ଭୁବନେଶ୍ୱର: ଦେଶର ବଡ଼ ବଡ଼ ସହରରେ ଏବେ ଅଗ୍ନି ଭୟ ଚିନ୍ତା ବଢ଼ାଇଛି। ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ବର। ରାଜଧାନୀକୁ ଅଗ୍ନି ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ, ବର୍ତ୍ତମାନ ଉପଲବ୍ଧ ଅଗ୍ନି ନିରାପତ୍ତା ଭିତ୍ତିଭୂମି ରାଜଧାନୀ ପାଇଁ ଯଥେଷ୍ଟ ନୁହେଁ। ଏ କଥା ଅଗ୍ନିଶମ ବିଭାଗ ମଧ୍ୟ ଜାଣିଛି। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ରାଜଧାନୀ ଓ ରାଜଧାନୀ ଚାରିପାଖରେ ଗଢ଼ି ଉଠୁଥିବା ସୁଉଚ୍ଚ ଅଟ୍ଟାଳିକାକୁ ନିଆଁ ଆଁରୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ସାଧନ ନାହିଁ। ଏଥିପାଇଁ ଯୋଜନା ହେଉଛି। କିନ୍ତୁ, ଯୋଜନା ରୂପରେଖ ନେଲାବେଳକୁ ଆହୁରି ୩ ବର୍ଷରୁ ଅଧିକ ସମୟ ଲାଗିବ।
ରାଜଧାନୀର ଭିତ୍ତିଭୂମିକୁ ଦେଖିଲେ ଏବେ ମଧ୍ୟ ବିଭାଗକୁ ଅନେକ ଆବଶ୍ୟକତା ଅଛି। କାରଣ ରାଜଧାନୀରେ ୩୪ ମହଲାରୁ ୪୦ ମହଲା ପର୍ଯ୍ୟନ୍ତ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଉଛି। ଭୁବନେଶ୍ବରରେ ୯ଟି ଦମକଳ କେନ୍ଦ୍ର ଥିବା ବେଳେ ମାତ୍ର ୩ଟି ହାଇଡ୍ରୋଲିକ୍ ଯାନ ରହିଛି। ଏହି ଅତ୍ୟାଧୁନିକ ଯାନଗୁଡ଼ିକ ୨୨ ମହଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡକୁ ରୋକିବା ପାଇଁ ସକ୍ଷମ। ତା’ଠାରୁ ଉଚ୍ଚ ଅଟାଳିକା (ସ୍କାଏସ୍କ୍ରାପର)ରେ ଯଦି କୌଣସି କାରଣରୁ ଅଗ୍ନିକାଣ୍ଡ ଘଟେ, ତେବେ ତାକୁ ମୁକାବିଲା କରିବା ଅଗ୍ନିଶମ ବିଭାଗ ପାଇଁ କାଠିକର ପାଠ ହେବ। ରାଜଧାନୀର କଳେବର ବଢ଼ୁଥିବାରୁ, ଏହା ଚାରିପଟେ ଏପରିକି ରାଜଧାନୀର ଉପାନ୍ତ ଅଞ୍ଚଳରେ ବ୍ୟାବସାୟିକ ଦୃଷ୍ଟିରୁ ଉଚ୍ଚ ଅଟ୍ଟାଳିକାମାନ ନିର୍ମାଣ କରାଯାଉଛି। କିନ୍ତୁ, ଏଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଅଗ୍ନିଶମ ବିଭାଗ ପାଖରେ ଉପଲବ୍ଧ ସାଧନ ରାଜଧାନୀ ଓ ଏହା ଚାରିପାଖରେ ଗଢ଼ିଉଠୁଥିବା ସୁଉଚ୍ଚ ଅଟ୍ଟାଳିକା ପାଇଁ ଯଥେଷ୍ଟ ହେଉ ନଥିବାରୁ ଡ୍ରୋନ୍ ଟେକ୍ନୋଲୋଜିକୁ ଆପଣାଇବା ପାଇଁ ଅଗ୍ନିଶମ ବିଭାଗ ଯୋଜନା କରିଛି। ହେଲେ ଏପର୍ଯ୍ୟନ୍ତ ସେ ଦିଗରେ ବିଭାଗ ଆଗକୁ ବଢ଼ିନାହିଁ। କୁହାଯାଉଛି ଯେ ଅନ୍ୟ ରାଜ୍ୟରେ ଡ୍ରୋନ୍ ଟେକ୍ନୋଲୋଜି କିଭଳି ଫଳପ୍ରଦ ହେଉଛି ତାକୁ ସମୀକ୍ଷା କରାଯାଉଛି। ଯଦି ତାହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହି ଟେକ୍ନୋଲୋଜିକୁ ଓଡ଼ିଶାରେ ଆପଣାଯିବ।
