ଦେଶ ବିଦେଶ

18th BRICS Summit: ଆଜିଠାରୁ ଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ: ବିଶ୍ୱ ନେତାଙ୍କ ମହାମେଳି

ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିଶ୍ୱର ଅନେକ ପ୍ରମୁଖ ନେତା ଏକାଠି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି...

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ  ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିଶ୍ୱର ଅନେକ ପ୍ରମୁଖ ନେତା ଏକାଠି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ବୈଠକରେ ବିଶ୍ୱ କଲ୍ୟାଣ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ। ଏହି ସମ୍ମିଳନୀ ବିଶ୍ୱ ଭୂ-ରାଜନୀତି ଏବଂ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବ୍ରିକ୍ସ ସମ୍ମିଳନୀ ପାଇଁ ସମଗ୍ର ବିଶ୍ୱରୁ ନେତାମାନେ ଏକାଠି ହେଉଛନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ ବିଶ୍ୱ କଲ୍ୟାଣର ଆକାଂକ୍ଷା ନେଇ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଚର୍ଚ୍ଚା ଦେଖିବାକୁ ମିଳିବ। ଭାରତ ମଣ୍ଡପମ୍‌ରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ସୁରକ୍ଷାକୁ ମଜଭୁତ କରିବା ଉପରେ ଧ୍ୟାନ ଦିଆଯିବ। ବର୍ତ୍ତମାନର ବିଭାଜିତ ଭୂ-ରାଜନୈତିକ ପରିବେଶରେ ଭାରତ ବ୍ରିକ୍ସକୁ ଏକ ପ୍ରଭାବଶାଳୀ ନେତୃତ୍ୱ ଭାବରେ ଉପସ୍ଥାପିତ କରୁଛି।

ରୁଷ-ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ, ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ବାଧା ଏବଂ ଆମେରିକା ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ଓ ଶୁଳ୍କ ନୀତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ, ଇଜିପ୍‌ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍‌-ସିସି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ, ଆବୁଧାବି କ୍ରାଉନ୍ ପ୍ରିନ୍‌ସ ମହମ୍ମଦ ବିନ୍ ଜାୟଦ ଅଲ ନାହ୍ୟାନ୍, ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀ ଏବଂ ଭିଏତନାମ ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗଙ୍କ ପରି ଶୀର୍ଷ ନେତାମାନେ ଯୋଗ ଦେଉଛନ୍ତି। ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ୍‌ ରାଷ୍ଟ୍ରପତି ପୁଟିନ ଶୁକ୍ରବାରଠାରୁ ନିଜର ତିନିଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି।  ପୁଟିନ୍ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button