ନୂଆଦିଲ୍ଲୀ: ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା ଆଶଙ୍କା ଦେଖାଦେଇଛି। ସକ୍ରିୟ ମୌସୁମୀ ବାୟୁ ଓ ଉତ୍ତରପ୍ରଦେଶ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସିକ୍କିମର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ଏହି ସତର୍କତା ଜାରି କରିଛି।
ଗତ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତରପ୍ରଦେଶର ବରେଲିରେ ସର୍ବାଧିକ ୩୮ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ଏହାବ୍ୟତୀତ ବହରାଇଚ୍ର ମହସୀରେ ୧୮ ସେଣ୍ଟିମିଟର, ଉତ୍ତରାଖଣ୍ଡର ଗୁଲରଭୋଜରେ ୧୫ ସେଣ୍ଟିମିଟର ଓ ବିହାରର ମଧୁବନୀ ଜିଲ୍ଲାର ଲୌକହୀରେ ୧୨ ସେଣ୍ଟିମିଟର ବର୍ଷା ହୋଇଛି। ପଶ୍ଚିମ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଉତ୍ତରାଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଏକାସାଙ୍ଗରେ ତିନିଟି ପାଣିପାଗ ପ୍ରଣାଳୀ ସକ୍ରିୟ ଥିବାରୁ ବର୍ଷା ବଢ଼ିଛି। ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶରେ ଥିବା ଲଘୁଚାପ କ୍ଷେତ୍ର ଏବେ ରାଜ୍ୟର ମଧ୍ୟଭାଗକୁ ଆସିଛି। ଏହା ସହ ଏକ ଚକ୍ରବାତୀୟ ପରିସଞ୍ଚରଣ ମଧ୍ୟ ରହିଛି। ଦକ୍ଷିଣ ଗୁଜରାଟରୁ ଉତ୍ତରପ୍ରଦେଶର ଲଘୁଚାପ କ୍ଷେତ୍ର ପର୍ଯ୍ୟନ୍ତ ଏକ ଟ୍ରଫ୍ ରେଖା ରହିଛି। ଏହା ସହ କାଶ୍ମୀର ଓ ଆଖପାଖ ଅଞ୍ଚଳରେ ମଧ୍ୟମ ଟ୍ରପୋସ୍ଫିୟର୍ ସ୍ତରରେ ପଶ୍ଚିମା ବିକ୍ଷୋଭ ସକ୍ରିୟ ରହିଛି। ଏହି ସବୁ ପ୍ରଣାଳୀର ପ୍ରଭାବରେ ଉତ୍ତର, ପୂର୍ବ ଓ ମଧ୍ୟ ଭାରତରେ ବର୍ଷା ବଢ଼ିଛି।
ଉତ୍ତରାଖଣ୍ଡରେ ୧୦ରୁ ୧୨ ସେପ୍ଟେମ୍ବର ମଧ୍ୟରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି। ହିମାଚଳପ୍ରଦେଶ ଓ ଜମ୍ମୁ-କାଶ୍ମୀର-ଲଦାଖରେ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ହୋଇପାରେ। ପଞ୍ଜାବରେ ୭ରୁ ୧୩ ସେପ୍ଟେମ୍ବର ମଧ୍ୟରେ ବର୍ଷାର ସମ୍ଭାବନା ଥିଲେ ମଧ୍ୟ ଭାରୀ ବର୍ଷା ପାଇଁ କୌଣସି ସତର୍କତା ଜାରି ହୋଇନାହିଁ। ଦକ୍ଷିଣ ଭାରତରେ ଆଗାମୀ ୬ରୁ ୭ ଦିନ ବର୍ଷା କାର୍ଯ୍ୟକଳାପ ତୁଳନାମୂଳକ କମ୍ ରହିବ ବୋଲି ଆଇଏମ୍ଡି କହିଛି।
ସୌଜନ୍ୟ ସମ୍ବାଦ