ଏ ସମ୍ପର୍କରେ ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ କହିଛନ୍ତି, ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ସ୍କାଏସ୍କ୍ରାପରଗୁଡ଼ିକର ଅଗ୍ନି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ। ଅର୍ଥାତ ୨୨ମହଲାରୁ ଅଧିକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଲେ, ତାକୁ ନିୟନ୍ତ୍ରଣ କରିବା କଷ୍ଟକର। ଏହି ସବୁ ସ୍କାଏସ୍କ୍ରାପରରେ ଅଗ୍ନିକାଣ୍ଡ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ଆବଶ୍ୟକ, ତାହା ଓଡ଼ିଶା ଅଗ୍ନିଶମ ବାହିନୀ ପାଖରେ ନାହିଁ। ସେଗୁଡ଼ିକୁ ବାହାରୁ କିଣିବାକୁ ପଡ଼ିବ। ଏନେଇ ଯୋଜନା ଆରମ୍ଭ ହୋଇଛି। ହେଲେ ଏଥିପାଇଁ ସମୟ ଲାଗିବ। ପ୍ରାୟ ୨୦୨୯ ମସିହା ବେଳକୁ ଆମେ ଏହି ସମସ୍ୟାର ସମାଧନ ଦିଗରେ ସକ୍ଷମ ହୋଇପାରବୁ ବୋଲି ଆଇଜି ଶ୍ରୀ ଦାଶ କହିଛନ୍ତି। କେତେବେଳେ ଆପାର୍ଟମେଣ୍ଟରେ ନିଆଁ ଲାଗି ଲୋକଙ୍କ ଜୀବନ ଗଲାଣି ତ କେତେବେଳେ ଇଭି ଗାଡିରୁ ନିଆଁ ବ୍ୟାପୀ ପରିବାର ଛାରଖାର କଲାଣି। କେବଳ ଆପାର୍ଟମେଣ୍ଟ କି ଇଭି ଗାଡ଼ି ନୁହେଁ ରାଜଧାନୀରେ ଥିବା ଆପାର୍ଟମେଣ୍ଟଠାରୁ ଆରମ୍ଭ କରି ମଲ୍, ସୋରୁମ୍, ବସ୍ତି, କେମିକାଲ୍ ଫାକ୍ଟ୍ରି, ଶିକ୍ଷାନୁଷ୍ଠାନ ଭଳି ସମ୍ବେଦନଶୀଳ ସ୍ଥାନରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି। ଏମିତିକି ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଯାହାକି ଏବେ ଅଗ୍ନି ନିରାପତ୍ତା ନେଇ ସହରରେ ସତର୍କ ଘଣ୍ଟି ବଜାଇଛି। ତେବେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ରାଜଧାନୀ ସୁରକ୍ଷିତ ତ? ବର୍ତ୍ତମାନ ପ୍ରସଙ୍ଗଟି ଅତି ସମ୍ବେଦନଶୀଳ ପଲଟିଛି। କାରଣ ଦିନକୁ ଦିନ ରାଜଧାନୀର କଳେବର ବଢ଼ିବା ସହ ବଡ଼ ବଡ଼ ଆପାର୍ଟମେଣ୍ଟ, ସପିଂ ମଲ୍, ହସ୍ପିଟାଲ୍, ସୋରୁମ୍, ଗହଣାଦୋକାନ, ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର, କର୍ପୋରେଟ୍ ଅଫିସ୍ ଆଦି ବଢ଼ିଚାଲିଛି। ହେଲେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ରାଜଧାନୀର ବଡ଼ବଡ଼ ପ୍ରତିଷ୍ଠାନରେ ସେଭଳି ସୁବିଧା ସୁଯୋଗ ନାହିଁ। ପରିସ୍ଥିତିକୁ ସମ୍ମୁଖୀନ ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ନାହିଁ। ଏପରିକି ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଯେଉଁମାନେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିଛନ୍ତି, ତାହା ମଧ୍ୟ ଠିକ୍ଭାବେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହେଉଛି।
ସୌଜନ୍ୟ ସମ୍ବାଦ