ଖୁଦୁରୁକୁଣୀ ଓଷା ଗାଧୁଆ ବେଳେ ଅଘଟଣ: ୨ କୁନି ଝିଅଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣବଳି ଦେଲେ ସସ୍ମିତା

ବୋଲଗଡ଼, ୦୮/୦୯: ରବିବାର ଖୁଦୁରୁକୁଣୀ ଓଷାରେ ଝିଅମାନେ ସକାଳୁ ଏକାଠି ହୋଇ ଫୁଲତୋଳିଲେ । ପରେ ସମସ୍ତେ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ପୋଖରୀରେ ଘଟିଲା ଅଘଟଣ । ବୁଡ଼ି ଯାଉଥିବା ୨ କୁନି ଝିଅଙ୍କୁ ଉଦ୍ଧାର କରିବାକୁ ଯାଇ ଆଖି ବୁଜିଦେଲେ ଜଣେ ଯୁବତୀ । ଘଟଣା ଘଟିଛି ଖୋରଧା ଜିଲ୍ଲା ବୋଲଗଡ଼ ବ୍ଲକ ଡାବରଧୁଆ ପଞ୍ଚାୟତ କପାସିଆ ଗ୍ରାମରେ । ଯୁବତୀ ଜଣକ ହେଲେ ଗ୍ରାମର ସସ୍ମିତା ବରାଡ଼ (୪୦) । ପହଁରା ଜାଣିନଥିବା ସସ୍ମିତା ୨ କୁନି ଝିଅଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣବଳି ଦେବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଗୋଟିଏ ପଟେ ସସ୍ମିତାଙ୍କ ସାହସକୁ ନେଇ ଗ୍ରାମରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଅକାଳ ମୃତ୍ୟୁ ସଭିଙ୍କ ଆଖିକୁ ଓଦା କରିଦେଉଛି ।
ସୂଚନା ଅନୁଯାୟୀ, କପାସିଆ ଗ୍ରାମରେ ଖୁଦୁରୁକୁଣୀ ଓଷାର ଦ୍ୱିତୀୟ ପାଳି ନିମନ୍ତେ ଝିଅମାନେ ସାଙ୍ଗ ହୋଇ ପୂର୍ବାହ୍ଣ ପ୍ରାୟ ୯ଟାରେ ଗ୍ରାମର ମଠ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ୨ ଛୋଟ ଝିଅ କୁନି ବାରିକ (୧୦) ଓ ମିକି ବାରିକ (୧୨) ହଠାତ୍ ପୋଖରୀର ଗଭୀର ପାଣିକୁ ଖସିପଡ଼ିଥିଲେ । ଦୁହିଁଙ୍କୁ ପହଁରା ଆସିନଥିବାରୁ ସେମାନେ ବୁଡ଼ିଯାଉଥିବା ଦେଖି ତାଙ୍କ ସହ ଯାଇଥିବା ସସ୍ମିତା ଜୀବନକୁ ବାଜି ଲଗାଇ ପିଲା ଦୁଇଟିକୁ କୌଣସି ପ୍ରକାରେ ଉଦ୍ଧାର କରିଥିଲେ । ମାତ୍ର ସସ୍ମିତାଙ୍କୁ ମଧ୍ୟ ପହଁରା ଆସିନଥିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ ପିଲାମାନଙ୍କ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସସ୍ମିତାଙ୍କୁ ଖୋଜି ପାଇନଥିଲେ । ପରେ ବୋଲଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସସ୍ମିତାଙ୍କୁ ଉଦ୍ଧାର କରି ବୋଲଗଡ଼ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୋରଧା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାଇ ରମେଶ ବରାଡ଼ ମୁଖାଗ୍ନି ଦେଇଥିଲେ । ମୃତ ସସ୍ମିତା ଅବିବାହିତା ଥିଲେ । ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସସ୍ମିତାଙ୍କ ଏହି ମହାନ ଆତ୍ମବଳିଦାନ ପାଇଁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଏନେଇ ବୋଲଗଡ଼ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ସୌଜନ୍ୟ ପ୍ରମେୟ




