ମଧ୍ୟରେ କେନ୍ଦ୍ର ସରକାର ଶନିବାର ରାତିରେ ଜଷ୍ଟିସ୍ ସଞ୍ଜୟ କୁମାର ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହାଦ୍ୱାରା ପ୍ରାୟ ଏକ ବର୍ଷ ପରେ ରାଜସ୍ଥାନ ହାଇକୋର୍ଟକୁ ଜଣେ ନିୟମିତ ମୁଖ୍ୟ ବିଚାରପତି ମିଳିବାର ବାଟ ଖୋଲିଛି। ଜଷ୍ଟିସ୍ ଅଗ୍ରୱାଲ ଏବେ ଛତିଶଗଡ଼ ହାଇକୋର୍ଟର ବିଚାରପତି ଅଛନ୍ତି। ଏଥି ସହ ଅନ୍ୟ ୭ଟି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଘୋଷଣା କରାଯାଇଛି।
ସୁପ୍ରିମ୍କୋର୍ଟ କଲେଜିୟମ୍ ଅଗଷ୍ଟ ୩୧ରେ ଜଷ୍ଟିସ୍ ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ସୁପାରିସ କରିଥିଲା। ଏହାର ୪ ଦିନ ପରେ କେନ୍ଦ୍ର ସରକାର ନିଯୁକ୍ତି ଅଧିସୂଚନା ଜାରି କରିଛନ୍ତି। ଶନିବାର ରାତିରେ କେନ୍ଦ୍ର ୮ଟି ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ଘୋଷଣା କରିଛି।
ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ପ୍ରକାଶ ଶର୍ମାଙ୍କ ବିରୋଧରେ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଅଭିଯୋଗ ଆଣିଥିଲେ। ସେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଅଗଷ୍ଟ ୨, ୧୦ ଓ ୧୭ ତାରିଖରେ ତିନୋଟି ଚିଠି ଲେଖି ଜଷ୍ଟିସ୍ ଶର୍ମାଙ୍କ ବିରୋଧରେ ଦୁର୍ନୀତି, ସ୍ୱଜନପୋଷଣ, ପକ୍ଷପାତିତା ଓ ପ୍ରଶାସନିକ କ୍ଷମତାର ଦୁରୁପଯୋଗ ଭଳି ଅଭିଯୋଗ ଆଣିଥିଲେ। ତାଙ୍କୁ ରାଜସ୍ଥାନରୁ ଅନ୍ୟତ୍ର ବଦଳି କରିବା ସହ ଅନ୍ୟ ହାଇକୋର୍ଟରୁ ଜଣେ ନିୟମିତ ମୁଖ୍ୟ ବିଚାରପତି ନିଯୁକ୍ତ କରିବାକୁ ମଧ୍ୟ ଜଷ୍ଟିସ୍ ମେହେଟ୍ଟା ଅନୁରୋଧ କରିଥିଲେ।
ଜଷ୍ଟିସ୍ ଶର୍ମା ଏହି ଅଭିଯୋଗକୁ ମିଥ୍ୟା, ଭିତ୍ତିହୀନ ଓ ତଥ୍ୟହୀନ ବୋଲି ଖଣ୍ଡନ କରିଛନ୍ତି। ସେ ପ୍ରଧାନ ବିଚାରପତିଙ୍କୁ ନିଜର ସମର୍ଥନରେ ପ୍ରମାଣ ସହ ବିସ୍ତୃତ ଉତ୍ତର ଦେଇଛନ୍ତି। ତେଣୁ ଜଷ୍ଟିସ୍ ଅଗ୍ରୱାଲଙ୍କ ନିଯୁକ୍ତିରେ ରାଜସ୍ଥାନ ହାଇକୋର୍ଟକୁ ନିୟମିତ ମୁଖ୍ୟ ବିଚାରପତି ମିଳିଥିଲେ ମଧ୍ୟ ଜଷ୍ଟିସ୍ ଶର୍ମାଙ୍କ ବଦଳି ଓ ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପ୍ରସଙ୍ଗ ଏବେ ବି ବିଚାରାଧୀନ ରହିଛି। ଜଷ୍ଟିସ୍ ଶର୍ମା ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି ଏବଂ ସେପ୍ଟେମ୍ବର ୨୬ରେ ଅବସର ନେବେ।
ସୌଜନ୍ୟ ସମ୍ବାଦ




