ମକ୍କା ଚୁକ୍ତି: ହୁତି ଉପରେ ଆକ୍ରମଣ ପାଇଁ ପାକିସ୍ତାନର ପ୍ରସ୍ତୁତି

ଇସଲାମାବାଦ : ସାଉଦି ଆରବ ଉପରେ ୟେମେନର ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନଙ୍କ କ୍ରମାଗତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ, ନିକଟରେ ଗଠିତ ‘ମକ୍କା ଚୁକ୍ତି’ର ପ୍ରଥମ ବଡ଼ ପରୀକ୍ଷାର ସାମ୍ନା କରିବାକୁ ଯାଉଛି ପାକିସ୍ତାନ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ ସାଉଦି ଆରବ ଉପରେ କୌଣସି ପ୍ରକାରର ଆକ୍ରମଣ ହେଲେ ‘ମକ୍କା ଚୁକ୍ତି’ ସକ୍ରିୟ ହୋଇଯିବ। ସାଉଦି ଆରବର ଜାତୀୟ ତୈଳ କମ୍ପାନୀ ଅରାମକୋ ଓ ଅନ୍ୟାନ୍ୟ ଶକ୍ତି ଭିତ୍ତିଭୂମି ଉପରେ ହୁତି ଆକ୍ରମଣ ପରେ, ପାକିସ୍ତାନ ୟେମେନର ହୁତି ଘାଟି ଉପରେ ବୋମାବର୍ଷଣ କରିବାକୁ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି। ଗତ ଅଗଷ୍ଟରେ ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ‘ମକ୍କା ଚୁକ୍ତି’ ନାମରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ନିୟମାନୁସାରେ, ଏହି ୩ଟି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ, ତାହାକୁ ଅନ୍ୟ ଦୁଇ ଦେଶ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯିବ ଏବଂ ସମସ୍ତେ ମିଶି ଏହାର ଜବାବ ଦେବେ। ହୁତି ସଂଗଠନକୁ ଇରାନର ସମ୍ପୂର୍ଣ୍ଣ ସମର୍ଥନ ରହିଛି। ଯଦି ପାକିସ୍ତାନ ହୁତି ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଇରାନ ସହ ତାର ସମ୍ପର୍କ ବିଗିଡ଼ିଯିବାର ଆଶଙ୍କା ରହିଛି। ଅପରପକ୍ଷରେ, ୨୦୧୫ରେ ପାକିସ୍ତାନ ସଂସଦ ୟେମେନ୍ ସଂଘର୍ଷରେ ନିରପେକ୍ଷ ରହିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପାକିସ୍ତାନ ସ୍ପଷ୍ଟ କରିଛି ଯେ ଏହି ଚୁକ୍ତିଟି ଏକ ପ୍ରତିରକ୍ଷା ବୁଝାମଣା ତେଣୁ ସାଉଦି ଆରବର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ।
ସୌଜନ୍ୟ ସମାଜ



