ରାଜ୍ୟ

College Student Rescued: ବୁଲିବାକୁ ଯାଇ ପାହାଡ଼ରେ ଫସିଗଲେ, ଛାତ୍ରଙ୍କୁ ବଞ୍ଚାଇବାକୁ ସର୍ଚ୍ଚ ଅପରେସନ୍

ନୟାଗଡ଼, ୭।୯: ପାହାଡ଼ରେ ଫସି ରହିଥିବା କଲେଜ ଛାତ୍ରଙ୍କୁ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘନ ଜଙ୍ଗଲ, ପ୍ରବଳ ବର୍ଷା ଏବଂ ଅନ୍ଧକାର ମଧ୍ୟରେ ଅଗ୍ନିଶମ ବାହିନୀ, ବନ ବିଭାଗ ଏବଂ ପୁଲିସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି । ସୂଚନାଯୋଗ୍ୟ ଯେ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ଆଦିତ୍ୟ ଦୋରା ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ଏକାନ୍ତରେ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ । ମାତ୍ର ସେଠାରେ ହଠାତ୍ ପ୍ରବଳ ବର୍ଷା ହେବା ସହିତ ସନ୍ଧ୍ୟା ହୋଇଯିବାରୁ ସେ ପାହାଡ଼ ଉପରେ ବାଟବଣା ହୋଇ ଫସି ରହିଥିଲେ । ଚତୁର୍ଦ୍ଦିଗରେ ଘନ ଜଙ୍ଗଲ ଏବଂ ଅନ୍ଧକାର ଘେରି ରହିଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ ।

ନିଜ ଜୀବନ ପ୍ରତି ବିପଦ ଦେଖି ଆଦିତ୍ୟ ତୁରନ୍ତ ତାଙ୍କ ଭାଇଙ୍କୁ ଫୋନ୍ କରି ଏହି ବିପଦ ସମ୍ପର୍କରେ ଜଣାଇଥିଲେ । ପରିବାର ପକ୍ଷରୁ ତତକ୍ଷଣାତ୍ ଏହି ସୂଚନା ନୟାଗଡ଼ ଟାଉନ୍ ଥାନାକୁ ଦିଆଯାଇଥିଲା । ଖବର ପାଇବା ପରେ ପୁଲିସ, ଅଗ୍ନିଶମ ବାହିନୀ ଏବଂ ବନ ବିଭାଗର ଏକ ମିଳିତ ଉଦ୍ଧାରକାରୀ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାହାଡ଼ ଆଡ଼କୁ ବାହାରି ପଡ଼ିଥିଲେ । ଘନ ଅନ୍ଧକାର, କ୍ରମାଗତ ବର୍ଷା ଏବଂ ବିଷାକ୍ତ ସରୀସୃପମାନଙ୍କ ଭୟକୁ ଖାତିର ନକରି ଉଦ୍ଧାରକାରୀ ଦଳ ପ୍ରାୟ ୬ କିଲୋମିଟର ଉଚ୍ଚ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ । ଏହା ସେମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । ଶେଷରେ ମୋବାଇଲ୍ ଲୋକେସନ୍ ଏବଂ ଲାଇଟ୍ ସାହାଯ୍ୟକୁ ପାଥେୟ କରି ରାତି ପ୍ରାୟ ୧୧ଟା ସମୟରେ ଉଦ୍ଧାରକାରୀ ଦଳ ଆଦିତ୍ୟଙ୍କ ନିକଟରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ତଳକୁ ଉଦ୍ଧାର କରି ଆଣିଥିଲେ । ଛାତ୍ରଜଣଙ୍କ ସୁରକ୍ଷିତ ଭାବେ ଫେରିଆସିବା ପରେ ପରିବାରବର୍ଗ ଏବଂ ପ୍ରଶାସନ ପକ୍ଷରୁ ଆଶ୍ୱସ୍ତି ପ୍ରକାଶ ପାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button