Sugarcane Production ରାଜ୍ୟରେ ଆଖୁ ଉତ୍ପାଦନ ବଢ଼ାଇବାକୁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଯୋଜନା
ରାଜ୍ୟରେ ଆଖୁ ଉତ୍ପାଦନ ବଢ଼ାଇବାକୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବ। ଆଧୁନିକ ଚାଷ ପ୍ରଣାଳୀ, ପ୍ରଯୁକ୍ତି ପ୍ରସାର, ବଜାର ସଂଯୋଗ ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱ ଦିଆଯିବ।

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ ’ ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟରେ ଆଖୁଚାଷକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଓ ସ୍ବତନ୍ତ୍ର ନୀତି ନିମନ୍ତେ ଆଲୋଚନା ହୋଇଥିଲା।
‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ କୃଷି ଭବନଠାରେ ଆୟୋଜିତ କର୍ମଶାଳାର ଆଜି (ମଙ୍ଗଳବାର) ଉଦ୍ଘାଟନୀ କାର୍ଯ୍ୟକ୍ରମରେ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ କରୁଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ପ୍ରସାରକୁ ତ୍ୱରାନ୍ୱିତ କରିବା, କୃଷକ ଉତ୍ପାଦକ ସଂଗଠନ-ଭିତ୍ତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଆଖୁର ମୂଲ୍ୟବୃଦ୍ଧି ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ସରକାର ନେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ, କୃଷି ବିଭାଗ ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ ।
କର୍ମଶାଳାରେ କୃଷକମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ଚାଷୀମାନେ କିପରି କମ ଖର୍ଚ୍ଚରେ ଅଧିକ ଚାଷ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ ମାଧ୍ୟମରେ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଆମ କ୍ଷେତକୁ ଆଣୁଛୁ । ଆମକୁ ପୁଣି ଥରେ ଆଖୁ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୌଜନ୍ୟ ସମ୍ବାଦ




