Air pollution: ଏବେଠାରୁ ଡରେଇଲାଣି ବାୟୁ ପ୍ରଦୂଷଣ (୨): ଅଗଷ୍ଟରେ ଶହେ ଉପରେ ଏକ୍ୟୁଆଇ, ଦୀପାବଳି ପରେ ସ୍ଥିତି ବିଗିଡ଼ିବା ଆଶଙ୍କା
ସହର ଛାତି ଉପରେ ଯାଉଛି ଶହ ଶହ କୋଇଲା ବୋଝେଇ ଟ୍ରକ୍। ପ୍ରତି ହମ୍ପ୍ସରେ ଗାଡ଼ିରୁ କେଜିଏରୁ ଅଧିକ କୋଇଲା ଗୁଣ୍ଡ ଉଡ଼ୁଛି। ଏଥିପାଇଁ ଅଗଷ୍ଟରୁ ଅନୁଗୋଳରେ ବାୟୁ ପ୍ରଦୂଷଣ ଆରମ୍ଭ ହୋଇଗଲାଣି।

ଅନୁଗୋଳ: ସହର ଛାତି ଉପରେ ଯାଉଛି ଶହ ଶହ କୋଇଲା ବୋଝେଇ ଟ୍ରକ୍। ପ୍ରତି ହମ୍ପ୍ସରେ ଗାଡ଼ିରୁ କେଜିଏରୁ ଅଧିକ କୋଇଲା ଗୁଣ୍ଡ ଉଡ଼ୁଛି। ଏଥିପାଇଁ ଅଗଷ୍ଟରୁ ଅନୁଗୋଳରେ ବାୟୁ ପ୍ରଦୂଷଣ ଆରମ୍ଭ ହୋଇଗଲାଣି। ଜୁଲାଇ ଓ ଅଗଷ୍ଟ ମାସରେ ଏଠାରେ ନିୟମିତ ବର୍ଷା ହୋଇଥିଲେ ମଧ୍ୟ ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଶହେ ଟପିଲାଣି। ଏଣୁ ଅକ୍ଟୋବର ପରେ ଏଥର ସ୍ଥିତି ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି।
ଗତ ଜୁନ୍ ପହିଲାରେ ଅନୁଗୋଳ ସହର ବାୟୁ ପ୍ରଦୂଷଣରେ ରେଡ୍ ଜୋନ୍ରେ ରହିଥିଲା। ଏହି ଦିନ ଏଠାରେ ବାୟୁ ମାନ ସୂଚକାଙ୍କ ୩୦୨ ରହିଥିଲା। ଏହା ପରେ ବର୍ଷା ଆସିବାରୁ ପ୍ରଦୂଷଣ ଖସିଥିଲା। ହେଲେ, ମାସର ୫ ଦିନକୁ ଛାଡ଼ିଦେଲେ ଆଉ ସବୁଦିନେ ଏକ୍ୟୁଆଇ ଶହେ ଉପରେ ରହିଥିଲା। ଏପଟେ ଜୁଲାଇ ଓ ଅଗଷ୍ଟରେ ମାସ ସାରା ଲଗାଣ ବର୍ଷା ହୋଇଥିଲେ ମଧ୍ୟ ପ୍ରଦୂଷଣ ସମ୍ପୂର୍ଣ୍ଣ କମିନଥିଲା। ଜୁଲାଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ଲଗାତାର ଭାବେ ଶହେ ଉପରେ ରହିଥିଲା। ଏମିତି ମାସରେ ୫ ଦିନ ଏକ୍ୟୁଆଇ ଶହେ ଉପରେ ରହିଥିଲା ବେଳେ ବାୟୁମଣ୍ଡଳରେ ପିଏମ୍ ୧୦ ସ୍ତର ଅଧିକ ରହିଥିଲା। ମାସକରେ କେବେ ଦିନେ ବି ଏକ୍ୟୁଆଇ ୫୦ ତଳକୁ ଆସିନି। ସେହିପରି ଅଗଷ୍ଟ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଲଗାତାର ୬ ଦିନ ପାଇଁ ଏକ୍ୟୁଆଇ ଶହେ ଉପରେ ରହିଥିଲା। ବର୍ଷା ନ ହେଲେ ପ୍ରଦୂଷଣ ଉପରମୁହାଁ ହୋଇଯାଉଛି। ସାଧାରଣତଃ ବର୍ଷାଦିନରେ ଏକ୍ୟୁଆଇ ୫୦ ତଳକୁ ରହୁଥିଲା ବେଳେ ଅନୁଗୋଳରେ ଏହା ଶହେ ଉପରକୁ ବଢ଼ିବା ଚିନ୍ତାର କାରଣ ସାଜିଛି।
