Unidentified Animals : ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ
ବାଲେଶ୍ୱର ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହୋଇଛନ୍ତି। ଏମାନେ ଓରାଙ୍ଗଉଟାନ ନା ଅନ୍ୟ ପ୍ରଜାତି, ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାହା ନେଇ ଯାଞ୍ଚ ଜାରି ରହିଛି।

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟରେ ନିଆଯାଇଥିବା ଜଣାପଡ଼ିଛି। କିନ୍ତୁ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲା କେଉଁଠୁ? ଏମାନେ ପ୍ରକୃତରେ ଓରାଙ୍ଗଉଟାଙ୍ଗ ନା ଅନ୍ୟ କୌଣସି ପ୍ରଜାତି? ଯଦି ଓରାଙ୍ଗଉଟାନ, ତେବେ ଏକାଥରେ ୫ଟି ଜୀବ ଏଠାରେ କିପରି ପହଞ୍ଚିଲେ? ଘଟଣାକୁ ନେଇ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ।
ବିଚିତ୍ରପୁର ଜଙ୍ଗଲ ସବୁଦିନ ଭଳି ଜଙ୍ଗଲ ନିକଟବର୍ତ୍ତୀ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ହେଲେ ହଠାତ୍ ଜଙ୍ଗଲ ଭିତରେ ନଜରକୁ ଆସିଥିଲେ କିଛି ଅଜଣା ଜୀବ।ଦେଖିବାକୁ ଅବିକଳ ବଣମଣିଷ ଭଳି। ଗଛ ଓ ଜଙ୍ଗଲ ମଧ୍ୟରେ ଏମାନଙ୍କ ଗତିବିଧି ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା। ଖବର ଚାରିଆଡ଼େ ପ୍ରଚାର ହେବା ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଏଭଳି ଜୀବକୁ ଆଗରୁ କେବେ ଦେଖିନଥିବା ଲୋକେ ଦୂରରୁ ଠିଆ ହୋଇ ଏମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ। କିଏ ମୋବାଇଲରେ ଫଟୋ ଉଠାଉଥିଲେ, ତ ଆଉ କିଏ ଭିଡିଓ କରୁଥିଲେ। ଅଳ୍ପ ସମୟ ମଧ୍ୟରେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦୟପୁର ବନପାଳ ସଞ୍ଜୟ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଥିଲେ। ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ପରେ ୫ଟି ଜୀବକୁ ଉଦ୍ଧାର କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ଉଦୟପୁର ବନପାଳ କାର୍ଯ୍ୟାଳୟରେ ରଖାଯାଇଛି। ତେବେ ଘଟଣାର ସବୁଠାରୁ ବଡ଼ ରହସ୍ୟ ହେଉଛି। ଏହି ୫ଟି ଜୀବ ଆସିଲେ କେଉଁଠୁ। ଓରାଙ୍ଗଉଟାନ ସାଧାରଣତଃ ଭାରତୀୟ ଜଙ୍ଗଲର ସ୍ୱାଭାବିକ ପ୍ରଜାତି ନୁହେଁ। ତେଣୁ ବିଚିତ୍ରପୁର ଭଳି ଏକ ଗ୍ରାମାଞ୍ଚଳର ଜଙ୍ଗଲରେ ଏକାଥରେ ୫ଟି ଏଭଳି ଜୀବ ମିଳିବା ଘଟଣାକୁ ନେଇ ସ୍ୱାଭାବିକ ଭାବେ ଉଠିଛି ଅନେକ ପ୍ରଶ୍ନ। ଅନ୍ୟପଟେ ଏହି ଜୀବଗୁଡ଼ିକର ସୁରକ୍ଷାକୁ ନେଇ ମଧ୍ୟ ସତର୍କ ହୋଇଛି ବନ ବିଭାଗ। ଲୋକଙ୍କ ଭିଡ଼ ଯୋଗୁଁ ଜୀବଗୁଡ଼ିକ ଯେପରି ଭୟଭୀତ ନହୁଅନ୍ତି, ସେଥିପ୍ରତି ମଧ୍ୟ ନଜର ରଖାଯାଇଛି।ଜୀବଗୁଡ଼ିକର ଶାରୀରିକ ସ୍ଥିତି, ପ୍ରଜାତି ଏବଂ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




