ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ; ମଧ୍ୟପ୍ରଦେଶ ସରକାର ଭାରତର ସବୁଠୁ ଦୁର୍ନୀତିଗ୍ରସ୍ତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସାଗର ଜିଲାରେ ମଦମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଛନ୍ତିି। କଂଗ୍ରେସ ନେତା କହିଛନ୍ତି ଯେ ମଧ୍ୟପ୍ରଦେଶରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଜଳ, ବାୟୁ ଓ ମଦ ବିଷାକ୍ତ ପାଲଟି ଯାଇଛି। ନୂଆ ଆଇନ ଅଣାଯାଉଛି, ମାତ୍ର କିଛି ଅଘଟଣ ଘଟିଲା ବେଳକୁ ତାହାକୁ ଅକାମୀ କରିଦିଆଯାଉଛି। ବିଷାକ୍ତ ମଦ ସାଗରରେ ଅନେକ ଲୋକଙ୍କ ଜୀବନ ନେଇ ପରିବାର ସଦସ୍ୟଙ୍କୁ ଦାରୁଣ ଦୁଃଖ ଦେଇଛି। ମାତ୍ର ଏହା ପରେ କ’ଣ ହେବ ତାହା ରାଜ୍ୟବାସୀ ଜାଣିଛନ୍ତି। କିଛି ଗିରଫ, କିଛି ଅଧିକାରୀ ନିଲମ୍ବିତ ହେବେ ଓ ତଦନ୍ତ ନିର୍ଦେଶ ଦିଆଯିବ। ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ଏପରି ହେଉନାହିଁ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ ଯେ ସାଗର ଜିଲାରେ ବିଷାକ୍ତ ମଦ ପିଇ ଏ ପର୍ଯ୍ୟନ୍ତ ୨୨ ଜଣଙ୍କ ଜୀବନ ଗଲାଣି। ୧୨୦ରୁ ଅଧିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ମାମଲାରେ ଏସଡିଏମ ଆରତି ଯାଦବ ଓ ଏସଡିଓପି ପ୍ରଦୀପ ବାଲ୍ମିକୀଙ୍କୁ ହଟାଇ ଦିଆଯାଇଛି। ମଦ ମୃତ୍ୟୁ ପଛରେ ବମ୍ବଇଆ ହ୍ବିସ୍କି ଓ ସାଗର ଗୋଲ୍ଡ ନାମକ ଦୁଇଟି ବ୍ରାଣ୍ଡ ସାମନାକୁ ଆସିଛି। ଏହାକୁ ନେଇ ସରକାରୀ ଲାଇସେନ୍ସ ପାଇଥିବା ଦୁଇ ଠିକାଦାର ସମେତ ୩୦ ଜଣଙ୍କୁ ଅଭିଯୁକ୍ତ କରାଯାଇଛି।
ସୌଜନ୍ୟ ସମାଜ