ବର୍ଷାଦିନରେ ଅନୁଗୋଳରେ ଏକ୍ୟୁଆଇ ଶହେ ଉପରକୁ ଟପିବା ପରେ ଦୀପାବଳି ପରେ ସ୍ଥିତି କ’ଣ ହେବ ବୋଲି ଏବେଠାରୁ ଚିନ୍ତା ପ୍ରକାଶ ପାଇଲାଣି। ସହର ମଝିରେ କୋଇଲା ପରିବହନ ପ୍ରଦୂଷଣ ବଢ଼ାଇବାର ମୁଖ୍ୟ କାରଣ ସାଜିଥିବା କୁହାଯାଉଛି। ରାତିରେ ସହର ଦେଇ ଶହ ଶହ ଟ୍ରକ୍ରେ କୋଇଲା ପରିବହନ ହେଉଛି। ପାଲ ଭିଡ଼ି କୋଇଲା ନିଆଯାଉଥିବା କୁହାଯାଉଥିଲେ ମଧ୍ୟ ହମ୍ପସ୍ଗୁଡ଼ିକରେ ଟ୍ରକ୍ରୁ କୋଇଲା ଗୁଣ୍ଡ ଉଡୁଛି। ହେମସୁରପଡ଼ା ଛକରୁ ରାଜ୍ ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତା ଦେଖିଲେ ଏହି କୋଇଲା ଗୁଣ୍ଡର କୁପ୍ରଭାବ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏପଟେ ସହର ଦେଇ ଲୁହାପଥର ଓ ପାଉଁଶ ପରିବହନ କରାଯାଉଛି। ଏହାର କୁପ୍ରଭାବ ମଧ୍ୟ ପଡ଼ୁଛି। ଏନେଇ ପରିବେଶବିତ୍ ପ୍ରସନ୍ନ ବେହେରା କହିଛନ୍ତି, କୋଇଲା ଗାଡ଼ିରେ ଠିକ୍ ଭାବେ ପାଲ ଭିଡ଼ା ହେଉନଥିଲା ବେଳେ ଅତ୍ୟଧିକ ହମ୍ପସ ପାଇଁ ଗୁଣ୍ଡ ଉଡୁଛି। ବିଭିନ୍ନ କଳକାରଖାନାଗୁଡ଼ିକ ମଧ୍ୟ ଠିକ୍ ଭାବେ ପ୍ରଦୂଷଣ ନିୟମ ପାଳନ କରୁନାହାନ୍ତି। ଡିସେମ୍ବର ମାସ ବେଳକୁ ସ୍ଥିତି ଭୟଙ୍କର ହେବ ବୋଲି ସେ କହିଛନ୍ତି। ଏନେଇ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ନିର୍ଦେଶକ ରମେଶ ଏକ୍କା କହିଛନ୍ତି, କୋଇଲା ପରିବହନ ସମୟରେ ପାଲ ଭିଡ଼ିବାକୁ କଡ଼ା ନିର୍ଦେଶ ଦିଆଯାଇଛି। କିଛିଦିନ ଭିତରେ ଟ୍ରେନ୍ ମାଧ୍ୟମରେ କୋଇଲା ପରିବହନ ହେବ ବୋଲି ନିଷ୍ପତ୍ତି ହୋଇଛି। ଫଳରେ ସହରରେ ପ୍ରଦୂଷଣ ମାତ୍ରା କମିବ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




