ଜିଲ୍ଲା

Soil Quality Declining : ଖରିଫ୍‌ ଋତୁରେ ବ୍ୟବହାର ହେଉଛି ୧୭ ପ୍ରକାର ସାର, ଗୁଣବତ୍ତା ହରାଉଛି ମାଟି, ସତର୍କ କଲେ କୃଷି ବିଶେଷଜ୍ଞ

ରାଉରକେଲା, ୧୨/୯ (ସୁଜ୍ଞାନୀ ରାୟ) : ସହଜ ଏବଂ ସୁବିଧାରେ ମିଳୁଥିବା ରାସାୟନିକ ସାର ପ୍ରୟୋଗରେ ପ୍ରଥମ କିଛି ବର୍ଷ ଭଲ ଅମଳ ହେଉଛି । ଧୀରେ ଧୀରେ ଫସଲ ମାଗୁଛି ଅଧିକ ଖାଦ୍ୟସାର । କ୍ରମାଗତ ସାର ପରିମାଣ ବଢ଼ୁଛି । ମାତ୍ରାଧିକ ସାର ପ୍ରୟୋଗରେ ମାଟି ଉତ୍ପାଦନ ଶକ୍ତି ହରାଇ ବସୁଛି । ଉତ୍ପାଦନ କମୁଛି । ପର୍ଯ୍ୟାପ୍ତ ଜୈବିକ ସାର ଅଭାବ ଏବଂ ଏହାର ପ୍ରୟୋଗ ପ୍ରତି ଉତ୍ସାହ ବଢୁ ନ ଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ୍‌ ଋତୁରେ ରାସାୟନିକ ସାର ମାଡ଼ରେ ଜମି ଆକ୍ତାମାକ୍ତା ହେଉଛି । ଏଭଳି ଧାରା ଜାରି ରହିଲେ ଆଗାମୀ ଦଶନ୍ଧିରେ ଜିଲ୍ଲା କୃଷି ବିପର୍ଯ୍ୟୟର ସାମ୍ନା କରିବ ବୋଲି କୃଷି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

ଜିଲ୍ଲାରେ ଖରିଫ୍‌ ଋତୁରେ ରାସାୟନିକ ସାର ବ୍ୟବହାର ବର୍ଷକୁ ବର୍ଷ ବଢୁଥିବା ତଥ୍ୟ କହୁଛି । ଏହି ସମୟରେ ପ୍ରାୟ ୧୭ ପ୍ରକାର ସାର ବ୍ୟବହାର କରାଯାଉଛି । ୨୦୨୨- ୨୩ ବର୍ଷରେ ହେକ୍ଟର ପିଛା ୫୬.୮୩ କେଜି ଅନୁପାତରେ ୧୭୨୫୩.୭୨ ମେଟ୍ରିକ ଟନ ସାର ବ୍ୟବହାର କରାଯାଇଥିଲା । ୨୦୨୩-୨୪ରେ ହେକ୍ଟର ପିଛା ୬୨.୫୨ କେଜି ଅନୁପାତରେ ୧୯୫୬୭.୩୬ ମେଟ୍ରିକ ଟନ୍‌, ୨୦୨୪-୨୫ରେ ହେକ୍ଟର ପିଛା ୯୩.୪୭ କେଜି ଅନୁସାରେ ୨୯୨୫୦.୯୭ ମେଟ୍ରିକ ଟନ୍‌ ସାର ପ୍ରୟୋଗ ହୋଇଛି । ୨୦୨୫-୨୬ରେ ହେକ୍ଟର ପିଛା ୭୩.୯୫ କେଜି ଅନୁସାରେ ମୋଟ ୨୨୧୦୦ ମେଟ୍ରିକ ଟନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତାହା ହେକ୍ଟର ପିଛା ୭୬.୯୫ କେଜିକୁ ବଢ଼ିଯାଇଥିଲା । ତଦନୁଯାୟୀ ମୋଟ୍‌ ୨୩୨୯୧.୯୧ ମେଟ୍ରିକ ଟନ୍‌ ସାର ବ୍ୟବହାର ହୋଇଥିଲା । ଚଳିତ ବର୍ଷ ଖରିଫ୍‌ ଋତୁରେ ହେକ୍ଟର ପିଛା ୮୩.୨୮ କେଜି କରି ମୋଟ ୨୫୫୬୫ ମେଟ୍ରିକ ଟନ୍‌ ରାସାୟନିକ ସାର ବ୍ୟବହାର କରିବା ନେଇ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଗତ ତିନିବର୍ଷରେ ହେକ୍ଟର ପିଛା ହାରାହାରି ସାର ପ୍ରୟୋଗ ପରିମାଣ ୨୭ କେଜି ବଢ଼ିଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି । ଜିଲ୍ଲାରେ ରବି ଋତୁରେ ଅପେକ୍ଷାକୃତ କମ୍‌ ଜମିରେ ଫସଲ ହୋଇଥାଏ । ତଦନୁଯାୟୀ ରାସାୟନିକ ସାର ବ୍ୟବହାର ଖରିଫ୍‌ ଋତୁ ଅପେକ୍ଷା କମ୍‌ । ତଥ୍ୟ କହୁଛି, ୨୦୨୨-୨୩ରେ ହେକ୍ଟର ପିଛା ୬୪.୭୫ କେଜି ଅନୁସାରେ ୬୨୯୬.୬ ମେଟ୍ରିକ ଟନ୍‌, ୨୦୨୩-୨୪ରେ ହେକ୍ଟର ପିଛା ୨୫.୫୨ କେଜି ଅନୁସାରେ ୨୫୦୩୧.୧ ମେଟ୍ରିକ ଟନ୍‌, ୨୦୨୪-୨୫ରେ ହେକ୍ଟର ପିଛା ୨୧.୪୮ କେଜି ଅନୁସାରେ ମୋଟ ୨୧୪୦.୭ ମେଟ୍ରିକ ଟନ୍‌ ରାସାୟନିକ ସାର ବ୍ୟବହାର ହୋଇଛି । ୨୦୨୫-୨୬ରେ ହେକ୍ଟର ପିଛା ୪୬.୧୭ କରି ମୋଟ ୫୧୦୦ ମେଟ୍ରିକ ଟନ୍‌ ସାର ବ୍ୟବହାର ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ୫୧.୬୯ କେଜି ଅନୁସାରେ ମୋଟ ୪୦୨୭ ମେଟ୍ରିକ୍‌ ଟନ୍‌ ବ୍ୟବହାର କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button