Orangutan Deal : ବଣ ମଣିଷ ବିକ୍ରି ପାଇଁ ଦୀଘା ହୋଟେଲରେ ହୋଇଥିଲା ଡିଲ୍, କୋଟିଏ ଟଙ୍କାରେ ବିକା ହୋଇଥାନ୍ତା ଗୋଟିଏ ଶାବକ

ଭୁବନେଶ୍ୱର/ଭୋଗରାଇ/ଚନ୍ଦନେଶ୍ୱର/ବାରଙ୍ଗ, ୧୨/୯ : ଦୀଘାର ଏକ ହୋଟେଲରେ ଓରାଙ୍ଗଉଟାନ ବିକ୍ରି ପାଇଁ ଡିଲ୍ ଛିଡି଼ଥିଲା । ଗୋଟିଏ ଶାବକକୁ ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକାଯାଇଥାନ୍ତା । ବାଲେଶ୍ୱରର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିରଳ ବନ୍ୟଜନ୍ତୁ ବିକିଥାନ୍ତେ ବଙ୍ଗୀୟ ବାପା-ପୁଅ । କିନ୍ତୁ ବନ ବିଭାଗ ହାବୁଡ଼ରେ ପଡି଼ବା ଭୟରେ ହାଇପ୍ରୋଫାଇଲ୍ ଡିଲ୍ ଫସର ଫାଟିଯାଇଛି । ଆଉ ଚାଲାଣକାରୀମାନେ ନିରୀହ ଶାବକଗୁଡି଼କୁ ଭୋଗରାଇର ଝାଉଁ ଜଙ୍ଗଲରେ ଛାଡି଼ ପଳାଇଲେ । ଓଡ଼ିଶାରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ ତଦନ୍ତକାରୀ ଦଳକୁ ଏଭଳି କିଛି ସୁରାକ ମିଳିଛି । କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ଏକ ଟିମ୍ ଏହି ତଥ୍ୟ ଆଧାରରେ ଦୀଘାର ଏକ ହୋଟେଲରେ ଚଢ଼ଉ କରିଛନ୍ତି । ସେଠାରୁ ୩ ଜଣଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା ଚାଲିଛି । ଏମାନେ ଘଟଣାଦିନ ଚନ୍ଦନେଶ୍ୱର-ଭୁଷଣ୍ଡପୁର ରୁଟ୍ରେ ରହସ୍ୟମୟ ଥର୍ ଗାଡି଼ରେ ଯାଇଥିବା ସନ୍ଦେହ କରାଯାଉଛି ।
ରହସ୍ୟମୟ ଥରଟିର ମାଲିକ ହେଉଛନ୍ତି ସେହି ବଙ୍ଗୀୟ ବାପା-ପୁଅ । ସୋମବାର ଦିନ ରାତିରେ ହିଁ ସେମାନେ ଥର୍ ଯୋଗେ ଏନ୍ଏଚ୍-୧୧୬ ଦେଇ କୋଲକାତାକୁ ଛୁ ମାରିଥିଲେ । ଏସ୍ଟିଏଫ୍ର ଏକାଧିକ ଟିମ୍ ସେମାନଙ୍କୁ ଧରିବା ପାଇଁ ଅଧା କୋଲକାତାକୁ ଘାଣ୍ଟି ପକାଇଲାଣି । ହାଓଡ଼ାସ୍ଥିତ ତାଙ୍କ ଘରେ ଏସ୍ଟିଏଫ୍ ଖୋଜାଖୋଜି କରିବା ସତ୍ତେ୍ୱ କାହାରିକୁ ପାଇନାହିଁ । ବାଲେଶ୍ୱରର ପ୍ରଭାବଶାଳୀ ବ୍ୟକ୍ତିଜଣକ ଘଟଣା ଦିନ ହୋଟେଲକୁ ଯାଇନଥିବା ସୂଚନା ମିଳିଛି । ନ୍ୟୁ-ଦୀଘାର ଏକ ହୋଟେଲରେ ଏସ୍ଟିଏଫର ଟିମ୍ ଛାନ୍ଭିନ୍ କରିଛି । ସେଠାକାର ଅନ୍ୟ ଏକ ଦୋକାନର ସିସିଟିଭି କ୍ୟାମେରା ଫୁଟେଜ୍ରୁ ଜଣାପଡୁଛି ଯେ ସୋମବାର ରାତି ୧୦ଟା ୫୬ ମିନିଟ୍ରେ କଳାରଙ୍ଗର ଥର୍ ଓ ତା’ ପଛେ ପଛେ ଆଉ ଏକ ଧଳା କାର୍ ଯାଉଥିଲା । ଏହି ଦୁଇଟି ଗାଡ଼ି ମୁଖ୍ୟ ରାସ୍ତା ଛାଡ଼ି ଗଳିକନ୍ଦିରେ ଘୂରି ବୁଲିଥିଲା । ଥର୍ ଗାଡି଼ଟି ରାତି ୧୧ଟା ୩୫ରେ ଭୋଗରାଇର ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ଯାଇ ୧୨ ମିନିଟ୍ରେ ଫେରିଥିବାର ଦୃଶ୍ୟ ଏକ ସାର ବିକ୍ରୟ କେନ୍ଦ୍ରର ସିସିଟିଭି କ୍ୟାମେରା ଫୁଟେଜ୍ କଏଦ୍ ହୋଇଛି । ଦୀଘାରୁ ବଡ଼ପାହିର ଦୂରତା ପ୍ରାୟ ୨୨ କିମି । ଥର୍ଟି ଅଧଘଣ୍ଟା ଭିତରେ ଏତିକି ଦୂରତା ଅତିକ୍ରମ କରି ଆସିଥିବ ବୋଲି ଏକରକମର ସ୍ପଷ୍ଟ ହୋଇଛି । ଉକ୍ତ ହୋଟେଲରେ ୬ ଜଣ ଚାଲାଣକାରୀ ରହୁଥିଲେ । ୩ ଜଣଙ୍କ ନାମ ହୋଟେଲ ରେଜିଷ୍ଟାର୍ରେ ଉଲ୍ଲେଖ ରହିଛି । କିନ୍ତୁ ବାକି ୩ ଜଣଙ୍କ କୌଣସି ଠିକଣା ନାହିଁ । ୩ ଜଣ ଅଟକଙ୍କ ଭିତରୁ ଜଣେ କଳା ଥର୍ ଗାଡ଼ି ଚାଳକ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସୌଜନ୍ୟ ପ୍ରମେୟ




