Unsafe Buildings: ଟ୍ୱିନ୍ ସିଟିରେ ଶହ ଶହ ଦଦରା କୋଠା: ଭୁବନେଶ୍ୱରରେ ୧୦୦୦, କଟକରେ ୨୦୦ରୁ ଅଧିକ ଅସୁରକ୍ଷିତ କୋଠା, କେବେ ଚେତିବ ପ୍ରଶାସନ ?

ଭୁବନେଶ୍ୱର, ୦୮/୦୯: ସହିଦନଗର ଆଲୋକଭାରତୀ ମାର୍କେଟ କମ୍ପେ୍ଲକ୍ସ କୋଠାରୁ ପଲସ୍ତରା ଖସିଲାଣି । କୋଠା ସାରା ଗଛଲତା ଉଠିଗଲାଣି । ଜୟଦେବ ବିହାର ଛକରେ ବିରାଟ କୋଠା ୧୦ବର୍ଷ ତଳୁ ବିପଜ୍ଜନକ ଅବସ୍ଥାରେ ଅଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ପୁରୁଣା କ୍ୱାର୍ଟର୍ସର କାନ୍ଥ ଫାଟି ଆଁ କରିଛି । ରାଜଧାନୀରେ ପ୍ରାୟ ୧୦୦୦ରୁ ଅଧିକ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ଅଛି ବୋଲି ସରକାର ନିଜେ ବିଧାନସଭାରେ ତଥ୍ୟ ଦେଇଥିଲେ । କଟକରେ ୨୦୦ରୁ ଅଧିକ କୋଠା ଅସୁରକ୍ଷିତ ସ୍ଥିତିରେ । ତଥାପି ସମସ୍ତେ ବେପରୁଆ । ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଏକ ୫ମହଲା କୋଠା ଭୁଶୁଡ଼ିଥିଲା । ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଦେଶତମାମ ବିଭିନ୍ନ ସ୍ଥାନରେ ଏମିତି କୋଠା ଭୁଶୁଡ଼ି ଲୋକଙ୍କ ଜୀବନ ଯାଉଛି । ତଥାପି ଆମ ସରକାର ଚେତିଲେନି । କେବଳ ଅଘଟଣ ପରେ ବାହାସ୍ପୋଟ ମାରି ଚୁପ୍ ବସୁଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ ।
ବିଡିଏ ପକ୍ଷରୁ ସହିଦନଗରରେ ୧୯୮୭ ମସିହାର ଆଲୋକଭାରତୀ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହୋଇଥିଲା । ୩୯ ବର୍ଷ ବିତିଲାଣି । କୋଠା ଜରାଜୀର୍ଣ୍ଣ ଅବସ୍ଥାରେ । ଏହା ଅସୁରକ୍ଷିତ ପାଲଟିଛି । ତଥାପି ମାର୍କେଟ କମ୍ପେ୍ଲକ୍ସ ଭଙ୍ଗାଯାଉନି । ଏବେ ବି କିଛି ସରକାରୀ ଅଫିସ ଓ ବ୍ୟାଙ୍କ ସେଠାରେ ଚାଲୁଛି । ପ୍ରିୟଦର୍ଶୀ ମାର୍କେଟ ଅବସ୍ଥା ବି ସମାନ । ପ୍ରାୟ ଅଧିକାଂଶ ଦୋକାନ ଘର ଭାଙ୍ଗିରୁଜି ଗଲାଣି । ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏହି କୋଠାରେ ବ୍ୟବସାୟ ଚାଲିଛି । ଦୈନିକ ଶତାଧିକ ଲୋକେ ଯା’ଆସ କରୁଛନ୍ତି । ଏହାକୁ ଭାଙ୍ଗିବାକୁ ଯୋଜନା ଥିବା ସତ୍ତେ୍ୱ ଭଙ୍ଗାଯାଉନି । ଭାଙ୍ଗିବାକୁ ବିଡିଏକୁ ସମୟ ହେଉନି । ସବୁଠୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ପ୍ରଶାସନର ପ୍ରାଣ କେନ୍ଦ୍ର ନ ତାଲାର ଢାଞ୍ଚା ବି ସୁରକ୍ଷିତ ନୁହେଁ । ଏହାକୁ ଭାଙ୍ଗି ନୂଆ କୋଠା ତିଆରି କରିବାକୁ ପୂର୍ତ୍ତ ମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ଏବେ ବି ଏଥିରେ କାମ ଚାଲିଛି । ବିଏମ୍ସି ଯାତ୍ରୀ ନିବାସକୁ ବିପଦପୂର୍ଣ୍ଣ ଘୋଷଣା ସତ୍ତେ୍ୱ ଏହା ବ୍ୟବହାର ହେଉଛି ।
ସୌଜନ୍ୟ ପ୍ରମେୟ




