ରାଜ୍ୟ

ବାଲିଘାଟ ଇ-ଲଟେରିରେ ସ୍ୱଚ୍ଛତା ନେଇ ପ୍ରଶ୍ନ: ପ୍ରତି ଘନମିଟର ପିଛା ୩୮୫୦ ଟଙ୍କାରୁ ଏବେ ମାତ୍ର ୭୦ ଟଙ୍କା! ଶହ ଶହ କୋଟି ଟଙ୍କା କ୍ଷତି ସହିବେ ରାଜ୍ୟ ସରକାର

କଟକ,୦୮/୦୯: ପୂର୍ବରୁ ବାଲିଘାଟ ନିଲାମ ଜରିଆରେ ଆବଣ୍ଟନ କରାଯାଉଥିଲା । ଅଧିକ ମୂଲ୍ୟ ଦେଉଥିବା ନିଲାମଧାରୀ ଲିଜ୍ ହାସଲ କରୁଥିଲେ । ଏହାଦ୍ୱାରା ବାଲିଘାଟରୁ ଅଧିକରୁ ଅଧିକ ରାଜସ୍ୱ ପାଉଥିଲେ ରାଜ୍ୟ ସରକାର । କିନ୍ତୁ ଚଳିତବର୍ଷ ରାଜ୍ୟ ସରକାର ପ୍ରଥମ ଥର ପାଇଁ ବାଲିଘାଟର ନିଲାମ ପ୍ରକ୍ରିୟାକୁ ବନ୍ଦ କରିଦେଇ ଇ-ଲଟେରି ବ୍ୟବସ୍ଥା ଲାଗୁ କରିଛନ୍ତି । କିନ୍ତୁ ଏଥିରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି । କାରଣ ପୂର୍ବରୁ ଯେଉଁଠି ନିଲାମରେ ବାଲିଘାଟ ପ୍ରତି ଘନମିଟର ପିଛା ସର୍ବାଧିକ ୩୮୫୦ ଟଙ୍କାରେ ଯାଉଥିଲା ସେଠି ରାଜ୍ୟ ସରକାର ଚଳିତବର୍ଷ ଇ-ଲଟେରି ବ୍ୟବସ୍ଥାରେ ପ୍ରତି ଘନମିଟର ପାଇଁ ମାତ୍ର ୭୦ ଟଙ୍କା ଧାର୍ଯ୍ୟ କରିଛନ୍ତି ।

ଏତେ କମ୍ ମୂଲ୍ୟ ଧାର୍ଯ୍ୟ ହେବା ଦ୍ୱାରା ରାଜ୍ୟ ସରକାରଙ୍କୁ ଶହ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ବାଲିଘାଟ ଦେବା ପାଇଁ ଇ-ଲଟେରି ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି । ମନମୁଖି ଭାବେ ହୋଇଥିବା ଇ-ଲଟେରି ପ୍ରକ୍ରିୟାକୁ ବିରୋଧ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟ ମଧ୍ୟ ଏହି ମାମଲାର ପ୍ରାଥମିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି ।

ଖଣିଜ ସାମଗ୍ରୀର ନିଲାମ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ନିୟମାବଳୀ ଦ୍ୱାରା କରାଯାଏ । ସେହି ଆଧାରରେ ବର୍ଷ ବର୍ଷ ଧରି ବାଲିଘାଟ ନିଲାମ ପ୍ରକ୍ରିୟା ଦ୍ୱାରା ଆବଣ୍ଟନ କରାଯାଉଥିଲା । ଯାହାଦ୍ୱାରା ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ପାଉଥିଲେ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ବାଲିଘାଟକୁ ନିଲାମ ପରିବର୍ତ୍ତେ ଇ-ଲଟେରି ଜରିଆରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନେବା ସହ ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଇ-ଲଟେରି ବ୍ୟବସ୍ଥାରେ କୌଣସି ବାଲିଘାଟକୁ ଲିଜ୍ ନେବା ପାଇଁ ଯେତେ ଲୋକ ଚାହିଁବେ ଆବେଦନ କରିପାରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button