STF: ଓରାଂଉଟାନ୍ ଉଦ୍ଧାର ଘଟଣା: ଚେର ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଖୋଳତାଡ଼ କଲା ଏସ୍ଟିଏଫ୍
ବାଲେଶ୍ବରର ଭୋଗରାଇ ଅଞ୍ଚଳରୁ ଉଦ୍ଧାର ୫ଟି ଓରାଂଉଟାନ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଅବଗତ ରହିଛନ୍ତି।

ଭୁବନେଶ୍ବର: ବାଲେଶ୍ବରର ଭୋଗରାଇ ଅଞ୍ଚଳରୁ ଉଦ୍ଧାର ୫ଟି ଓରାଂଉଟାନ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ଅବଗତ ରହିଛନ୍ତି। ଓରାଂଉଟାନ୍ ଭଳି ବିରଳ ପ୍ରଜାତିର ପ୍ରାଣୀ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ଆସିବା ପଛରେ କ’ଣ ପୃଷ୍ଠଭୂମି ରହିଛି, ତାହାର ସବିଶେଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ କେବେହେଲେ ଏକ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ବନ୍ୟଜନ୍ତୁ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ
ଭୋଗରାଇ/ଚନ୍ଦନେଶ୍ୱର/ଫୁଲବଣୀ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ଘଟଣା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ଏସ୍ଟିଏଫ୍ ଓ ବନ ବିଭାଗ ପକ୍ଷରୁ ତଦନ୍ତକୁ ଜୋର୍ଦାର କରାଯାଇଛି।ଗତକାଲି ଏସ୍ଟିଏଫ୍ ଏସ୍ପି ସଞ୍ଜୀବ ଶତପଥୀ, ଡିଏସ୍ପି ମାନସ କୁମାର ବାରିକ, ଏସିସିଏଫ୍ ରଞ୍ଜନ ତାଲୁଖ, ଜଳେଶ୍ବର ଏସ୍ଡିପିଓ ସୁରେଶ କୁମାର ତ୍ରିପାଠୀ ଓ ଜଳେଶ୍ବର ରେଞ୍ଜର ଶିଶିର କୁମାର ବେହେରାଙ୍କ ସହ ଏକ ୫ ଜଣିଆ ଟିମ୍ ଘଟଣାର ତଦନ୍ତ କରିଥିବା ବେଳେ ଆଜି ମଧ୍ୟ ଏସ୍ଟିଏଫ୍ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଏସ୍ପି ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ ଇନ୍ସ୍ପେକ୍ଟର ପର୍ଶୁରାମ ସାହୁଙ୍କ ନେତୃତ୍ବରେ ଦୁଇଟି ଟିମ୍ ତଦନ୍ତ କରିଛି। ଟିମ୍ରେ ବାଲେଶ୍ୱର ଡିଏଫ୍ଓ ପ୍ରତୀକ ପ୍ରକାଶ ଇନ୍ଦୋଲକର ଓ ଜଳେଶ୍ୱର ରେଞ୍ଜର ଶିଶିର କୁମାର ବେହେରାଙ୍କ ସହ ଅନ୍ୟମାନେ ରହିଥିଲେ। ତଦନ୍ତ ସମୟରେ ବଡ଼ପାହି ଗ୍ରାମରୁ ଏକ ମାସ୍କ ମିଳିଛି। ଏହାକୁ ଫରେନ୍ସିକ୍ ଟେଷ୍ଟ ପାଇଁ ରଖାଯାଇଛି। ସେହିପରି ଆଖପାଖ ଲୋକଙ୍କୁ ପଚରାଉଚରା ହୋଇଛି। ଦୀଘାଠାରୁ ରଣକୋଠା ଯାଏଁ ବିଭିନ୍ନ ସ୍ଥାନରେ ଲାଗିଥିବା ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି। ଓରାଂଉଟାନ୍ ଠାବ ହୋଇଥିବା ସ୍ଥାନକୁ ଡିଏଫ୍ଓ ଶ୍ରୀ ଇନ୍ଦୋଲକର ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ସେଠାରେ ବ୍ୟାରିକେଡ୍ ଲଗାଯାଇଛି।
ଡିଏଫ୍ଓ ଶ୍ରୀ ଇନ୍ଦୋଲକର କହିଛନ୍ତି, ସୋମବାର ରାତିରେ ଏକ କଳାରଙ୍ଗର ଥାର୍ ଗାଡ଼ି ରଣକୋଠା ଅଞ୍ଚଳକୁ ଆସିଥିଲା। ଖଡ଼ିବିଲ ନେଚର୍ କ୍ୟାମ୍ପ ସିସିଟିଭ୍ ଫୁଟେଜ୍ରୁ ଜଣାପଡ଼ିଛି ଯେ ଗାଡ଼ିଟି ପ୍ରାୟ ୧୧ଟା ୩୫ ମିନିଟ୍ରେ ଚନ୍ଦନେଶ୍ବର-ବିଚିତ୍ରପୁର ରାସ୍ତା ଦେଇ ଯାଇଥିଲା ଏବଂ ୧୨ ମିନିଟ୍ ପରେ ଅର୍ଥାତ୍ ୧୧ଟା ୪୭ ମିନିଟ୍ରେ ଫେରିଥିଲା। ଉକ୍ତ ଗାଡ଼ିରେ ଓରାଂଉଟାନ୍ଗୁଡ଼ିକୁ ଅଣାଯାଇଥିଲା କି ନାହିଁ, ସେ ନେଇ ଖୋଳତାଡ଼ ଚାଲିଛି। ସେହିପରି ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରୢାକେଟ୍ର ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ କରାଯାଉଛି।
ସୌଜନ୍ୟ ସମ୍ବାଦ




